କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ପୂରା ବିଶ୍ୱରେ ଏହାକୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଛି । ୟୁକ୍ରେନ ସପକ୍ଷରେ ନାଟୋ ସମୂହ ଛିଡା ହେବା ସହ ଋଷ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଏପରିକି ନାଟୋ ଗ୍ରୁପ୍ ପକ୍ଷରୁ ୧୦୦ଟି ଲଢୁଆ ବିମାନ ଓ ୧୨୦ଟି ଯୁଦ୍ଧ ଜାହାଜ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇ ଅଛନ୍ତି । ୟୁକ୍ରେନର ସାର୍ବଭୌମତ୍ୱ ରକ୍ଷା ସବୁ ପ୍ରକାର ପଦକ୍ଷେପ ନେବାକୁ ନାଟୋ ସମୂହ ନିଷ୍ପତ୍ତି ନେଇଛନ୍ତି ।

Advertisment

ଆଉ ଏସବୁ ଭିତରେ ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଭାରତ ଶାନ୍ତି ଚାହୁଁଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୟୁକ୍ରେନରେ ଏବେ ସ୍ଥିତି ଗମ୍ଭୀର ଅଛି । ୟୁକ୍ରେନ ସ୍ଥିତି ଉପରେ ଆମର ନଜର ରହିଛି । ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି । ସବୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଯାହା ଆବଶ୍ୟକ ତାହା କରିବୁ । ପୂର୍ବରୁ ମଧ୍ୟ ବିମାନ ପଠାଇ ଆମେ ଭାରତୀୟଙ୍କୁ ଉଦ୍ଧାର କରିଛୁ, ୟୁକ୍ରେନରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ତେବେ ଆଜି ମିସାଇଲ ଆକ୍ରମଣ ଫଳରେ ସେଠାରେ ବିମାନ ଅବତରଣ କରିପାରିନଥିଲା । ଭାରତ ଚାହୁଁଛି ଶାନ୍ତି ବଜାୟ ରହୁ, ଯୁଦ୍ଧ ଭଳି ସ୍ଥିତି ଉପୁଜିବାର ଆବଶ୍ୟକତା ନଥିଲା । ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବା ଉଚିତ୍ ।

ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା କହିଛନ୍ତି ଯେ, ଋଷ ସହ ଯୁଦ୍ଧରେ ଆମର ୪୦ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନେକ ଯବାନ ଗୁରୁତର ଆହତ ହୋଇଛନ୍ତି । ଏନେଇ ଗଣମାଧ୍ୟମ ସଂସ୍ଥା ରୟଟର୍ସରେ ଖବର ପ୍ରକାଶ ପାଇଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନରେ ଜାମ ଦେଖିବାକୁ ମିଳିଛି । ସମସ୍ତେ ୟୁକ୍ରେନର ମେଟ୍ରୋ ଷ୍ଟେସନ ମୁହାଁ ହୋଇଛନ୍ତି । କାରଣ ୟୁକ୍ରେନର ମେଟ୍ରୋ ଷ୍ଟେସନ ସବୁଠୁ ବଡ ସୁରକ୍ଷାକବଚ ଭାବେ ଉଭା ହୋଇଛି । ଯେଉଁଠି ଆକାଶପଥରୁ ଆକ୍ରମଣ କରାଗଲେ ମଧ୍ୟ ଏହି ମେଟ୍ରୋ ଷ୍ଟେସନର ସେଭଳି କ୍ଷୟକ୍ଷତି ଦେଖିବାକୁ ମିଳିବ ନାହିଁ ।