କନକ ବ୍ୟୁରୋ : ଆଜି ଭାରତ–ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ । ଦିନିକିଆ ସିରିଜ୍ ଜିତିଥିବାରୁ ଟି-୨୦ କବଜା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ରୋହିତ ବାହୀନି । ୟୁଏଇରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗତ ସଂସ୍କରଣରେ ଫେଭରିଟ୍ ଆଖ୍ୟା ପାଇଥିଲେ ମଧ୍ୟ ଭାରତୀୟ ଦଳ ଅପ୍ରତ୍ୟାଶିତ ଭାବେ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଫଳରେ ସେତେବେଳର ବିରାଟ କୋହଲିଙ୍କ ଦଳରେ ଥିବା ଦୋଷ ଦୁର୍ବଳତା ଏବଂ ତ୍ରୁଟି ପଦାରେ ପଡ଼ିଥିଲା ।

Advertisment

ଏଥର ସେହି ଭୁଲ ସୁଧାରି ଦ୍ବିତୀୟ ଥର ବିଶ୍ବକପ୍ ତୋଳି ଧରିବା ଅଭିଯାନରେ ରହିଛି ଭାରତ । ରୋହିତଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚଟି ଆଇପିଏଲ୍ ଟ୍ରଫି ଜିତିଥିବାରୁ ଜାତୀୟ ଦଳ ମଧ୍ୟ ୨୦୦୭ ପରେ ଆଉଥରେ ଟ୍ବେଣ୍ଟି-୨୦ ବିଶ୍ବବିଜେତା ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି । ସେହିଭଳି ଦିନିକିଆ ଭଳି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ମୂଳପୋଛ ବିଜୟ ହାସଲ କରିବ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି ।

ସାଂପ୍ରତିକ ଭାରତୀୟ ଟ୍ବେଣ୍ଟି-୨୦ ଦଳର ୧୦ ଜଣ ଖେଳାଳି ଆଇପିଏଲ୍‌ରେ ଆଖିଖୋସି ହେଲା ଭଳି ଦଳରେ ବିକ୍ରି ହୋଇଛନ୍ତି । ଏଣୁ ଏହି ସିରିଜ୍‌ରେ ସମସ୍ତଙ୍କ ନଜର ସେମାନଙ୍କ ଉପରେ ରହିବ । କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ବୁଧବାର ଇଣ୍ଡିଜ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ରୋହିତଙ୍କ ସହ ଋତୁରାଜ ଗାଏକ୍ବାଡ୍ କିମ୍ବା ଈଶାନ କିଶନଙ୍କ ମଧ୍ୟରୁ ଜଣେ ପାଳି ଆରମ୍ଭ କରିବେ । ମଧ୍ୟକ୍ରମରେ ସୂର୍ଯକୁମାର ଯାଦବ ଏବଂ ଶ୍ରେୟସ୍ ଆୟର ଏକାଠି ଖେଳିବାର ସୁଯୋଗ ବି ରହିବ ।

ନିମ୍ନକ୍ରମରେ ଦୀପକ ଚହର, ଶାର୍ଦୁଳ ଠାକୁର ଓ ହର୍ଷଲ ପଟେଲ ଭଲ ବୋଲିଂ ସହ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିପାରନ୍ତି । ଦିନିକିଆ ଶୃଙ୍ଖଳାରେ ପ୍ରଭାବୀ ପ୍ରଦର୍ଶନ କରିବା ପରେ ୟୁଜବେନ୍ଦ୍ର ଚହଲ ରୋହିତଙ୍କ ପ୍ରଥମ ପସନ୍ଦର ସ୍ପିନର ହେବେ। ୱା‌ସିଂଟନ୍ ସୁନ୍ଦର ଆହତ ହୋଇ ଏହି ଶୃଙ୍ଖଳାରୁ ବାଦ୍ ପଡ଼ିଥିବାରୁ ତାଙ୍କ ସ୍ଥାନ କିଏ ନେବ? ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।

ସମ୍ଭାବ୍ୟ ଭାରତ : ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ/ଋତୁରାଜ ଗାଏକ୍ବାଡ, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ହର୍ଷଲ ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ, ଅଭେସ ଖାନ୍।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍ : କାଇଲ ମେୟର୍ସ, ବ୍ରାଣ୍ଡନ୍ କିଙ୍ଗ୍, ନିକୋଲାସ ପୂରନ, କିରଣ ପୋଲାର୍ଡ (ଅଧିନାୟକ), ରୋଭମନ ପାୱେଲ, ଜାସନ ହୋଲ୍ଡର, ରୋମାରିଓ ସେପାର୍ଡ, ଫାବିଏନ୍ ଆଲେନ୍, ଓଡେନ୍ ସ୍ମିଥ୍, ଅକିଲ ହୁସେନ, ‌ସେଲଡନ୍ କର୍ଟେଲ।