କନକ ବ୍ୟୁରୋ : ଏସିଆ କପ୍ ସୁପର-୪ରେ ଆଜି ଭାରତ ପାଇଁ କର ବା ମର ମ୍ୟାଚ୍ । ସଂଧ୍ୟା ସାଢେ ୭ଟାରେ ଶ୍ରୀଲଙ୍କା ସହ ମୁକାବିଲା ରହିଛି । ପ୍ରଥମ ମ୍ୟାଚ୍ ହାରିଥିବାରୁ ଫାଇନାଲ ଦୌଡ଼ରେ ରହିବା ପାଇଁ ହେଲେ ନିଶ୍ଚିତ ବିଜୟ ଆବଶ୍ୟକ । ଭାରତ ପାଇଁ ନିଜର ବୋଲିଂ ବିକଳ୍ପକୁ ସଜାଡ଼ିବା ମୁଖ୍ୟ ଆହ୍ବାନ ହୋଇଛି ।

Advertisment

ମାତ୍ରାଧିକ ପରୀକ୍ଷାନିରୀକ୍ଷାରେ ନ ମାତି ଏବେ ସୀମିତ ବୋଲିଂ ସମ୍ବଳରୁ ଶ୍ରେଷ୍ଠତ୍ୱ ବାହାର କରିବା ଯୋଜନାରେ ରହିବ ଭାରତ । ରବୀନ୍ଦ୍ର ଜାଦେଜା, ହର୍ଷଲ ପଟେଲ୍‌, ଯଶପ୍ରୀତ୍ ବୁମରାଙ୍କ ଆହତଜନିତ ଅନୁପସ୍ଥିତି ଦଳର ବୋଲିଂ ବିକଳ୍ପକୁ ବିଗାଡ଼ି ଦେଇଛି । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତିଥିଲେ ମଧ୍ୟ ରବିବାର ରାତିରେ ହାର୍ଦ୍ଦିକ ପାଣ୍ଡ୍ୟା, ୟୁଝବେନ୍ଦ୍ର ଚହଲ ଏବଂ ଭୁବନେଶ୍ୱର କୁମାର ମହଙ୍ଗା ବୋଲିଂ କରିବା ଭାରତକୁ ବିଜୟରୁ ବଞ୍ଚିତ କରିଥିଲା । ୫ ବୋଲର ଯୋଜନାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪ ଓଭର ବୋଲିଂ କରିବା ଜଟୀଳ ହୋଇଯାଇଥିଲା ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଏହାର ପୂର୍ବ ଦୁଇ ମ୍ୟାଚ୍‌ରେ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷରେ ପଶ୍ଚାତଧାବନ କରି ଜିତିଥିବାରୁ ଦଳର ମ‌ନୋବଳ ବଢ଼ିଛି । କ୍ରିସ୍ ସିଲଭରଉଡଙ୍କ ପ୍ରଶିକ୍ଷିତ ଦଳ ଭିତରେ ବିଶ୍ବାସ ଆସିଛି ସେ‌ମାନେ ଯେ କୌଣସି ପରିସ୍ଥିତିରୁ ବି ଜିତିପାରିବେ। ଅଧିନାୟକ ଦସୁନ ଶଣକା, କୁଶାଲ ମେଣ୍ଡିସ୍‌, ଧନୁଷ୍କ ଗୁଣତିଳକା, ଭାନୁକା ରାଜପକ୍ଷ ଭଲ ଖେଳୁଛନ୍ତି । ପଶ୍ଚାତଧାବନ ‌ବେଳେ ଆମ ନିକଟରେ ସ୍ପଷ୍ଟ ଧାରଣା ରହୁଛି ୱିକେଟ୍‌ କିଭଳି ବ୍ୟବହାର କରୁଛି‌ ବୋଲି ମଧ୍ୟ ଶଣକା ପ୍ରକାଶ କରୁଛନ୍ତି । ବାମହାତୀ ବୋଲରଙ୍କ ବିପକ୍ଷରେ ଭାରତୀୟମାନେ ସେତେଟା ଭଲ କରୁନଥିବାରୁ ୨୧ ବର୍ଷୀୟ ଦିଲସାନ୍‌ ମଧୁଶଙ୍କାଙ୍କୁ ପାୱାର ପ୍ଳେ ଭିତରେ ଖେଳାଇପାରେ ।

ସମ୍ଭାବ୍ୟ ଶ୍ରୀଲଙ୍କା : ପଥୁମ ନିଶଙ୍କା, କୁସଲ ମେଣ୍ଡିସ୍‌ (ୱିକେଟରକ୍ଷକ), ଚରିତ ଅସଲଙ୍କା, ଧନୁଷ୍କା ଗୁଣତିଳକା, ଭାନୁଷ୍କା ରାଜପକ୍ଷ, ଦସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣା‌ରତ୍ନେ, ମହେଶ ତୀକ୍ଷଶାଣା/ପ୍ରବୀଣ ଜୟବିକ୍ରମା, ଅସିଥ ଫର୍ଣ୍ଣାଣ୍ଡୋ, ଦିଲସାନ୍ ମଧୁଶଙ୍କା ।

ସମ୍ଭାବ୍ୟ ଭାରତ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଆର୍‌ ଅଶ୍ବିନ, ଭୁବନେଶ୍ବର କୁମାର, ଅୱେସ ଖାନ୍‌, ୟୁଝବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ ।