କନକ ବ୍ୟୁରୋ : ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ । ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରୋହିତ ବାହିନୀ । ଇଡେନଗାର୍ଡେନରେ ପୁଣି ଥରେ ଟିମ୍ ଇଣ୍ଡିଆ ଠାରୁ କ୍ରିକେଟ ପ୍ରେମୀଙ୍କ ବଡ ସ୍କୋର ଆଶା । ଗତ ସେ‌ପ୍ଟେମ୍ବରରେ ଆଫ୍‌ଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ରେ ୩ ବର୍ଷର ଶତକ ମରୁଡ଼ି ଅବସାନ ଘଟାଇଥିବା ବିରାଟ କୋହଲି ବିଶେଷ କରି ଧଳା ବଲ୍‌ କ୍ରିକେଟ୍‌ରେ ଆଉ ପଛକୁ ଚାହିନାହାନ୍ତି । ସେ ଗୁଆହାଟୀରେ ନିଜର ୭୩ତମ ଅନ୍ତର୍ଜାତୀୟ ଶତକ ହା‌ସଲ କରିବା ସହ ଭାରତର ୬୭ ରନ୍‌ର ବିଜୟରେ ବଡ଼ ଭୁମିକା ନିଭାଇଥିଲେ । ସେହିପରି ଆହତ ସମସ୍ୟାରୁ ମୁକୁଳି ଦଳକୁ ଫେରିଥିବା ଅଧିନାୟକ ରୋହିତ ଶର୍ମା ପ୍ରଥମ ମ୍ୟାଚ୍‌ରେ ୬୭ ବଲ୍‌ରେ ୮୩ ରନ୍‌ କରି ନିଜର ଫିଟ୍‌ନେସ୍‌ ପ୍ରମାଣ ଦେଇ ସାରିଛନ୍ତି ।

Advertisment

ତାଙ୍କ ‌ପସନ୍ଦର ପଡ଼ିଆ ଇଡେନ୍‌ ଗାର୍ଡେନ୍ସରେ ଦ୍ବିତୀୟ ମ୍ୟାଚ୍‌ ଖେଳାଯାଉଥିବାରୁ ଏଠାରେ ଆଉ ଏକ ବଡ଼ ସ୍କୋର୍‌ ଆଶାରେ ଅଛନ୍ତି ରୋହିତ । ଶେଷ ଥର ଲାଗି ୮ ବର୍ଷ ତଳେ ଉଭୟ ଦଳ ଏଠାରେ ଖେଳିଥିବା ଦିନିକିଆରେ ରୋହିତ ଶର୍ମା ବିଶ୍ବ କୀର୍ତ୍ତିମାନ ଭରା ୨୬୪ ରନ୍‌ କରିଥିଲେ । ୨୦୨୦ ଜାନୁଆରିରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ଶତକ ମାରିଥିବା ରୋହିତ ଏଠାରେ ଏହି ମରୁଡ଼ିର ଅବସାନ ଲକ୍ଷ୍ୟରେ ରହିଛନ୍ତି ।

ଯୁବ ଓପନର୍‌ ଶୁବମନ ଗିଲ୍‌ ମଧ୍ୟ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଫଳରେ ମଙ୍ଗଳବାର ପରି ଗୁରୁବାର ଶୀର୍ଷ ୩ ବ୍ୟାଟିଂକ୍ରମ ଶ୍ରୀଲଙ୍କାକୁ ଅଡ଼ୁଆରେ ପକାଇବା ସମ୍ଭାବନା ରହିଛି। ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ପୂର୍ବରୁ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଖେଳିବା ପ୍ରାୟ ନିଶ୍ଚିତ ‌ରହିଛି। ୱିକେଟ୍‌ରକ୍ଷକ ଦାୟିତ୍ବରେ ରାହୁଲ ରହିବେ । ତେଣୁ ଏହି ମ୍ୟାଚ୍‌ରେ ଈଶାନ ‌କିଶନ ଖେଳିବାର ସମ୍ଭାବନା ପ୍ରାୟ ନାହିଁ। ମହମ୍ମଦ ସାମିଙ୍କ ନେତୃତ୍ବରେ ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ ଓ ହାର୍ଦିକ୍‌ ପାଣ୍ଡ୍ୟା ଦ୍ରୁତ ବୋଲିଂ ଭାର ସମ୍ଭାଳିବେ ।

ସାମ୍ଭବ୍ୟ ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଅକ୍ଷର ପଟେଲ, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମ୍ରାନ ମଲିକ, ୟୁଝବେନ୍ଦ୍ର ଚହଲ।

ସାମ୍ଭବ୍ୟ ଶ୍ରୀଲଙ୍କା ଦଳ : ପଥୁମ ନିଶାଙ୍କ, କୁସାଲ ମେଣ୍ଡିସ (ଉପଅଧିନାୟକ), ଅଭିଷ୍କା ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଡି’ସିଲ୍‌ଭା, ଚରିତ ଅସଲଙ୍କା, ଦାସୁନ ଶଣଙ୍କା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଦୁନିଥ ୱେଲାଲାଗେ, କସୁନ ରଜିତା, ଦିଲସାନ ମଦୁଶଙ୍କା।