କନକ ବ୍ୟୁରୋ : ଆଜିଠୁ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ପୂର୍ବତନ ଭାରତୀୟ ଅଧିନାୟକ ତଥା ବିଶ୍ବ କ୍ରିକେଟ୍‌ର ସବୁଠାରୁ ଚର୍ଚ୍ଚିତ ନାୟକ ବିରାଟ କୋହଲିଙ୍କର ଏହା ଶତକୀୟ ଟେଷ୍ଟ ହେବ । ସେଥିପାଇଁ ଏହି ମ୍ୟାଚ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଭାରତୀୟ ଦଳ ମଧ୍ୟ କୋହଲିଙ୍କ ଏହି ମାଇଲଖୁଣ୍ଟ ମ୍ୟାଚ୍‌କୁ ସ୍ମରଣୀୟ କରିବା‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ଆଉ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଏହି ମ୍ୟାଚ୍‌ରେ ନିଜ ଟେଷ୍ଟ ଅଧିନାୟଜ ଜୀବନ ଆରମ୍ଭ କରିବେ। ସେ ଭାରତର ୩୫ତମ ଟେଷ୍ଟ ଅଧିନାୟକ ହେବେ । ପୂର୍ବରୁ ଏହି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ ବୋଲି ଘୋଷଣା କରିଥିଲା ବିସିସିଆଇ ।

Advertisment

ତେବେ ପଞ୍ଜାବ କ୍ରିକେଟ୍ ସଂଘର ଅନୁରୋଧ, କ୍ରିକେଟ୍‌ପ୍ରେମୀଙ୍କ ଭାବନା ତଥା ମ୍ୟାଚ୍‌ର ଗୁରୁତ୍ବକୁ ଦେଖି ଏବେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିଛି । ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଦଳର ନେତୃତ୍ବ ନେଇସାରିଥିବା ରୋହିତ ଶର୍ମା ଆଜି ନୂଆ ଦାୟିତ୍ବରେ ଅବତ୍ତୀର୍ଣ୍ଣ ହେବେ । ଏକଦା ଭାରତୀୟ ଟେଷ୍ଟ ଦଳରେ ନିଜ ସ୍ଥାନ ପକ୍କା କରିବା ଲାଗି ସଂଘର୍ଷ କରୁଥିବା ରୋହିତ ଶୁକ୍ରବାର ଭାରତୀୟ ଟେଷ୍ଟ ଦଳର ନେତୃତ୍ବ ନେଉଥିବା ଦେଖିବାକୁ ମିଳିବେ । ତାଙ୍କ ଅଧିନାୟକତ୍ବରେ ଭାରତୀୟ ଦଳର ନୂଆ ଯାତ୍ରା ଆରମ୍ଭ ହେବ । ୩୪ ବର୍ଷୀୟ ରୋହିତ ତା’ ସହ ତିନିଟି ଯାକ ଫର୍ମାଟ୍‌ରେ ଭାରତର ନେତୃତ୍ବ ନେବାର ଗୌରବ ଅର୍ଜନ କରିବେ ।

ଭାରତରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ୨୦ ଟେଷ୍ଟ ଖେଳିଛି । ସେଥିମଧ୍ୟରୁ ଗୋଟିଏ ହେଲେ ବି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇନି। ଭାରତ ୧୧ ଟେଷ୍ଟ ଜିତିଥିଲା ବେଳେ ୯ ଟେଷ୍ଟ ଅମୀମାଂସିତ ରହିଛି। ଉଭୟ ଦଳ ମୋଟ ଉପରେ ୪୪ ଟେଷ୍ଟ ଖେଳିଛନ୍ତି । ସେଥିମଧ୍ୟରୁ ଭାରତ ୨୦ ଟେଷ୍ଟ ଜିତିଥିଲା ବେଳେ ଶ୍ରୀଲଙ୍କା ୭ ମ୍ୟାଚ୍ ଜିତିଛି । ଏପରିକି ମୁଥିୟା ମୁରଲୀଧରନ୍, ଚାମିଣ୍ଡା ଭାସ୍, କୁମାର ସାଙ୍ଗାକାରା ଏବଂ ସନଥ ଜୟସୂରିୟାଙ୍କୁ ନେଇ ଗଠିତ ମହାନ ଶ୍ରୀଲଙ୍କା ଦଳ ମଧ୍ୟ ଭାରତରେ ଟେଷ୍ଟ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇନି । ଏଥର ଭାରତ ଆସିଥିବା ଦିମୁଥ କରୁଣାରତ୍ନେଙ୍କ ଦଳ ଅପେକ୍ଷାକୃତ ଅନଭିଜ୍ଞ। ତେବେ ୨୦୧୯ରେ ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ବିଜୟୀ ହୋଇ ଇତିହାସ ରଚିଥିଲା । ଯାହା ଭାରତ ଏପର୍ଯ୍ୟନ୍ତ କରିପାରିନାହିଁ। ଏଣୁ ଚଳିତ ଗସ୍ତରେ ନୂଆ ଇତିହାସ ରଚିବାକୁ ତାଙ୍କ ଦଳ ଚେଷ୍ଟା କରିବ ବୋଲି କରୁଣାରତ୍ନେ ମ୍ୟାଚ୍‌ର ପୂର୍ବଦିନ ଦମ୍ଭ ଭରିଛନ୍ତି ।

ବିଶ୍ବ କ୍ରିକେଟ୍‌ର ୭୧ତମ ଖେଳାଳି ଭାବେ ବିରାଟ କୋହଲି ୧୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିବେ। ସଂଯୋଗବଶତଃ କୋହଲି ମଧ୍ୟ ନିଜ ୭୧ତମ ଟେଷ୍ଟ ଶତକ ସନ୍ଧାନରେ ରହିବେ। ୨୦୦୮ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରଠାରୁ କୋହଲି ୯୯ ଟେଷ୍ଟ ଖେଳି ୫୦.୩୯ ହାରରେ ୭୯୬୨ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୨୭ ଶତକ ଏବଂ ୨୮ ଅର୍ଦ୍ଧଶତକ। ଅଧିନାୟକ ଭାବେ କୋହଲି ୬୮ ଟେଷ୍ଟ‌ରେ ଭାରତର ନେତୃତ୍ବ ନେଇ ୪୦ ବିଜୟ ହାସଲ କରିଛି। ସେ ହେଉଛନ୍ତି ଭାରତର ସଫଳତମ ଟେଷ୍ଟ ଅଧିନାୟକ। ଅନ୍ୟସବୁ ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା କୋହଲି କିନ୍ତୁ ଆଜି ପର୍ଯ୍ୟନ୍ତ ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଗୋଟିଏ ହେଲେ ବି ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି।