କନକ ବ୍ୟୁରୋ : ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ । ଭ୍ରମଣକାରୀ ଶ୍ରୀଲଙ୍କା ପାଇଁ ଏହି ଶୃଙ୍ଖଳା ଅଗ୍ନିପରୀକ୍ଷା ସଦୃଶ ହେବ। କାରଣ ଯୁବ ଖେଳାଳି ସମୃଦ୍ଧ ଏହି ଦଳ ‌ତୁଳନାତ୍ମକ ଭାବେ ଅଧିକ ଶକ୍ତିଶାଳୀ ଏବଂ ଅଭିଜ୍ଞ ଭାରତୀୟ ଦଳର ମୁକାବିଲା କରିବ । ଅତୀତ ପରିସଂଖ୍ୟାନ ଦୃଷ୍ଟିରୁ ବି ଶ୍ରୀଲଙ୍କାଠାରୁ ଭାରତ ଢେର ଆଗରେ ରହିଛି । ସେହିଭଳି ଆଇସିସି ମାନ୍ୟତାରେ ମଧ୍ୟ ଭାରତ ବହୁ ଉଚ୍ଚରେ ରହିଛି । ଭରତୀୟ କ୍ରିକେଟ୍ ଦଳ ଆଇସିସି ମାନ୍ୟତାର ପ୍ରଥମ ସ୍ଥାନରେ ଥିଲା ବେଳେ ଶ୍ରୀଲଙ୍କା ଦଶମ ସ୍ଥାନ‌ରେ ରହିଛି ।

Advertisment

ତେବେ ବିଶ୍ବକପ୍‌ ପ୍ରସ୍ତୁତିକୁ ଗତି ପ୍ରଦାନ କରିବା ଲାଗି ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ । ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପରବର୍ତ୍ତୀ ସଂସ୍କରଣ ଲାଗି ଏହି ଶୃଙ୍ଖଳା ରିହରସାଲ ଭଳି କାର୍ଯ୍ୟ କରିବ । ଉଭୟ ଦଳର କିଛି ପ୍ରମୁଖ ଖେଳାଳି ଆହତ ‌ହୋଇ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ଭାରତ ଦ୍ରୁତ ବୋଲର ଦୀପକ ଚହରଙ୍କ ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ବିଜୟର ନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସେବାରୁ ବଞ୍ଚିତ ହେବ । ଉଭୟ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ବେଳେ ଆହତ ହୋଇଥିଲେ ।

ଏହି ଦୁଇ ଜଣ ବାଦ୍‌ ପଡ଼ିବା ସତ୍ତ୍ବେ ବିସିସିଆଇ ସେମାନଙ୍କ ବଦଳ ଖେଳାଳିଙ୍କ କଥା ବିଚାରକୁ ନେଇନାହିଁ । ବିଶେଷକରି ଜୈବ ବଳୟ ନିୟମ ଯୋଗୁଁ ତୁରନ୍ତ କୌଣସି ଖେଳାଳି ଦଳ ସହ ଯୋଗଦେଇ ପାରିବେନି । ତେଣୁ ଏବେ ଭାରତୀୟ ଦଳ ୧୮ ପରିବର୍ତେ ୧୬ ଜଣରେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ଖେଳିବ । ଶ୍ରୀଲଙ୍କା ମଧ୍ୟ ଅଭିସ୍କା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକସ ଏବଂ କୋଭିଡ୍ ପଜିଟିଭ୍ ଥିବା ୱାନିନ୍ଦୁ ହସରଙ୍ଗାଙ୍କ ଅନୁପସ୍ଥିତିକୁ ଅନୁଭବ କରିବ । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଲଗାତାର ଶୃଙ୍ଖଳା ବିଜୟ ହାସଲ କରିଥିଲା ବେଳେ ଶ୍ରୀଲଙ୍କାକୁ ମଧ୍ୟ ୱେଷ୍ଟଇଣ୍ଡିଜ୍ ଭଳି ମୂଳପୋଛ କରିବା ଲକ୍ଷ୍ୟରେ ରହିଛି । ଶ୍ରୀଲଙ୍କା ଏବଂ ଭାରତ ପରସ୍ପର ବିପକ୍ଷରେ ୨୨ ଟ୍ବେଣ୍ଟି-୨୦ ଖେଳିଛନ୍ତି । ସେଥିମଧ୍ୟରୁ ଭାରତ ୧୪ ମ୍ୟାଚ୍ ଜିତିଥିଲା ବେଳେ ଶ୍ରୀଲଙ୍କା ମାତ୍ର ୭ ମ୍ୟାଚ୍ ଜିତିଛି। ଗୋଟିଏ ମୁକାବିଲାର ଫଳାଫଳ ମିଳିନି ।

ସମ୍ଭାବ୍ୟ ଭାରତ : ଋତୁରାଜ ଗାଏକ୍ବାଡ୍, ଈଶାନ କିଶନ, ଶ୍ରେୟସ୍ ଆୟର, ରୋହିତ ଶର୍ମା (ଅଧିନାୟକ), ଦୀପକ ହୁଦା, ଭେଙ୍କଟେଶ ଆୟର, ରବୀନ୍ଦ୍ର ଜାଦେଜା, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍‌ରା।

ସମ୍ଭାବ୍ୟ ଶ୍ରୀଲଙ୍କା : ପାଥୁମ ନିସଙ୍କ, କୁଶାଲ ମେଣ୍ଡିସ୍, ଚରିଥ ଅସଲଙ୍କା, ଦୀନେଶ ଚାନ୍ଦିମାଳ, ଜାନିଥ ଲିୟାନାଗେ, ଦାସୁନ ସନକା (ଅଧିନାୟକ), ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ପ୍ରବୀଣ ଜୟବିକ୍ରମ, ମହେଶ ଥିକସାନା, ଲାହିରୁ କୁମାର।