କନକ ବ୍ୟୁରୋ : ହକି ମହାକୁମ୍ଭର ଦମଦାର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହେଉଛି ଏହି ମେଗା ଟୁର୍ଣ୍ଣାମେଣ୍ଟ । ଆଜି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି ୨ଟି ଲେଖାଏଁ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚ ରାଉରକେଲାରେ ଖେଳାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନୀ ମ୍ୟାଚରେ ଉପସ୍ଥିିତ ରହିବେ । ଏଥିପାଇଁ ଆଜି ଅପରାହ୍ଣରେ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆଜି ରାତି କାଟିବେ ବୋଲି ସୂଚନା ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ରାତିରେ ସେଠାରେ ରହିବା ପରେ ଶନିବାର ସକାଳୁ ଭୁବନେଶ୍ୱର ଅଭିମୂଖେ ବାହାରିବେ ବୋଲି ସୂଚନା ମିଳିଛି । ଏପଟେ ବିଶ୍ୱକପ ପାଇଁ ଷ୍ଟାଡିୟମ ପୁରା ପ୍ରସ୍ତୁତ ରହିଛି । ମୋଟ ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ସନ୍ଧ୍ୟା ୭ଟାରେ ସ୍ପେନ ସହ ମ୍ୟାଚ ଖେଳିବ ଭାରତ ।
ଭାରତ ଏବଂ ସ୍ପେନ ମୋଟ ୩୦ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୩ଟି ସ୍ପେନ ୧୧ଟି ମ୍ୟାଚ ଜିତିଛି । ଅନ୍ୟ ୬ ମ୍ୟାଚ ସମୀମାଂସିତ ରହିଛି । ସ୍ପେନ ତୁଳନାରେ ଭାରତର ପଲା ଭାରି ରହୁଥିବାରୁ ବିଜୟରୁ ଭାରତ ଅଭିଯାନ ଆରମ୍ଭ କରିବ ବୋଲି ଆଶାବାଦୀ ଅଛି ହକିପ୍ରେମୀ । ଆଉ ୪୮ ବର୍ଷ ପରେ ମରୁଡି ପଡିଥିବା ପଦକ ଲକ୍ଷ ସ୍ୱପ୍ନ ପୁରା ହେବ ବୋଲି କୁହାଯାଉଛି ।
ଭାରତ ୧୯୭୧ରେ ଆୟୋଜିତ ପ୍ରଥମ ବିଶ୍ବକପ୍ରେ କାଂସ୍ୟ ଜିତିଥିଲା ବେଳେ ଏହା ପର ସଂସ୍କରଣ (୧୯୭୩)ରେ ରୌପ୍ୟ ଏବଂ ୧୯୭୫ରେ ଅଜିତ ପାଲ୍ ସିଂହଙ୍କ ନେତୃତ୍ବରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା । କିନ୍ତୁ ଏହାପରଠୁ ସେମିଫାଇନାଲ୍ ପହଞ୍ଚି ପାରିନାହିଁ ଏହି ଦଳ । ୧୯୭୮ରୁ ୨୦୧୪ ପର୍ଯ୍ୟନ୍ତ ବିଶ୍ବକପ୍ର ଗ୍ରୁପ୍ ପର୍ଯ୍ୟାୟ ବାଧା ପାରି କରିବାରେ ବିଫଳ ହୋଇଛି ଭାରତ। ତେବେ ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ପ୍ରତିଭାଶାଳୀ ଭାରତୀୟ ଦଳ ନିଃସନ୍ଦେହରେ ଅନ୍ୟ ଶୀର୍ଷ ଦଳଗୁଡ଼ିକ ସହ ପଦକ ଦାବିଦାର ରହିଛି । ସଂପ୍ରତି ବିଶ୍ବ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଭାରତ ନିକଟରେ ଏକ ନମ୍ବର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୧-୪ରେ ହାରିଥିଲେ ମଧ୍ୟ ପ୍ରଦର୍ଶନ ଚମତ୍କାର ରହିଥିଲା ।
ଗ୍ରାହମ ରିଡ୍ଙ୍କ ପ୍ରଶିକ୍ଷିତ ଏହି ଦଳ ବିଶ୍ବକପ୍ର ପ୍ରମୁଖ ଦାବିଦାର ଥିବା ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ବିଭିନ୍ନ ବିଭାଗରେ ସମକକ୍ଷ ରହିବା ସହ ଏହି ଦଳ ବିପକ୍ଷରେ ୬ ବର୍ଷ ପରେ ପ୍ରଥମ ବିଜୟ ପାଇଥିଲା । ଭୁବନେଶ୍ବରରେ ଆୟୋଜିତ ଗତ ସଂସ୍କରଣର କ୍ବାର୍ଟରଫାଇନାଲ୍ରେ ଉପବିଜେତା ନେଦରଲାଣ୍ଡ୍ସଠୁ ହାରି ଭାରତ ବିଦାୟ ନେଇଥିଲା । ଚଳିତ ବର୍ଷ ଅତିକମ୍ରେ ସେମିଫାଇନାଲ୍ରେ ପହଞ୍ଚିବାକୁ ଚାହିଁବ ଘରୋଇ ଦଳ । ଏଫ୍ଆଇଏଚ୍ ପ୍ରୋ ଲିଗ୍ (୨୦୨୧-୨୨)ରେ ଭଲ ପ୍ରଦର୍ଶନ କରି ଭାରତ ତୃତୀୟ ସ୍ଥାନରେ ରହିଥିଲା । ଏହା ଦଳକୁ ଆତ୍ମବିଶ୍ବାସ ଏବଂ ବିଜୟ ମାନସିକତା ଦେଇଛି । ୨୦୧୯ରେ ପ୍ରଶିକ୍ଷଣ ଦାୟିତ୍ବ ରିଡ୍ ନେବା ପରଠୁ ଦଳର ପ୍ରଦର୍ଶନରେ ଉନ୍ନତି ଘଟି ଚାଲିଛି ।