କାଲିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ: କୋହଲିଙ୍କ ନୂଆ ଭୂମିକାକୁ ନେଇ ଚର୍ଚ୍ଚା

293

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଟେଷ୍ଟ୍ ଶୃଙ୍ଖଳା ଜିତିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିବା ଭାରତୀୟ କ୍ରିକେଟ୍ ଦଳ ଆଉ ଏକ କଠିନ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯାଉଛି। ବୁଧବାରଠାରୁ ଦଳ ଜଣେ ନୂଆ ଅଧିନାୟକଙ୍କ ଅଧୀନରେ ଦକ୍ଷିଣ ଆଫ୍ରିକା‌ ବିପକ୍ଷରେ ତିନି ଟିକିଆ ଏକଦିବସୀୟ ଶୃଙ୍ଖଳା ଖେଳିବ। ଏଣୁ ଟେଷ୍ଟ୍ ଶୃଙ୍ଖଳାର ବିଫଳତାକୁ ଭୁଲି ଏବେ ଟିମ୍ ଇଣ୍ଡିଆକୁ ସୀମିତ ଓଭର ଶୃଙ୍ଖଳାକୁ ଗୁରୁତ୍ବ ଦେବାକୁ ହେବ। ଚୟନକର୍ତ୍ତା ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦେଇଥିବାରୁ ତାଙ୍କୁ ଏବେ ନୂଆ ଭୂମିକାରେ ଦେଖିବାକୁ ମିଳିବ। କେଏଲ୍ ରାହୁଲଙ୍କ ନେତୃତ୍ବରେ ଖେଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। କାରଣ ଶୃଙ୍ଖଳାର ଫଳାଫଳ ଯାହା‌ ହେଉନା କାହିଁକି ସବୁ ସ୍ପଟଲାଇଟ୍ କୋହଲିଙ୍କ ଉପରେ ହିଁ ରହିବ।

ପାଞ୍ଚବର୍ଷରେ ପ୍ରଥମ
୨୦୧୬ ମସିହା ପରେ ବିରାଟ କୋହଲି ପ୍ରଥମ ଥର ପାଇଁ ଜଣେ ସାଧାରଣ ଖେଳାଳି ଭାବେ ଭାରତୀୟ ଦଳର ପ୍ରତିନିଧିତ୍ବ କରିବେ। ଏଣୁ ଏହାକୁ ସେ କିଭଳି ଭାବେ ନେଉଛନ୍ତି, ସେ ଚର୍ଚ୍ଚା ଏବେ ଚାରିଆଡ଼େ ଚାଲିଛି। ଦଳର ଜଣେ ବରିଷ୍ଠ ଖେଳାଳି ଏବଂ ପୂର୍ବତନ ଅଧିନାୟକ ଭାବେ କେଏଲ୍ ରାହୁଲଙ୍କୁ ସେ କିଭଳି ସମର୍ଥନ ଦେଉଛନ୍ତି, ତାହା ମଧ୍ୟ ଦେଖିବାକୁ ହେବ। ୨୦୨୦ ମସିହାଠାରୁ କୋହଲି ୧୨ ଦିନିକିଆ ଖେଳି ୯୦.୯୦ର ଷ୍ଟ୍ରାଇକ୍ ରେଟ୍ ଏବଂ ୪୮.୬୬ ହାରରେ ସେ ୫୬୦ ରନ୍ କରିଛନ୍ତି।

ଧାୱନଙ୍କ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ
ଗତବର୍ଷ ଜୁଲାଇ ମାସରେ ଭାରତୀୟ ଦ୍ବିତୀୟସ୍ତରୀୟ ଦଳର ଶ୍ରୀଲଙ୍କା ଗସ୍ତରେ ବରିଷ୍ଠ ଓପନର୍‌ ଶିଖର ଧାୱନ ଦଳର ଅଧିନାୟକ ଥିଲେ। ଭାରତ ସେହି ଗସ୍ତରେ ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ ବି କରିଥିଲା। ସେହିଦୃଷ୍ଟିରୁ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ସେ ଭାରତୀୟ ଦଳରେ ରହିବେ ବୋଲି ଆଶା କରାଯାଉଥିଲା। ହେଲେ ଚୟନକର୍ତ୍ତା ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କୁ ବାଛିବା ସହ ଈଶାନ କିଶନଙ୍କୁ ତୃତୀୟ ଓପନର ଭାବେ ଦଳରେ ରଖିଥିଲେ। ପୂର୍ବରୁ ଟେଷ୍ଟ୍ ଦଳରୁ ବାଦ ପଡ଼ି ସାରିଥିବାରୁ ଧାୱନଙ୍କ ପାଇଁ ଦିନିକିଆ ଫର୍ମାଟର ଗୁରୁତ୍ବ ପୂର୍ବାପେକ୍ଷା ବଢ଼ିଛି। ୩୬ ବର୍ଷୀୟ ଧାୱନଙ୍କ ସପକ୍ଷରେ ବୟସ ନଥିଲା ବେଳେ ବିଜୟ ହଜାରେ ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ମଧ୍ୟ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛନ୍ତି ସେ। ଏହି ପ୍ରତିଯୋଗିତାରେ ଖେଳିଥିବା ୫ ମ୍ୟାଚ୍‌ରୁ ମାତ୍ର ୫୬ ରନ୍ କରିଛନ୍ତି ଧାୱନ। ଅନ୍ୟପକ୍ଷରେ ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଋତୁରାଜ ଗାଏକ୍ବାଡ୍ ସେହି ୫ ମ୍ୟାଚ୍‌ରୁ ୪ ଶତକ ସହ ୬୦୩ ରନ୍ କରିଛନ୍ତି। ଏଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଶୃଙ୍ଖଳା ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଦୃଷ୍ଟିରୁ ଧାୱନଙ୍କ ପାଇଁ ବ୍ୟକ୍ତିଗତ ଭାବେ ଢେର ମହତ୍ବପୂର୍ଣ୍ଣ ହେବ।

କେଉଁ ସ୍ଥାନରେ ବ୍ୟାଟିଂ କରିବେ ରାହୁଲ?
ଗତ ଦୁଇ ବର୍ଷ ଧରି ଦିନିକିଆ କ୍ରିକେଟ୍‌ରେ କେଏଲ୍ ରାହୁଲ ମଧ୍ୟକ୍ରମରେ ବ୍ୟାଟିଂ କରି ଆସୁଛନ୍ତି। ସେଠାରେ ସେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୧୦୯.୯୨ର ଷ୍ଟ୍ରାଇକ୍ ରେଟ୍‌ ସହ ୬୯.୨୫ ହାରରେ ୫୫୪ ରନ୍ କରିଛନ୍ତି। ହେଲେ ରୋହିତ ଶର୍ମା ଦଳରେ ନଥିବାରୁ ଓପନର୍‌ ଭାବେ ଖେଳିବାର ବିକଳ୍ପ ତାଙ୍କ ପାଖରେ ରହିଛି। ରାହୁଲ ଶୀର୍ଷକ୍ରମରେ ଖେଳିଲେ ମଧ୍ୟକ୍ରମରେ ଶ୍ରେୟସ ଆୟର, ସୂର୍ୟ୍ୟକୁମାର ଯାଦବ ଓ ଋଷଭ ପନ୍ତ ଖେଳିବେ। ରାହୁଲ ପୂର୍ବଭଳି ମଧ୍ୟକ୍ରମରେ ଖେଳିଲେ ଈଶାନ କିଶନ କିମ୍ବା ଋତୁରାଜ ଗାଏକ୍ବାଡ୍‌ଙ୍କ ଭିତରୁ ଜଣେ ଶିଖର ଧାୱନଙ୍କ ସହ ପାଳି ଆରମ୍ଭ କରିବେ। ରାହୁଲଙ୍କ ଉପରେ ଅଧିନାୟକତ୍ବର ଅତିରିକ୍ତ ଭାର ବି ରହିବ।

ଭେଙ୍କଟେଶଙ୍କ ଅଲରାଉଣ୍ଡ ଭୂମିକା
ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଭେଙ୍କଟେଶ ଆୟର ଅଲରାଉଣ୍ଡର ଭୂମିକା ନେଇ ପାରନ୍ତି। କାରଣ ଏହି ପ୍ରତିଯୋଗିତାରେ ସେ ଉଭୟ ବଲ୍ ଏବଂ ବ୍ୟାଟ୍‌ରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଉପଯୋଗୀ ବ୍ୟାଟିଂ ସହ ପୂରା ୧୦ ଓଭର ବୋଲିଂ କରିବାକୁ ବି ଆୟର ବେଶ୍ ସକ୍ଷମ। ହାର୍ଦିକ ପାଣ୍ଡ୍ୟା ଦଳରେ ନଥିବାରୁ ନିଜ ଅଲରାଉଣ୍ଡ୍ ଦକ୍ଷତାକୁ ପ୍ରଦର୍ଶନ କରିବା ଲାଗି ଆୟରଙ୍କ ପାଇଁ ଏହି ଶୃଙ୍ଖଳା ବଳିଷ୍ଠ ମଞ୍ଚ ହେବ।

ଅଶ୍ବିନଙ୍କ ପ୍ରତ୍ୟାବର୍ତ୍ତନ
ଆର ଅଶ୍ବିନ ଶେଷ ଥର ପାଇଁ ଜୁନ୍ ୨୦୧୭ରେ ଏକଦିବସୀୟ କ୍ରିକେଟ୍ ଖେଳିଥିଲେ। ଗତବର୍ଷ ଅବଶ୍ୟ ଟ୍ବେଣ୍ଟି-୨୦ କ୍ରିକେଟ୍‌କୁ ଫେରି ସାରିଛନ୍ତି ସେ। ସେଠାରେ ସେ ୩ ମ୍ୟାଚ୍‌ରୁ ୬ ୱିକେଟ୍ କରାୟତ୍ତ କରିଥିଲେ। ତେବେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ଲାଗି ତାଙ୍କୁ ୟୁଝବେନ୍ଦ୍ର ଚହଲଙ୍କୁ ପଛରେ ପକାଇବାକୁ ହେବ।