ରାଂଚି ଟେଷ୍ଟରେ ଭାରତର ଦମଦାର ବିଜୟ: ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୧୩୩ରନରେ ସୀମିତ;୨୦୨ ରନରେ ଜିତିଲା ଟିମ୍ ଇଣ୍ଡିଆ

୩-୦ରେ ଭାରତର ସିରିଜ୍ ମୂଳପୋଛ

539

କନକ ବ୍ୟୁରୋ: ଟିମ ଇଣ୍ଡିଆର ଦୀପାବଳି ଭେଟି । ରାଂଚି ଟେଷ୍ଟରେ ଭାରତର ଦମଦାର ବିଜୟ । ଏହା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି ବିରାଟ ବାହିନୀ । ଆଜି ଚତୁର୍ଥ ଦିନର ଖେଳ ମାତ୍ର ୧୦ ମିନିଟରେ ଶେଷ ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଅର୍ଡର ଫେଲ ମାରିଥିଲା । ଦଳ ୧୩୩ ରନରେ ସୀମିତ ରହିଥିଲା । ଭାରତ ଏକ ଇନିଂସ ଓ ୨୦୨ ରନରେ ବିଜୟୀ ହୋଇଛି । ଭାରତ ପ୍ରଥମ ଇନିଂସ ୪୯୭ରେ ଘୋଷଣା କରିଥିଲା । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୬୨ ରନ କରିପାରିଥିଲା ।

ସୋମବାର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ୮ ୱିକେଟ ହରାଇ ୧୩୨ ରନ କରିଥିଲା । ଫଳରେ ରାଂଚି ଟେଷ୍ଟ ବିଜୟ ସହ ୩-୦ରେ ସିରିଜର ମୂଳପୋଛ ଠାରୁ ମାତ୍ର ୨ ୱିକେଟ ଦୂରରେ ରହିଥିଲା ଟିମ ଇଣ୍ଡିଆ । ଭାରତର ୪୯୭ରେ ପାଳି ଘୋଷଣା ପରେ ୧୬୨ ରନ କରି ଫୋଲଅନ ହୋଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସୋମବାର ଦକ୍ଷିଣ ଆଫ୍ରିକା ଦଳ ୮ ୱିକେଟ ହରାଇ ୧୩୨ରନ କରି ଲଜ୍ଜାଜନକ ପରାଜୟର ଦ୍ୱାର ଦେଶରେ ପହଂଚିଥିଲା । ଆଜି ପୁଣି ୧୩୨ରନରୁ ଖେଳ ଆରମ୍ଭ କରିଥିଲା ସାଉଥ ଆଫ୍ରିକା ।

ତେବେ ସଂପୂର୍ଣ୍ଣ ୨ ଦିନର ଖେଳ ବାକି ଥିବାରୁ ଭାରତର ବିଜୟ ପୂରା ନିଶ୍ଚିତ ହୋଇ ଯାଇଥିଲା । କେବଳ ଦକ୍ଷିଣ ଆଫ୍ରିକା ଦଳକୁ ଦ୍ୱିତୀୟ ଥର ଅଲଆଉଟ କରିବା ଔପଚାରିକତା ବାକି ରହିଥିଲା । ଆଜି ସାଉଥ ଆଫ୍ରିକାକୁ ହରାଇ ଭାରତ ଶୃଙ୍ଖଳା ମୂଳପୋଛର ଗୌରବ ହାସଲ କରିଛି । ପୁନେ ଟେଷ୍ଟକୁ ୪ ଦିନରେ ଜିତିଥିବା କୋହଲି ବାହିନୀ ରାଂଚି ଟେଷ୍ଟରେ ମଧ୍ୟ ସେହି ସଫଳତା ଦୋହରାଇଛି ।