ରାଞ୍ଚି ଟେଷ୍ଟ ପୂର୍ବରୁ ଟିମଇଣ୍ଡିଆକୁ ଝଟକା । ଆଘାତ ଯୋଗୁଁ ଦଳରୁ ବାଦ୍ ପଡିଲେ କୁଲଦୀପ ଯାଦବ । ଚୂଡାନ୍ତ ଏକାଦଶରେ ରହିପାରନ୍ତି ଶାହବାଜ ନଦିମ

ସେପଟେ ଧୋନୀ ନଥିବାରୁ ମ୍ୟାଚ୍ ପାଇଁ ବିକ୍ରି ହୋଇଛି ମାତ୍ର ୧୫ ଶହ ଟିକେଟ୍

734

କନକ ବ୍ୟୁରୋ: ରାଂଚି ଟେଷ୍ଟ ଆଜିଠାରୁ ଆରମ୍ଭ ହେଉଛି । ତେବେ ରାଂଚି ଟେଷ୍ଟ ପୂର୍ବରୁ ଟିମଇଣ୍ଡିଆକୁ ଲାଗିଛି ଝଟକା । ଆଘାତ କାରଣରୁ ଦଳରୁ ବାଦ୍ ପଡିଛନ୍ତି ସ୍ପିନର କୁଲଦୀପ ଯାଦବ । ଶୁକ୍ରବାର ସଂଧ୍ୟାରେ କୁଲଦୀପ ବାମ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଥିବା ଟିମ ମ୍ୟାନେଜମେଂଟକୁ ଜଣାଇଥିଲେ । ଏହା ପରେ ଏହି ବାମହାତୀ ସ୍ପିନରଙ୍କୁ ତୃତୀୟ ଟେଷ୍ଟରୁ ବାଦ୍ ଦେଇ ଝାଡଖଣ୍ଡର ଶାହବାଜ ନଦିମଙ୍କୁ ଦଳରେ ସ୍ଥାନ ଦେଇଛି ବିସିସିଆଇ । ନଦୀମ ଏବେ ଝାଡଖଣ୍ଡ ଓ ଭାରତ ଏ ପକ୍ଷରୁ ଖେଳୁଛନ୍ତି ।

ଚଳିତ ସିଜିନରେ ତାଙ୍କର ପ୍ରଦର୍ଶନ ବି ବେଶ୍ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା ସେ ୫୦ରୁ ଅଧିକ ୱିକେଟ ହାସଲ କରି ସାରିଛନ୍ତି । ୩୦ ବର୍ଷୀୟ ନଦୀମ୍ ୧୧୦ ପ୍ରଥମ ଶ୍ରେଣୀ ମ୍ୟାଚରୁ ୪୨୪ ୱିକେଟ୍ ଦଖଲ କରିଛନ୍ତି । ୨୦୧୮ ମସିହାରେ ଇଣ୍ଡିଜ ବିପକ୍ଷ ଟି ୨୦ ସିରିଜ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା । ହେଲେ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା । ତେବେ କ୍ରମାଗତ ଭଲ ପ୍ରଦର୍ଶନର ପୁରସ୍କାର ସ୍ୱରୂପ ତାଙ୍କୁ ଜାତୀୟ ଦଳରେ ସାମିଲ ପାଇଁ ଡାକରା ମିଳିଛି । ତେଣୁ ଏବେ ରାଂଚିରେ ଲୋକାଲ ବଏ ନଦୀମଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ଘରୋଇ ଦର୍ଶକ ଆଶାବାଦୀ ଅଛନ୍ତି ।

ଆଜିଠାରୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ । ଝାଡଖଣ୍ଡ ରାଂଚିରେ ଖେଳାଯିବ ମ୍ୟାଚ୍ । ତେବେ ସବୁଠାରୁ ବଡ କଥା ହେଉଛି ଏହି ମ୍ୟାଚ୍ ପାଇଁ ହୋମ୍ ଗ୍ରାଉଣ୍ଡରେ ଦର୍ଶକ ଦେଖିବାକୁ ପାଇବେନି ଧୋନୀଙ୍କ ଖେଳ । ହୋମ୍ ଗ୍ରାଉଣ୍ଡରେ ଟିମରେ ମାହୀ ନଥିବାରୁ ଦର୍ଶକ ମଧ୍ୟ ଟିକେଟ୍ କିଣିବା ପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି । ଏହା ସତ ଯେ ଟେଷ୍ଟ କ୍ରିକେଟରୁ ଧୋନୀ ଅବସର ନେଇ ସାରିଛନ୍ତି । ତେବେ ଯଦି ଧୋନୀ ଟିମ ସହିତ ଆସିଥାନ୍ତେ, ତେବେ ଏହା ମଧ୍ୟ ଦର୍ଶକଙ୍କ ପାଇଁ ବଡ ଖୋରାକ୍ ହୋଇଥାନ୍ତା । ଦର୍ଶକ ତାଙ୍କର ଏକ ଝଲକ ପାଇ ପାରିଥାନ୍ତେ ।

ଧୋନୀଙ୍କ ବିନା ରାଂଚି ଟେଷ୍ଟ ଏବେ ଫିକା ଲାଗିବା ଅନୁଭବ ହେଲାଣି । କାରଣ ଶେଷ ଖବର ସୁଦ୍ଧା ରାଂଚି ଟେଷ୍ଟ ପାଇଁ ମାତ୍ର ୧୫ ଶହରୁ ୨ ହଜାର ମଧ୍ୟରେ ଟିକେଟ୍ ବିକ୍ରି ହୋଇଥିବା ସୂଚନା ମିଳିଛି । ରାଂଚି ଷ୍ଟାଡିୟମର କ୍ଷମତା ରହିଛି ୩୯ ହଜାର । ଗୋଟିଏ ଦିନ ମ୍ୟାଚ୍ ଦେଖିବାକୁ ଟିକେଟ୍ ର ମୂଲ୍ୟ ରହିଛି ମାତ୍ର ୨୫୦ ଟଙ୍କା । ଟିକେଟ୍ ବିକ୍ରି ପାଇଁ ୫ଟି କାଉଁଟର ଖୋଲାଯାଇଛି । ହେଲେ ମାନ୍ଦା ଟିକେଟ୍ ବିକ୍ରି ଚିନ୍ତା ଜନକ ରହିଛି । ଟେଷ୍ଟ କ୍ରିକେଟରେ ଭାରତୀୟ ଟିମ୍ ଭଲ କରୁଥିବା ବେଳେ ଗ୍ୟାଲେରୀ ଖାଲି ଖାଲି ଦେଖିବାକୁ ଭଲ ଲାଗିବନି । ତେବେ ରାଂଚି ରେ ଏପରି ଏକ ଚିତ୍ର ଦେଖିବାକୁ ମିଳିବ ଆଗୁଆ ଆଶଙ୍କା ସୃଷ୍ଟି ହୋଇଛି । ଧୋନୀଙ୍କ ବିନା ରାଂଚିରେ ମ୍ୟାଚ୍ ଫିକା ବୋଲି ଚର୍ଚ୍ଚା ବି ହେଉଛି ।