ଆଜି ଅନ୍ତିମ ଟି-୨୦ । ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସେପଟେ ମ୍ୟାଚ୍ ଜିତି ସିରିଜ୍ ବରାବର ଲକ୍ଷ୍ୟ ରଖିଛି ସାଉଥ-ଆଫ୍ରିକା ।

260

କନକ ବ୍ୟୁରୋ : ଆଜି ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ । ବାଙ୍ଗାଲୁରର ଏନ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଟି-୨୦ ସିରିଜରେ ଏବେ ୧-୦ରେ ଆଗୁଆ ରହିଛି ଭାରତ । ତେଣୁ ବେଙ୍ଗାଲୁରୁରେ ଆଜି ମ୍ୟାଚ୍ ଜିତି ଭାରତ ସିରିଜ କବଜା କରିବା ଲକ୍ଷ୍ୟରେ ରହିବ । ମୋହାଲିରେ ଚମତ୍କାର ବିଜୟ ଲାଭ କରିଥିବା ବିରାଟ ବାହିନୀ ବେଙ୍ଗାଲୁରୁରେ ଆଉ ଏକ ବିଜୟ ପାଇଁ ପୁରା ପ୍ରସ୍ତୁତି କରିଛି । ସେପଟେ ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା ।

ରୋହିତଙ୍କ ପାଖରେ କୋହଲିଙ୍କୁ ଟପିବା ସୁଯୋଗ : 
ମୋହାଲିରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟ୍ୱେଣ୍ଟି-୨୦ରେ ଭାରତୀୟ ଅଧିନାୟକ ବିରାଟ ‌କୋହଲି ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଟପି ଟ୍ୱେଣ୍ଟି-୨୦ର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ । ରବିବାରର ତୃତୀୟ ମୁକାବିଲାରେ ରୋହିତଙ୍କ ପାଖରେ କୋହଲିଙ୍କୁ କାଟିବାର ସୁଯୋଗ ରହିବ । କାରଣ ରୋହିତ (୨୪୩୪) ସଂପ୍ରତି କୋହଲି (୨୪୪୨)ଙ୍କଠାରୁ ମାତ୍ର ୭ ରନ୍ ପଛରେ ରହିଛନ୍ତି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ପାଖରେ ମଧ୍ୟ ଏହି ମ୍ୟାଚ୍‌ରେ କୀର୍ତ୍ତିମାନ କରିବାର ସୁଯୋଗ ଅଛି । ଶିଖର ଏହି ମ୍ୟାଚ୍‌ରେ ୪ ରନ୍ କରି ପାରିଲେ ଟ୍ବେଣ୍ଟି-୨୦ରେ ୭,୦୦୦ ରନ୍ ପୂରଣ କରିବେ । ଏଭଳି କରିବାରେ ସେ କୋହଲି, ସୁରେଶ ରାଇନା ଓ ରୋହିତ ଶର୍ମାଙ୍କ ପରେ ଚତୁର୍ଥ ଭାରତୀୟ ହେବେ ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ୍ ଆୟର, ଋଷବ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୱାସିଂଟନ ସୁନ୍ଦର, ଦୀପକ ଚହର, କ୍ରୁନାଲ ପାଣ୍ଡ୍ୟା/ ରାହୁଲ ଚହର/ଖଲିଲ ଅହମ୍ମଦ, ନଭଦୀପ ସଇନି।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’ କକ୍ (ଅଧିନାୟକ), ରସି ଭାନଡର ଦୁସେନ, ଟେମ୍ବା ବଭୁମା, ଡେଭିଡ୍ ମିଲର, କାଗି‌ସୋ ରବାଦା, ତାବ୍ରାଇଜ୍ ସାମି, ଡ୍ବେନ୍ ପ୍ରିଟୋ‌ରିୟସ୍, ଆନ୍ଦିଲ ଫେଲୁକ୍ବାଓ, ବିୟର୍ନ ଫରଟ୍ବିନ୍, ଆନରିଚ୍ ନର୍ତଜେ, ରେଜା ହେଣ୍ଡ୍ରିକ୍ସ।