ପୁଣେ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ । ବ୍ୟାଟିଂ ପରେ ବୋଲିଂରେ ଦମ୍ ଦେଖାଇଲେ ଟିମ୍ ଇଣ୍ଡିଆ, ୨୭୫ ରନରେ ଅଲଆଉଟ୍ ହେଲା ଦକ୍ଷିଣଆଫ୍ରିକା ।

218

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥିତିରେ ପୁଣେ ଟେଷ୍ଟ । ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ପ୍ରଥମେ ଦମଦାର ବ୍ୟାଟିଂ କରିଥିବା ବିରାଟ ବାହିନୀ ବୋଲିଂରେ ମଧ୍ୟ ଦମ୍ ଦେଖାଇଛି । ତୃତୀୟ ଦିନରେ ମାତ୍ର ୨୭୫ ରନରେ ଦକ୍ଷିଣଆଫ୍ରିକାକୁ ଅଲଆଉଟ୍ କରିଛି ଟିମ୍ ଇଣ୍ଡିଆ ।

ପୁଣେରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଦ୍ୱିଶତକୀୟ ଇନିଂସ ଏବଂ ମୟଙ୍କ ଅଗ୍ରୱାଲଙ୍କ ଦମଦାର ଶତକ ବଳରେ ୫ଟି ୱିକେଟ୍ ହରାଇ ଦକ୍ଷିଣଆଫ୍ରିକା ସାମ୍ନାରେ ୬୦୨ ରନର ଏକ ବିଶାଳ ସ୍କୋର ଛିଡା କରିଥିଲା ଭାରତ ।

ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଦକ୍ଷିଣଆଫ୍ରିକା ଖେଳାଳୀଙ୍କୁ ଅଡୁଆରେ ପକାଇଥିଲେ ଟିମ୍ ଇଣ୍ଡିଆର ଖେଳାଳୀ । ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ପିନ ଆଗରେ ଧରାଶାୟୀ ହୋଇପଡିଥିଲା ଦଳ । ଆଉ ଶେଷରେ ମାତ୍ର ୨୭୫ ରନ୍ କରିବାକୁ ସକ୍ଷମ ହୋଇଥିଲା ଦକ୍ଷିଣଆଫ୍ରିକା । ଏହା ସହ ଭାରତ ଠାରୁ ଦଳ ୩୨୬ ରନ୍ ପଛରେ ରହିଛି । ଆହୁରି ଦୁଇ ଦିନ ଖେଳ ବାକି ଥିବାରୁ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଦୃଢ ସ୍ଥିତିରେ ରହିଛି ବିରାଟ ବାହିନୀ ।