ଜୁନରେ ମ୍ୟାଚ୍, ଏବେଠୁ ଟିକେଟ ଶେଷ । ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଜବରଦସ୍ତ କ୍ରେଜ, ଟିକେଟ ମୂଲ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

231

କନକ ବ୍ୟୁରୋ : ଆସନ୍ତା ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବ ଟି-୨୦ ବିଶ୍ୱକପ । ୫ ଜୁନରୁ ଭାରତ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆୟର୍ଲାଣ୍ଡ ବିପକ୍ଷରେ ଆରମ୍ଭ କରିବ । ସେହିଭଳି ଦ୍ୱିତୀୟ ମୁକାବିଲା ୯ ଜୁନରେ ଖେଳାଯିବ । ଯେଉଁ ମ୍ୟାଚ୍ ଉପରେ ବିଶ୍ୱ କ୍ରିକେଟପ୍ରେମୀଙ୍କର ନଜର ରହିଛି । କାରଣ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ ମୁକାବିଲା । ଜୁନରେ ମ୍ୟାଚ୍ ଥିଲେ ମଧ୍ୟ ଏବେଠୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଟିକେଟ ବିକ୍ରି ବେଳେ ସବୁଠୁ ଅଧିକ କ୍ରେଜ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ରହିଛି । ଏପରିକି ପ୍ରଥମ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ମଧ୍ୟ ବିକ୍ରି ସରିଛି ।

ଆଇସିସିର ଅଧୀକୃତ ୱେବସାଇଟରେ ଟିକେଟ ବିକ୍ରି ହୋଇସାରିଥିବା ବେଳେ ଏବେ ପୁଣିଥରେ ରିସେଲ ପ୍ଲାଟଫର୍ମରେ ବିକ୍ରି ଆରମ୍ଭ ହୋଇଛି । ଷ୍ଟବହବ ଓ ସିଟଗିକ ପ୍ଲାଟଫର୍ମରେ ଏହି ଟିକେଟ ବିକ୍ରି ହେଉଛି । ସବୁଠୁ ବଡ କଥା ହେଲା ଏହି ରିସେଲ ପ୍ଲାଟଫର୍ମରେ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ରହିଛି । ଷ୍ଟବହବ ପ୍ଲାଟଫର୍ମରେ ଭାରତ-ପାକିସ୍ତାନ ମ୍ୟାଚର ସବୁଠୁ ଶସ୍ତା ଟିକେଟ ୧.୦୪ ଲକ୍ଷ ଟଙ୍କା ରହିଛି । ସେହିଭଳି ସିଟଗିକରେ ସବୁଠୁ ମହଙ୍ଗା ଟିକେଟର ମୂଲ୍ୟ ୧.୮୬ କୋଟି ଟଙ୍କା ରହିଛି । ଏହାପୂର୍ବରୁ ୨୦୨୩ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚର ସର୍ବାଧିକ ଟିକେଟ ମୂଲ୍ୟ ୫୭.୧୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।