ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଅଧିନାୟକଙ୍କ ବଡ ବୟାନ । କହିଲେ, ଏଥର ଭାରତ ବିପକ୍ଷ ମ୍ୟାଚରେ ଆମେ ଜିତିବୁ, ଟିମ୍ ଇଣ୍ଡିଆ ହାରିବ ।

640

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ମ୍ୟାଚ୍ ଖେଳି ଏଥର ଅଭିଯାନ ଆରମ୍ଭ କରିବ । ଅକ୍ଟୋବର ୨୪ ତାରିଖରେ କ୍ରିକେଟ୍ ପଡିଆରେ ଏହି ଦୁଇ ଦେଶର ଖେଳାଳି ଏକ ପ୍ରକାରର ଯୁଦ୍ଧ ଲଢିବେ । ହେଲେ ଏହାପୂର୍ବରୁ ପାକିସ୍ତାନ କ୍ରିକେଟ୍ ଟିମର ଅଧିନାୟକ ବାବର ଆଜମ୍ ଏହି ମ୍ୟାଚକୁ ନେଇ ଏକ ବଡ ବୟାନ ଦେଇଛନ୍ତି ।

ଆଇସିସି ୱେବସାଇଟ୍ ସହିତ କଥାବାର୍ତ୍ତାରେ ବାବର୍ କହିଛନ୍ତି, ତାଙ୍କୁ ପୂରା ବିଶ୍ୱାସ ଅଛି, ଏଥର ଭାରତ ବିପକ୍ଷରେ ସେମାନେ ନିଶ୍ଚୟ ବିଜୟୀ ହେବେ । ଗତ ତିନି-ଚାରି ବର୍ଷ ହେଲା ୟୁଏଇରେ ଖେଳିବା ନେଇ ପାକିସ୍ତାନର ଅନୁଭବ ଅଧିକ ରହିଛି । ଯାହାକି ଦଳ ପାଇଁ ଲାଭଦାୟକ ହେବ । ଖାଲି ସେତିକି ନୁହେଁ, ଏଠାକାର ପରିବେଶ ମଧ୍ୟ ପାକିସ୍ତାନ ଖେଳାଳିମାନେ ବେଶ୍ ଭଲ ଭାବେ ଜାଣିଛନ୍ତି, ତେଣୁ ମ୍ୟାଚ୍ ଦିନ ଭାରତକୁ ହରାଇବାରେ ପାକିସ୍ତାନ ସଫଳ ହେବ ବୋଲି ବାବର୍ ଆଜମ୍ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ୨୪ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଲିଗ୍ ମ୍ୟାଚ୍ ଖେଳାଯିବ । ଯାହାକି ୟୁଏଇର ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଦୁଇ ଦେଶର ଖେଳାଳିଙ୍କ ଅନୁଭବକୁ ବିଚାର କଲେ, ଏହି ଷ୍ଟାଡିୟମରେ ପାକିସ୍ତାନ ଖେଳାଳି ଅଧିକ ମ୍ୟାଚ୍ ଖେଳିଛନ୍ତି । କାହିଁକି ନାଁ ପାକିସ୍ତାନକୁ ଯିବାକୁ ଅନ୍ୟ ଦେଶର ଖେଳାଳିମାନେ ମନା କରିବା ପରଠାରୁ ପାକିସ୍ତାନ ନିଜର ହୋମ୍ ଗ୍ରାଉଣ୍ଡ ଭାବେ ୟୁଏଇରେ ମ୍ୟାଚ୍ ଖେଳିଆସୁଛି । ଏହି କାରଣରୁ ସେଠାକାର ପରିବେଶ ନେଇ ଦଳର ଖେଳାଳିମାନେ ବେଶ ପରିଚିତ ।

ବିଶ୍ୱକପରେ ଭାରତଠାରୁ କୌଣସି ମ୍ୟାଚ୍ ଜିତିନି ପାକିସ୍ତାନ

ଟି-୨୦ ବିଶ୍ୱକପ୍ ହେଉ ଅବା ଦିନିକିଆ ବିଶ୍ୱକପ୍ , ଆଜି ପର୍ଯ୍ୟନ୍ତ ଭାରତ ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଜିତିପାରିନି ପାକିସ୍ତାନ କ୍ରିକେଟ୍ ଦଳ । ଟି-୨୦ ବିଶ୍ୱକପରେ ଦୁଇ ଦଳ ଏଯାବତ ୫ଟି ମ୍ୟାଚ୍ ଖେଳିଥିବାବେଳେ ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି । ସେହିପରି ଦିନିକିଆ ବିଶ୍ୱକପରେ ମଧ୍ୟ ପାକିସ୍ତାନ ଦଳ ଭାରତକୁ କଦାପି ପରାଜିତ କରିପାରିନି ।