କନକ ବ୍ୟୁରୋ : ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚକୁ ସବୁବେଳେ କ୍ରିକେଟପ୍ରେମୀ ଚାହିଁ ବସିଥାନ୍ତି । ଭାରତ-ପାକିସ୍ତାନ ମ୍ୟାଚରେ ଷ୍ଟାଡିୟମ ହାଉସଫୁଲ ରୁହେ । ହଜାର ହଜାର କ୍ରିକେଟପ୍ରେମୀଙ୍କ ଗହଣରେ ଖେଳାଯାଏ ହାଇଭୋଲଟେଜ ମୁକାବିଲା । ପଡିଆ ଭିତରେ ଖେଳାଳୀଙ୍କ ଅପେକ୍ଷା ପଡିଆ ବାହାରେ ଥିବା ପ୍ରଂଶସକ ମ୍ୟାଚକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି । ଭାରତ-ପାକିସ୍ତାନ ମ୍ୟାଚରେ ସବୁବେଳେ ଟିକେଟର ଅଭାବ ଦେଖିବାକୁ ମିଳିଥାଏ । କାରଣ ମ୍ୟାଚର ବେଶ କିଛି ଦିନ ପୂର୍ବରୁ ହିଁ ସମସ୍ତ ଟିକେଟ ବିକ୍ରି ହୋଇ ଯାଇଥାଏ । ତେବେ ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ କେବଳ ଏହି ଦୁଇ ଦେଶ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ । ବରଂ ଏହି ହାଇଭୋଲଟେଜ ମ୍ୟାଚର କ୍ରେଜ ବିଶ୍ୱବ୍ୟାପୀ ରହିଛି । ଯାହାର ଝଲକ ପୁଣିଥରେ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ବାସ୍ କେଇ ମିନିଟରେ ଶେଷ ହୋଇଯାଇଛି । ଆସନ୍ତା ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଖେଳାଯିବ ।

Advertisment

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଫାଇନାଲ ସମେତ ଖେଳାଯିବାକୁ ଥିବା ୪୫ଟି ମ୍ୟାଚର ଟିକେଟ ବିକ୍ରି ଆରମ୍ଭ ହୋଇଛି । ଅନ୍ୟ ସବୁ ମ୍ୟାଚର ଟିକେଟ ଉପଲବ୍ଧ ଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ଓ ଫାଇନାଲ ମୁକାବିଲା ପାଇଁ ମାତ୍ର କେଇ ମିନିଟ୍ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ଶେଷ ହୋଇଛି । ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯାଉଛି । ଆଉ ଡିଫେଣ୍ଡିଂ ଚାମ୍ପିୟନ ଭାବେ ଅଷ୍ଟ୍ରେଲିଆ ମୈଦାନକୁ ଓହ୍ଲାଇବ ।