କନକ ବ୍ୟୁରୋ : ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ନେଇ ଯେତିକି ଚର୍ଚ୍ଚା ନହେଉଛି ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଟିକେଟ୍ ମିଳିବା ଏବେ ଭାଗ୍ୟ ଉପରେ ନିର୍ଭର କରୁଛି । କାରଣ ଏହି ମ୍ୟାଚ ପାଇଁ ୧୦୦ ଦିନ ପୂର୍ବରୁ ଅହମ୍ମଦାବାଦର ବଡ଼ ବଡ଼ ହୋଟେଲ ଗୁଡିକରେ ଅଧିକାଂଶ ରୁମ ବୁକ ହୋଇସାରିଛି । ଆଉ ଯେତିକି ରୁମ ବାକି ଅଛି ତାର ଦର ଏବେ ଆକାଶଛୁଆଁ ହୋଇଯାଇଛି   ।

Advertisment

ଫାଇଭ ଷ୍ଟାର ହୋଟେଲ ଗୁଡିକରେ ଦିନକ ପାଇଁ ଗୋଟିଏ ରୁମ ଭଡା ୧ ଲକ୍ଷ ଟଙ୍କା ଦାବି କରୁଛନ୍ତି ହୋଟେଲ କର୍ତ୍ତୃପକ୍ଷ । ଯେଉଁ ହୋଟେଲ ଗୁଡିକର ଗୋଟିଏ ରୁମର ଦିନକ ପାଇଁ ମୂଲ୍ୟ ୬ ହଜାରରୁ ୧୦ ହଜାର ଟଙ୍କା ଥିଲା ତାହା ଏବେ ରାତିକ ପାଇଁ ୫୦ ହଜାର ହୋଇଯାଇଛି । ଅକ୍ଟୋବର ୧୪ରୁ ୧୬ ତିନି ଦିନ ପାଇଁ ଅହମ୍ମଦାବାଦରେ ବଡ଼ ବଡ଼ ହୋଟେଲରେ ୪୦ରୁ ୬୦ ପ୍ରତିଶତ ରୁମ ବୁକ ହୋଇଯାଇଛି ।

ଦିନିଆକି ବିଶ୍ୱକପରେ ଏପର୍ଯ୍ୟନ୍ତ ଭାରତକୁ ହରାଇ ପାରିନାହିଁ ପାକିସ୍ତାନ । ଏଥର ବିଶ୍ୱକପ ଜିତିବା ଅପେକ୍ଷା ଭାରତକୁ ହରାଇବାକୁ ଅଧିକ ଗୁରୁତ୍ୱ ଦେଇପାରେ ପାକିସ୍ତାନ । ସେପଟେ ପ୍ରଥମ ଥର ପାଇଁ ଭାରତ ଏକାକୀ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ଆଉ ସବୁ ମ୍ୟାଚ ଭାରତରେ ଖେଳାଯାଉଥିବାରୁ ଏଥର ଭାରତ ପାଇଁ ଟାଇଟଲ ହାତେଇବାର ସୁବର୍ଣ୍ଣ ସୁଯୋଗ ରହିଛି ।