କନକ ବ୍ୟୁରୋ : ସୁପର ସଣ୍ଡେ, ସୁପର ଫୋର ଫାଇଟ୍, ସୁପର ଟକ୍କର । ରବିବାରର ରୋମାଂଚକର ଲଢେଇ । ଏସିଆ କପ୍ ସୁପର ଫୋରରେ ଆଜି ଭାରତ ପାକିସ୍ତାନ ମହାମୁକାବିଲା । ଶ୍ରୀଲଙ୍କାର କୋଲୋମ୍ବୋରେ ହେବ କଡା ଟକ୍କର । ଆଉ କିଛି ସମୟର ଅପେକ୍ଷା । ଅପରାହ୍ନ ୨.୩୦ରେ ପଡିବ ଟସ୍ ଆଉ ୩ଟାରେ ପଡିବ ବଲ୍ । ଗ୍ରୁପ୍ ପର୍ଯ୍ୟାୟରେ ବର୍ଷା ଯୋଗୁଁ ମ୍ୟାଚ୍ ଧୋଇ ହୋଇଯାଇଥିଲା । ଦୁଇ ଦଳ ପଏଂଟ ଭାଗ କରିଥିଲେ । ଆଜି ମଧ୍ୟ ବର୍ଷାର ସମ୍ଭାବନା ରହିଛି ।

Advertisment

କିନ୍ତୁ ରିଜର୍ଭ ଡେ ବା ସଂରକ୍ଷିତ ଦିନ ରହିଥିବାରୁ ଯଦି ଆଜି ମ୍ୟାଚ୍ ହୋଇପାରୁନି, ତେବେ ଆସନ୍ତାକାଲି ମ୍ୟାଚ୍ ଖେଳାଯିବ । ଇଏ ତ ପାଣିପାଗ କଥା ଥିଲା ଏବେ ମ୍ୟାଚ୍ ଉପରେ କଥା ହେବା । କ୍ରିକେଟ୍ ବିଶେଷଜ୍ଞଙ୍କ ମତରେ ଆଜିର ଲଢେଇ ପାକିସ୍ତାନ ବୋଲର ବନାମ ଭାରତ ବ୍ୟାଟିଂ ଭିତରେ ହେବାକୁ ଯାଉଛି । ପାକିସ୍ତାନର ପେସ୍ ଆଟାକ୍ ବିଶ୍ୱସ୍ତରୀୟ, ଏକଥା ସ୍ୱୀକାର କରିବାକୁ ପଡିବ । ଶାହିନ ଶାହା ଆଫ୍ରିଦି, ନସିମ ଶାହା ଓ ହାରିସ୍ ରୌଫଙ୍କ ଭଳି ଉଚ୍ଚକୋଟୀର ଦ୍ରୁତ ବୋଲର ପାକିସ୍ତାନରେ ଅଛନ୍ତି । ଏବଂ ବିଗତ କିଛି ମ୍ୟାଚରେ ଭାରତୀୟ ଟପ୍ ଅର୍ଡର ବ୍ୟାଟିଂକୁ ଏହି ବୋଲରମାନେ ଉପାଡି ଫୋପାଡି ଦେଉଛନ୍ତି ।

ଅନ୍ୟପଟେ ଆଜିର ମ୍ୟାଚ୍ ପାଇଁ ଗୋଟିଏ ଦିନ ପୂର୍ବରୁ ନିଜ ଚୂଡାନ୍ତ ଏକାଦଶ ଘୋଷଣା କରି କନଫିଡେଂଟ ଥିବା ଇସାରା ଦେଇସାରିଛି ପାକିସ୍ତାନ । କିନ୍ତୁ ଭାରତର ଚୂଡାନ୍ତ ଏକାଦଶକୁ ନେଇ ଏବେବି ଦ୍ୱନ୍ଦ୍ୱ । ଜସପ୍ରିତ ବୁମରା ଦଳକୁ ଫେରିଥିବାରୁ ସିଏ ଆଜି ମ୍ୟାଚ୍ ଖେଳିବେ । ସେପଟେ କେଏଲ ରାହୁଲ ମଧ୍ୟ ଫିଟ୍ । କିନ୍ତୁ ଫର୍ମରେ ଥିବା ଇଶାନ୍ କିଷାନଙ୍କୁ ବି ୧୧ ଜଣିଆ ତାଲିକାରୁ ବାଦ୍ ଦେଇହେବନି । ଏଭଳି ସ୍ଥିତିରେ ଆଜି କାହାକୁ ଦଳ ଚୂଡାନ୍ତ ଏକାଦଶରେ ସାମିଲ କରିବ, ତା ଉପରେ ରହିଛି ସମସ୍ତଙ୍କ ନଜର । ଗତବର୍ଷ ସୁପର ଫୋର୍ ଲଢେଇରେ ପାକିସ୍ତାନଠୁ ହାରିଯାଇଥିଲା ଭାରତ । ସେଥିପାଇଁ ପାକିସ୍ତାନକୁ ପରାସ୍ତ କରିବାକୁ ହେଲେ ଭାରତୀୟ ଖେଳାଳୀଙ୍କୁ ଆଜି କେତୋଟି ବିଶେଷ ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ହେବ । ଆଉ ଟିମ୍ ଇଣ୍ଡିଆ ଆଗରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ରହିବ । କାରଣ ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଶକ୍ତି ପରୀକ୍ଷାର ଏକ ବଡ ଲଢେଇ ।

ଟିମ୍ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ

- ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିବାକୁ ହେବ
- ଦୁଇ ଓପନରଙ୍କୁ ଭଲ ସ୍କୋର କରିବାକୁ ପଡିବ
- ପାକ୍ ବୋଲରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ହେବ
- ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ ଓ ବିରାଟଙ୍କ ବ୍ୟାଟରୁ ରନ୍ ଆସିବା ଦରକାର
- ଫିଲ୍ଡିଂରେ ସୁଧାର ଆଣିବାକୁ ହେବ
- ଡାଉନ୍ ଅର୍ଡରରେ ଭଲ ବ୍ୟାଟିଂ
- ବୋଲିଂ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ହେବ
- ବର୍ଷା ପାଗରେ ପ୍ରଥମେ ବୋଲିଂ କରିବାକୁ ହେବ

ଚୂଡାନ୍ତ ଏକାଦଶକୁ ନେଇ ଦ୍ୱନ୍ଦ୍ୱ

- ଚୂଡାନ୍ତ ଏକାଦଶ ବାଛିବା ବଡ଼ ଆହ୍ୱାନ
- କେଏଲ୍ ରାହୁଲ ଖେଳିବେ ନା ଇଶାନ୍ କିଷନ୍
- ପାକିସ୍ତାନ ବିପକ୍ଷ ମ୍ୟାଚରେ ଦର୍ଶନୀୟ ଇନିଂସ ଖେଳିଥିଲେ ଇଶାନ୍
- ଦିନିକିଆରେ ଗତ ୪ଟି ମ୍ୟାଚରେ ଅର୍ଦ୍ଧଶତକ ମାରିଛନ୍ତି ଇଶାନ
- ବିଶ୍ୱକପ୍ ପାଇଁ ଦଳରେ ରାହୁଲ ଥିବାରୁ ଆଜି ସୁଯୋଗ ମିଳିପାରେ
- ମହମ୍ମଦ ସାମି ଖେଳିବେ ନା ସାର୍ଦ୍ଦୁଲ ଠାକୁର
- ନେପାଳ ବିପକ୍ଷ ମ୍ୟାଚରେ ପ୍ରଭାବଶାଳୀ ବୋଲିଂ କରିନଥିଲେ ସାମି
- ପାକିସ୍ତାନ ବିପକ୍ଷ ମ୍ୟାଚରେ ସାର୍ଦ୍ଦୁଲଙ୍କୁ ମିଳିପାରେ ସୁଯୋଗ

ଚାପରେ ରହିବ ଭାରତ !

- ସୁପର-୪ରେ ଗୋଟିଏ ମ୍ୟାଚ୍ ଜିତିସାରିଛି ପାକିସ୍ତାନ
- ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇ ୨ ପଏଂଟ ହାସଲ କରିଛି
- ଭାରତ ଏହି ପର୍ଯ୍ୟାୟରେ ଆଜି ପ୍ରଥମ ମ୍ୟାଚ୍ ଖେଳିବ
- ବିଜୟ ପାଇଁ ଭାରତ ଉପରେ ଅଧିକ ଚାପ ରହିବ
- ଟୁର୍ଣ୍ଣାମେଂଟରେ ପାକିସ୍ତାନ ଦୁଇଟି ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଖେଳିଛି
- ବର୍ଷା ପାଇଁ ଭାରତ ପୂରା ମ୍ୟାଚ୍ ଖେଳିପାରିନି