୨୦୨୩ ବିଶ୍ୱକପ୍ : ଅକ୍ଟୋବର ୧୫ ତାରିଖରେ ଖେଳାଯିବନାହିଁ ଭାରତ -ପାକିସ୍ତାନ ମ୍ୟାଚ, ଜାଣନ୍ତୁ କେବେ ସ୍ଥିର ହେଲା ତାରିଖ

6,374

କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ମ୍ୟାଚ୍ ବାତିଲ ହୋଇଛି । ଏବେ ଏହି ମହାମୁକାବିଲା ପାଇଁ ତାରିଖ ବଦଳିଛି । ସୂଚନା ମୁତାବକ ଏହି ମ୍ୟାଚ୍ କେବେ ହେବ ତାହା ଆଜି ସ୍ଥିର କରାଯିବ ।

ସେପଟେ ଏକ ରିପୋର୍ଟ ମୁତାବକ ଭାରତ ଓ ପାକିସ୍ତାନ ମଧ୍ୟରେ କେବେ ମ୍ୟାଚ ଖେଳାଯିବ ସେନେଇ ତାରିଖ ସମ୍ନାକୁ ଆସିଛି । ଗଣମାଧ୍ୟମ ରିପୋର୍ଟ ମୁତାବକ ୨୦୨୩ ଏକଦିବସୀୟ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୪ ତାରିଖରେ ମ୍ୟାଚ୍ ଅନୁଷ୍ଠିତ ହେବ । ହେଲେ ବିସିସିଆଇ କିମ୍ବା ଆଇସିସି ଏହି ତାରିଖ ଘୋଷଣା କରିନାହାଁନ୍ତି ।

ରିପୋର୍ଟ ମୁତାବକ ଅକ୍ଟୋବର ୧୫ ତାରିଖରେ ନବରାତ୍ରୀ ପଡୁଥିବାରୁ ଭାରତ -ପାକିସ୍ତାନ ମ୍ୟାଚ ବାତିଲ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ଅହମ୍ମଦାବାଦ ପୋଲିସ ଉଭୟ ନବରାତ୍ର ଓ ଭାରତ ପାକିସ୍ତାନ ମ୍ୟାଚ ପାଇଁ ଏକକାଳୀନ ସୁରକ୍ଷା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ଭାଳିବାକୁ ଅକ୍ଷମ ପ୍ରକାଶ କରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଥାଉକି ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ । ଚେନ୍ନାଇ ଠାରେ ଅକ୍ଟୋବର ୮ ତାରିଖରେ ଏହି ମ୍ୟାଚ ଅନୁଷ୍ଠିତ ହେବ । କହିରଖୁ କି ୨୦୨୩ ଏକଦିବସୀୟ ବିଶ୍ୱକପ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଭାରତର ୧୯ ଟି ସହରରେ ଖେଳାଯିବ । ଦିଲ୍ଲୀ, ବେଙ୍ଗାଲୁରୁ, ଅହମ୍ମଦାବାଦ, ହାଇଦ୍ରାବାଦ, ମୁମ୍ବାଇ, ପୁଣେ, ଧର୍ମଶାଳା, ଲକ୍ଷ୍ନୌ ଓ ଚେନ୍ନାଇରେ ଅନୁଷ୍ଠିତ ହେବ ।