ଆଜି ବିଶ୍ୱକପ୍ ପ୍ରଥମ ସେମିଫାଇନାଲ୍ । ମାଂଚେଷ୍ଟରରେ ଭାରତ-ନ୍ୟୁଜିଲାଣ୍ଡ ହାଇଭୋଲଟେଜ୍ ଟକ୍କର, ବର୍ଷା ଆଶଙ୍କାକୁ ନେଇ ଚିନ୍ତାରେ କ୍ରିକେଟ୍ ଫ୍ୟାନ୍ ।

249

କନକ ବ୍ୟୁରୋ : ଇଂଲଣ୍ଡର ମାଂଚେଷ୍ଟରରେ ଆଜି ଖେଳାଯିବ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ୍ । ମାଂଚେଷ୍ଟରରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଏବେ ଜୋରଦାର ଫର୍ମରେ ଥିବାରୁ ନ୍ୟୁଜିଲାଣ୍ଡ ଉପରେ ଦଳ ସେମି ଫାଇନାଲରେ ହାଭି ହେବ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ଆଜିର ସେମି ଫାଇନାଲ ମ୍ୟାଚ୍ ପାଇଁ ବର୍ଷା ଆଶଙ୍କା ରହିଥିବାରୁ ଚିନ୍ତାରେ ପଡିଛନ୍ତି ଦର୍ଶକ ।

ଆଜି ମାଂଚେଷ୍ଟରରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ୍ । ବିଶ୍ୱକପ୍ ପ୍ରଥମ ସେମି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଅପରାହ୍ନ ୩ଟାରେ ମାଂଚେଷ୍ଟରର ଓଲଡ ଟ୍ରାଫୋର୍ଡରେ ଏହି ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି କ୍ରିକେଟ୍ ଫ୍ୟାନ୍ । ବର୍ତମାନ ଭାରତର ଫର୍ମ ଓ ଟିମ୍ କମ୍ବିନେସନକୁ ଦେଖିଲେ ଯେ କେହି ବି କହିବେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ଠାରୁ ଶକ୍ତିଶାଳୀ । ତେବେ ୬ ଥର ସେମି ଫାଇନାଲ ଖେଳିଥିବା ଭାରତ ଜିତିଛି ୩ଥର , ହାରିଛି ୩ ଥର । ଅନ୍ୟପଟେ କିନ୍ତୁ ନ୍ୟୁଜିଲାଣ୍ଡ ୭ ଥର ବିଶ୍ୱକପ୍ ସେମି ଫାଇନାଲ ଖେଳିଥିଲେ ମଧ୍ୟ ଗୋଟିଏ ଥର ସେମି ଅତିକ୍ରମ କରି ଫାଇନାଲକୁ ପ୍ରବେଶ କରିଛି । ତେଣୁ ବିଶ୍ୱକପ୍ ସେମି ରେକର୍ଡ ନ୍ୟୁଜିଲାଣ୍ଡର ଭଲ ନାହିଁ । ଏଥର ୱିଲିୟମସନ୍ ଟିମ୍ ନଜର ରଖିବ ଫାଇନାଲକୁ ଦ୍ୱିତୀୟ ଥର ପ୍ରବେଶ କରିବାକୁ । ହେଲେ ଏଥିରେ ବାଧକ ହେବ ଦଳର ଅସ୍ଥିର ବ୍ୟାଟିଂ ଲାଇନ୍ ।

ତେବେ ଲିଗ୍ ପର୍ଯ୍ୟାୟରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ତେଣୁ ଚଳିତ ବିଶ୍ୱକପରେ ଉଭୟ ଦଳ ପରସ୍ପର ବିରୋଧରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ସେପଟେ ଆଜି ମ୍ୟାଚ୍ ଅପେକ୍ଷାରେ ରହିଛନ୍ତି ରୋହିତ ଏବଂ ରୋହିତଙ୍କ ଅପେକ୍ଷାରେ ରହିଛି ବିଶ୍ୱକପର ଆଉ କିଛି ରେକର୍ଡ । ମାତ୍ର ୨୭ ରନ୍ ସ୍କୋର କଲେ ରୋହିତ ଶର୍ମା ବିଶ୍ୱକପରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ସ୍କୋରର ରେକର୍ଡକୁ ଅତିକ୍ରମ କରିବେ ।