ନ୍ୟୁଜିଲାଣ୍ଡଠୁ ହାରି ଟିମ୍ ଇଣ୍ଡିଆର ବିଶ୍ୱକପ ଅଭିଯାନ ଶେଷ । ଧୋନୀ ୭ ନମ୍ବରରେ ବ୍ୟାଟିଂ କରିବା ନେଇ ସଚିନ ଓ ସୌରଭଙ୍କ ସମାଲୋଚନା

କ୍ୟାପଟେନ କୋହଲି କହିଲେ, ବିଗାଡି ଦେଲା ୪୫ ମିନିଟର ଖରାପ ଖେଳ

7,823

କନକ ବ୍ୟୁରୋ: ପ୍ରଥମ ୪ ଓଭରରେ ୩ଟି ୱିକେଟ୍ ପଡ଼ିଯାଇଥିବା ବେଳେ ସମସ୍ତେ ଆଶା କରୁଥିଲେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ କରିବାକୁ ଆସିବେ । ଆଉ ଟିମ୍ ଇଣ୍ଡିଆର ବିପର୍ଯ୍ୟସ୍ତ ବ୍ୟାଟିଂ କ୍ରମକୁ ସମ୍ଭାଳିବାକୁ ଭରପୂର ଉଦ୍ୟମ କରିବେ । କାରଣ ଏହି ସମୟରେ ଧୋନୀଙ୍କ ଅଭିଜ୍ଞତାର ବଡ଼ ଆବଶ୍ୟକତା ରହିଥିଲା । କିନ୍ତୁ ଟିମ୍ ମ୍ୟାନେଜମେଂଟର ରଣନୀତି ଥିଲା ଭିନ୍ନ ଧରଣର । ରୋହିତ ଶର୍ମା, ବିରାଟ କୋହଲିଙ୍କ ପରେ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ରିଷଭ ପନ୍ଥ । ସେପଟେ ଲୋକେଶ ରାହୁଲ ଆଉଟ୍ ହେବା ପରେ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଦିନେଶ କାର୍ତ୍ତିକ । ଆଉ ଦିନେଶଙ୍କ ଆଉଟ୍ ପରେ ମଧ୍ୟ ଧୋନୀ ଆସିନଥିଲେ ।

୬ ନମ୍ବରରେ ବ୍ୟାଟିଂ କରିଥିଲେ ହାର୍ଦ୍ଧିକ ପାଣ୍ଡ୍ୟା । ଏହାକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଧୋନୀଙ୍କୁ ୭ ନମ୍ବରରେ ବ୍ୟାଟିଂ କରିବା ପାଇଁ ପଠାଇବା ଏକ ଗୁରୁତର ତ୍ରୁଟି ଥିଲା ବୋଲି କହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲୀ । କ୍ୟାପଟେନ୍ ବିରାଟ କୋହଲି କାହିଁକି ଏଭଳି ନିଷ୍ପତି ନେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ କ୍ୟାପଟେନ୍ ।

ଦଳୀୟ ସ୍କୋର ୫ରନରେ ୩ ୱିକେଟ ଓ ୨୪ ରନ୍ ରେ ୪ଟି ୱିକେଟ୍ ହରାଇଥିବା ବେଳେ ଧୋନୀଙ୍କୁ କାହିଁକି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପଠାଯାଇନଥିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କାରଣ ଅଭିଜ୍ଞତା ଦୃଷ୍ଟିରୁ ଧୋନୀଙ୍କ ଉପସ୍ଥିତି ସେତେବେଳେ ଜରୁରୀ ଥିଲା । ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ୁଥିବା ବେଳେ ଧୋନୀ ଗୋଟିଏ ପାଶ୍ୱର୍ରେ ରହିଥିଲେ ଫଳ ଭିନ୍ନ ହୋଇଥାନ୍ତା ବୋଲି ସେମାନେ ମତ ଦେଇଛନ୍ତି । ସେମାନେ କହିଛନ୍ତି, ପାଣ୍ଡ୍ୟା ଓ କାର୍ତ୍ତିକଙ୍କ ପୂର୍ବରୁ ଧୋନୀଙ୍କୁ ପଠାଇବା ଉଚିତ ଥିଲା । ଏପରି ହୋଇଥିଲେ ରିଷଭ ପନ୍ଥଙ୍କୁ ଭୁଲ ସଟ୍ ଖେଳିବାରୁ ସେ ଅଟକାଇ ପାରିଥାନ୍ତେ ।