ରାହାଣେ ବହୁତ ଭାଗ୍ୟଶାଳୀ, ସେଥିପାଇଁ ଟିମରେ ଅଛନ୍ତି । ପଢନ୍ତୁ, ରାହାଣେଙ୍କୁ ନେଇ କେଉଁ କ୍ରିକେଟର କହିଲେ ଏମିତି କଥା…

261

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ । ଏଥିପାଇଁ ଆଜି ବିସିସିଆଇ ପକ୍ଷରୁ ଦଳ ଘୋଷଣା ହୋଇଛି । ଆଉ ଏହାରି ଭିତରେ ରାହାଣେଙ୍କୁ ନେଇ ଏକ ବଡ ବୟାନ ରଖିଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ଗୌତମ ଗମ୍ଭୀର ।

ଆଜିଙ୍କ୍ୟ ରାହାଣେଙ୍କ ଖରାପ ଫର୍ମ ଉପରେ ପ୍ରଶ୍ନ ଉଠାଇ, ଗମ୍ଭୀର କହିଛନ୍ତି ରାହାଣେ ହେଉଛନ୍ତି ବହୁତ ଭାଗ୍ୟଶାଳୀ । ଭାଗ୍ୟଶାଳୀ ହେବା କାରଣରୁ ସେ ଏବେ ଟିମ୍ ଇଣ୍ଡିଆର ସଦସ୍ୟ ଅଛନ୍ତି ।
ଟେଷ୍ଟ ହେଉ କି ଦିନିକିଆ, ଲଗାତାର କିଛି ମ୍ୟାଚରେ ରାହାଣେଙ୍କ ବ୍ୟାଟ ଶାନ୍ତ ରହିଛି । ତାଙ୍କ ବ୍ୟାଟରୁ ଏ ଭିତରେ ସେଭଳି କୌଣସି ବଡ ଇଂନିସ ଦେଖିବାକୁ ମିଳିନି । ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କୁ ଅଧିନାୟକ ପଦ ମିଳିବା ପରେ ଏହାକୁ ନେଇ ଏପରି ବୟାନ ରଖିଛନ୍ତି ଗୌତମ ଗମ୍ଭୀର ।

ରାହାଣେଙ୍କ ଶେଷ ୨୦ଟି ଟେଷ୍ଟ ମ୍ୟାଚ ଉପରେ ନଜର ପକାଇଲେ ଜଣାପଡିବ ଯେ, ରାହାଣେ ଏହି ୨୦ଟି ଟେଷ୍ଟରେ କେବଳ ୨ଟି ଶତକ ଅର୍ଜନ କରିଛନ୍ତି । ଶେଷଥର ପାଇଁ ରାହାଣେ ଲର୍ଡସ ଓ ମେଲବର୍ଣ୍ଣରେ ଟିମ୍ ଇଣ୍ଡିଆ ପାଇଁ ଜବରଦସ୍ତ ଇଂନିସ ଖେଳିଥିଲେ । ହେଲେ ଏହାପରେ ଇଂଲଣ୍ଡ ବିପକ୍ଷ ୭ଟି ଇଂନିସରେ ସେ ମାତ୍ର ୧୦୯ ରନ୍ କରିଥିଲେ । ସୂଚନାଯୋଗ୍ୟ ଯେ, ନ୍ୟୁଜିଲାଣ୍ଡ ସିରିଜ ପରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ଅଛି । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।