ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ଏହି ଖେଳାଳିଙ୍କୁ ମିଳିପାରେ ଟିମ୍ ଇଣ୍ଡିଆ ଟିକେଟ୍ । ଗତ ଆଇପିଏଲରେ ଦେଖାଇଥିଲେ ଜଲୱା…

237

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ପରେ ନ୍ୟୁଜିଲାଣ୍ଡ ସହ ଘରୋଇ ସିରିଜ୍ ଖେଳିଯାକୁ ଯାଉଛି ଟିମ୍ ଇଣ୍ଡିଆ । ଯାହାକି ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେଉଥିବାବେଳେ ଏହି ସିରିଜରେ ୩ଟି ଟି-୨୦ ମ୍ୟାଚ୍ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ଘରୋଇ ସିରିଜରେ ଟିମ୍ ଇଣ୍ଡିଆରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । କାହିଁକି ନା, ଟି-୨୦ରେ କୋହଲି ଆଉ ଦଳର ନେତୃତ୍ୱ ନେବେ ନାହିଁ ,ନୂଆ ଅଧିନାୟକ ସହିତ ଦଳ ପଡିଆକୁ ଓହ୍ଲାଇବ । ତେବେ ମିଳିଥିବା ସୂଚନା ମୁତାବକ, ଏହି ନ୍ୟୁଜିଲାଣ୍ଡ ବିପକ୍ଷ ଏହି ସିରିଜରେ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେବ ବିସିସିଆଇ, ତା ସହିତ କିଛି ନୂଆ ଯୁବ ଖେଳାଳିଙ୍କୁ ଏହି ମ୍ୟାଚରେ ସୁଯୋଗ ମିଳିପାରେ ।

ଗତ କିଛି ମାସ ହେଲା ସିନିୟର ଖେଳାଳିମାନେ ଲଗାତାର ମ୍ୟାଚ୍ ଖେଳିଆସୁଛନ୍ତି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ କିଛି ନୂଆ ମୁହଁକୁ ଦେଖିବାକୁ ମିଳିପାରେ । ବିଶେଷକରି ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଟିମ୍ ଇଣ୍ଡିଆ ଟିକେଟ୍ ମିଳିପାରେ । ତେଣୁ ନଜର ପକାନ୍ତୁ, ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ କେଉଁ ନୂଆ ମୁହଁକୁ ମିଳିପାରେ ସୁଯୋଗ…

ଋତୁରାଜ ଗାଏକ୍ୱାଡ୍

ଚେନ୍ନାଇ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇପାରନ୍ତି । ଗତ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଆଖିଦୃଶିଆ ଥିଲା । ସେ ୧୬ଟି ମ୍ୟାଚରୁ ମୋଟ ୬୩୫ ରନ୍ କରିଥିଲେ । ଏହା ଭିତରେ ଗୋଟିଏ ଶତକ ଓ ଚାରୋଟି ଅର୍ଦ୍ଧଶତକ ସାମିଲ ଥିଲା । ସିନିୟର ଖେଳାଳିଙ୍କୁ ଏହି ସିିରିଜରେ ବିଶ୍ରାମ ଦେଲେ ଋତୁରାଜଙ୍କୁ ଦଳରେ ସ୍ଥାନ ମିଳିବା ଏକପ୍ରକାର ପକ୍କା ବୋଲି କୁହାଯାଉଛି ।

ଭେଙ୍କଟେଶ ଆୟର

କେକେଆର୍ ବ୍ୟାଟ୍ସମ୍ୟାନ୍ ଭେଙ୍କଟେଶ ଆୟରଙ୍କ ପାଇଁ ଗତ ଆଇପିଏଲ ଜବରଦସ୍ତ ରହିଥିଲା । ସେ ୧୦ଟି ମ୍ୟାଚରୁ ଧୂଆଁଧାର ୩୭୦ ରନ୍ କରିଥିଲେ । ଖାଲି ସେତିକି ନୁହେଁ, ଏହା ଭିତରେ ୪ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଥିଲା । ଅନ୍ୟପଟେ ସେ ବୋଲିଂ କରିବାର ମଧ୍ୟ ଦକ୍ଷତା ରଖୁଛନ୍ତି । ତେଣୁ ଜଣେ ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଓ ପାର୍ଟଟାଇମ୍ ବୋଲର ଭାବେ ସେ ଦଳରେ ସ୍ଥାନ ପାଇପାରନ୍ତି ।

ଆବେଶ ଖାନ

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ଆବେଶ ଖାନ ମୋଟ ୨୪ଟି ୱିକେଟ୍ ନେଇଥିଲେ । ତାଙ୍କର ବୋଲିଂ ଇକୋନୋମୀ ମଧ୍ୟ ୮ ତଳକୁ ରହିଥିଲା । ତେବେ ହର୍ଷଲ ପଟେଲଙ୍କ ପରେ ସେ ଗତ ଆଇପିଏଲରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିଲେ । ତେଣୁ ତାଙ୍କ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଚେତନ ସକାରିୟା

ଆବେଶ ଖାନଙ୍କ ସହିତ ରାଜସ୍ଥାନ ରୟାଲ୍ସର ଖେଳାଳି ଚେତନ ସକାରିୟା ମଧ୍ୟ ନିଜ ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ୧୪ ମ୍ୟାଚରୁ ସେ ମୋଟ ୧୪ଟି ୱିକେଟ୍ ନେଇଥିଲେ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିିରିଜରେ ସକାରିୟାଙ୍କୁ ପୁଣି ଟିମ୍ ଇଣ୍ଡିଆରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।