କନକ ବ୍ୟୁରୋ : ଆଜିଠାରୁ ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-୨୦ ସିରିଜ୍ । କିୱି ମାଟିରେ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାଗ୍ୟ ପରୀକ୍ଷା କରିବ ଟିମ୍ ଇଣ୍ଡିଆ ।  ଅଷ୍ଟ୍ରେଲିଆ ବିଶ୍ବକପ୍‌ରେ ଏହି ଦୁଇ ଦେଶ ମୁହାଁମୁହିଁ ହୋଇନଥିଲେ। ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପାକିସ୍ତାନ ଏବଂ ଭାରତକୁ ଇଂଲଣ୍ଡ ଅତି ସହଜରେ ହରାଇ ଦେଇଥିଲେ । ସମାନ ଢଙ୍ଗରେ ଦୁଇ ଦେଶ ପୁଣି ଥରେ ବିଶ୍ବକପ୍‌ ବିଫଳତା ଅର୍ଜନ କରିଥିଲେ। ଫଳରେ ଅଷ୍ଟ୍ରେଲିଆରେ କରିଥିବା ତ୍ରୁଟିକୁ ଏହି ଦ୍ବିପାକ୍ଷିକ ଶୃଙ୍ଖଳାରେ ସୁଧାରିବାକୁ ଚେଷ୍ଟା କରିବେ ଉଭୟ ଦଳ । ନୂଆ ଶୃଙ୍ଖଳା ଓ ନୂଆ ଦଳକୁ ନେଇ ଭାରତ ମଧ୍ୟ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଏବେଠାରୁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିବ ବୋଲି ଆଭାସ ଦେଇଛନ୍ତି କାମଚଳା ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣ ।

Advertisment

ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ବ ଦିଆଯାଇଛି । ହାର୍ଦ୍ଦିକଙ୍କୁ ମଧ୍ୟ ୨୦୨୪ ବିଶ୍ବକପ୍‌ରେ ଦଳର ନେତୃତ୍ବ ଭାର ପ୍ରଦାନ ଲାଗି ସ୍ବର ଉଠିଛି । ଏହି ଶୃଙ୍ଖଳାରେ ମଧ୍ୟ ବିଶ୍ବକପ୍‌ ଖେଳିଥିବା ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଦୀନେଶ କାର୍ତ୍ତିକ, ମହମ୍ମଦ ସାମି ଓ ଆର୍ ଅଶ୍ବିନ ପ୍ରମୁଖ ନାହାନ୍ତି । ଏମାନଙ୍କୁ ବିଶ୍ରାମ ଦିଆଯାଇଛି । ଲକ୍ଷ୍ମଣ ମଧ୍ୟ ସୂଚନା ଦେଇଛନ୍ତି କେବଳ ଟ୍ବେଣ୍ଟି-୨୦ ସ୍ପେଶାଲିଷ୍ଟମାନଙ୍କୁ ଗୁରୁତ୍ବ ଦିଆଯାଇଛି । ଦଳ କିନ୍ତୁ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିବ ବୋଲି କହିଛନ୍ତି ଲକ୍ଷ୍ମଣ । ସମାନ ସମୟରେ ଭାରତ ମଧ୍ୟ କିଛି‌ ‌ଖେଳାଳିଙ୍କୁ ଆସନ୍ତା ୨୦୨୩ ଦିନିକିଆ ବିଶ୍ବକପ୍‌କୁ ନଜରରେ ରଖି ଖେଳାଇବ । କେନ୍ ୱିଲିୟମ୍‌ସନଙ୍କ ଦଳ ଘରୋଇ ପରିବେଶରେ ନିଶ୍ଚିତ ଦାବିଦାର ରହିବ । ପ୍ରମୁଖ ଖେଳାଳିଙ୍କ ବିନା ଭାରତୀୟ ଦଳ କେତେ ଚାଲେଞ୍ଜ୍ ଦେଇପାରୁଛି କେବଳ ଦେଖିବାକୁ ବାକି ରହିଲା।

ଭାରତ ସମ୍ଭାବ୍ୟ ୧୧: ଈଶାନ କିଶାନ, ଶୁବମନ ଗିଲ୍‌, ‌ଶ୍ରେୟସ ଆୟର/ସଞ୍ଜୁ ସାମସନ୍‌/ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ୱାସିଂଟନ୍ ସୁନ୍ଦର, ହର୍ଷଲ ପଟେଲ୍‌/ଉମ୍ରାନ୍ ମଲ୍ଲିକ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ୧୧: ଫିନ୍ ଆଲେନ୍‌ (ଅଧିନାୟକ), ଡେଭନ୍ କନୱେ (ୱିକେଟରକ୍ଷକ), କେନ୍‌ ୱିଲିୟମସନ୍‌ (ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍‌,‌ ଜେମ୍ସ ନିସାମ, ମିଚେଲ୍ ସାଣ୍ଟନର୍‌, ଟିମ୍ ସାଉଦି, ଈଶ ସୋଢ଼ି, ଆଦାମ ମିଲନେ, ଲୋକି ଫର୍ଗୁସନ୍‌।