କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିରୋଧରେ ଟି-୨୦ ସିରିଜ୍ ଜିତିଲା ଭାରତ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୧-୦ରେ ଆଗୁଆ ରହି ଟି-୨୦ ସିରିଜ୍ କବଜା କରିଛି । ତେବେ ଆଜି ଭାରତ-ନ୍ୟୁଜିଲାଣ୍ଡ ଭିତରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ହେଲେ ବର୍ଷା କାରଣରୁ ଏହି ମ୍ୟାଚର ଫଳାଫଳ ବାହାରି ପାରିନଥିଲା । ତେଣୁ ପ୍ରଥମ ଓ ଶେଷ ଟି-୨୦ ବର୍ଷାରେ ଧୋଇଯିବା ପରେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିବାରୁ ଦଳ ସିରିଜ୍ କବଜା କରିଛି ।

Advertisment

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ଶେଷ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଏହାପରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ଟିମ୍ ଇଣ୍ଡିଆ ପକ୍ଷରୁ ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଉଭୟ ୪ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ, ହର୍ଷଲ ପଟେଲ ଗୋଟିଏ ସଫଳତା ପାଇଥିଲେ ।

ଦ୍ୱିତୀୟ ଇଂନିସରେ ଭାରତର ଆରମ୍ଭ ସେତେଟା ଭଲ ହେଇନଥିଲା । ଦଳ ୯ ଓଭରରେ ୪ ୱିକେଟ୍ ହରେଇ ୭୫ ରନ୍ କରିଥିଲା, ଆଉ ସେହି ସମୟରେ ବର୍ଷା କାରଣରୁ ମ୍ୟାଚ୍ ସ୍ଥଗିତ ରହିଥିଲା । ଏହାପରେ ବର୍ଷା କମ୍ ନହେବାରୁ ମ୍ୟାଚକୁ ଡ୍ର ଘୋଷଣା କରାଯାଇଥିଲା । ଏହାପରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜିତିଥିବାରୁ ଟିମ୍ ଇଣ୍ଡିଆ ୧-୦ରେ ସିରିଜ୍ ଜିତିଛି ।

ସୂଚନାଯୋଗ୍ୟ ଯେ, ଟି-୨୦ ସିରିଜ୍ ପରେ ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ଦିନିକିଆ ସିରିଜ୍ ଖେଳାଯିବ । ଯାହାକି ୨୫ ତାରିଖରୁ ଆରମ୍ଭ ହେଉଥିବାବେଳେ ୨୭ ନଭେମ୍ବରରେ ଦ୍ୱିତୀୟ ଓ ୩୦ ନଭେମ୍ବରରେ ଶେଷ ଅଥବା ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ ।