ଆଜି ଭାରତ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ : ସିରିଜ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ କ୍ୱିୱି ଦଳ

139

କନକ ବ୍ୟୁରୋ : ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ପ୍ରଥମ ଟି-୨୦ ଜିତି ସାରିଥିବାରୁ ସିରିଜ୍ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚ୍ ଜିତି ସିରିଜ୍ ଆଗୁଆ ଜିତିବାକୁ ଚେଷ୍ଟା କରିବ ଭାରତୀୟ ଦଳ । ଆଜି ଭାରତ ବିଜୟୀ ହେଲେ କୋଚ୍ ରାହୁଲ ଦ୍ରାବିଡ୍ ଓ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଥମ ସିରିଜ୍ ବିଜୟ ହେବ । ଏହା ସହ ଘରୋଇ ମାଟିରେ ଲଗାତର ପଂଚମ ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ଟି-୨୦ ସିରିଜ୍ ଜିତିବ ଭାରତ । ଆଜି ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ କୌଣସି ପରବର୍ତ୍ତନ ହୋଇନପାରେ । ସେହିପରି ନ୍ୟୁଜିଲାଣ୍ଡ ଦୁଇଟି ପରିବର୍ତ୍ତନ କରିପାରେ । ପ୍ରଥମ ମ୍ୟାଚ୍ ଖେଳିଥିବା ରାଚିନ୍ ରବୀନ୍ଦ୍ର ଓ ଟଡ୍ ଆସଲେଙ୍କଉଙ୍କୁ ବାଦ୍ ଦେଇ ଜେମସ୍ ନୀସାମ୍ ଓ ସୋଢିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବାକୁ ଚିନ୍ତା କରୁଛି ଦଳ ।

ବୁଧବାର ରାଜସ୍ଥାନର ଜୟପୁରରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଶୀର୍ଷକ୍ରମର ଚମତ୍କାର ପ୍ରଦର୍ଶନ ସହ ଡେଥ୍ ଓଭରଗୁଡ଼ିକରେ ବୋଲରଙ୍କ ନିୟନ୍ତ୍ରଣଭରା ବୋଲିଂ ପାଇଁ ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା। ତା ସହ ସବୁ ଫର୍ମାଟ୍‌କୁ ମିଶାଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତାର ୭ ପରାଜୟବରଣ ଧାରାକୁ ବି ଭାଙ୍ଗିଥିଲା। ହେଲେ ମଧ୍ୟକ୍ରମ ପୁଣି ଥରେ ପ୍ରଭାବହୀନ ପ୍ରଦର୍ଶନ କରିଥିଲା। ଶ୍ରେୟସ୍ ଆୟର ଓ ଋଷଭ ପନ୍ତ ଗୋଟିଏ ଗୋଟିଏ ରନ୍ ପାଇଁ ସଂଘର୍ଷ କରିବା ନିଶ୍ଚିତ ଭାବେ ଦ୍ରାବିଡ଼-ରୋହିତଙ୍କୁ ଚିନ୍ତାରେ ପକାଇଥିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳ ଏକପ୍ରକାର ଭଲ ଖେଳିଥିଲା। ତଥାପି ଦଳର ଅନେକ ଦୁର୍ବଳତା ଦୂର ହୋଇନଥିଲା । ଯାହାକୁ ରାଞ୍ଚିରେ ଦୂର କରିବାକୁ ଉଭୟ ନିଶ୍ଚିତ ରଣନୀତି ପ୍ରସ୍ତୁତ କରିଥିବେ ।

ପ୍ରଥମ ଟ୍ବେଣ୍ଟି-୨୦ରେ ଅବଶ୍ୟ ଦୁଇ ବରିଷ୍ଠ ବୋଲର ଭୁବନେଶ୍ବର କୁମାର ଓ ଆର ଅଶ୍ବିନ ନିଜ ପୁରୁଣା ଚମକ ଫେରି ପାଇବାର ସଙ୍କେତ ଦେଇଥିଲେ। ବିଶେଷ କରି ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିବା ପରେ ଦଳରୁ ବାଦ ପଡ଼ିଥିବା ଭୁବିଙ୍କୁ ନୂଆ ଅଧିନାୟକ ଓ ପ୍ରଶିକ୍ଷକ ପୁଣି ଥରେ ଦଳରେ ନେଇ ଏକ୍ରପକାର ନୂଆ ଜୀବନ ଦେଇଥିଲେ। ସେ ମଧ୍ୟ ସବାଇ ମାନସିଂହ ଷ୍ଟାଡିୟମ୍‌ରୁ ମିଳୁଥିବା ସୁଇଂରୁ ପୂରା ଫାଇଦା ଉଠାଇ ୨୪ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରିନେଇଥିଲେ। ଅଶ୍ବିନ ୨୩ ରନ୍ ଦେଇ ୨ ୱିକେଟ୍ କରାୟତ୍ତ କରିଥିଲେ ।

ତଥାପି ଆଜି ଭାରତ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ । ହେଲେ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ନ୍ୟୁଜିଲାଣ୍ଡ ପାଳିର ଶେଷ ଓଭରରେ ଆହତ ହୋଇଥିଲେ, ତାଙ୍କୁ ନେଇ କିନ୍ତୁ ଦଳୀୟ ଅଧିକାରୀମା‌ନେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ଦୁଇଟି ପରିବର୍ତନ କରିପାରେ। ପ୍ରଥମ ମ୍ୟାଚ୍‌ ଖେଳିଥିବା ରାଚିନ ରବୀନ୍ଦ୍ର ଏବଂ ଟଡ୍‌ ଆସ୍‌ଲେଙ୍କଉ ବାଦ୍‌ ଦେଇ ଜେମ୍‌ସ ନୀସାମ ଓ ଈଶ୍‌ ସୋଢ଼ିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବା ଚିନ୍ତା କରୁଛି । ରାଞ୍ଚିରେ ମଧ୍ୟ ଜୟପୁର ଭଳି କାକର ପଡ଼ିବାର ଆଶଙ୍କା ଅଧିକ। ଏଣୁ ଟସ୍ ଜିତିବା ଦଳ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରିବ ।

ସମ୍ଭାବ୍ୟ ଭାରତ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ/ୟୁଝବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ଦୀପକ ଚହର, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ : ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ମାର୍କ ଚାପମ୍ୟାନ୍, ‌ରାଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଟ୍ରେଣ୍ଟ୍‌ ବୋଲ୍ଟ, ଲୋକି ଫର୍ଗୁସନ୍/ଆଦାମ ମିଲ୍‌ନେ, ଈଶ୍ ସୋଢି/ ଟଡ୍‌ ଆସ୍‌ଲେ।