ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ! ସିରିଜ ହାତେଇବା ପାଇଁ ଭାରତ ପାଇଁ କର ବା ମର ଲଢେଇ

24

କନକ ବ୍ୟୁରୋ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ଅନୁଷ୍ଠିତ ହେବ । ଏହି ମ୍ୟାଚ ଭାରତୀୟ ଟିମ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚ ହାରିଲେ ଭାରତ ଦିନିକିଆ ସିରିଜ ଜିତିପାରିବ ନାହିଁ । ପ୍ରଥମ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଢଠାରୁ ହାରିଯାଇଥିଲା । ଚଂପିଆନ୍ସ ଟ୍ରଫି ପରେ କିଓି ଟିମ୍ ଖେଳୁଥିବାବେଳେ ଟିମ ଇଣ୍ଡିଆକୁ କଡା ଟକ୍କର ଦେଉଛି । ଏହି ମ୍ୟାଚରେ ସ୍ପିନର କୁଲଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲଙ୍କ ଉପରେ ଅଧିନାୟକଙ୍କର ନଜର ରହିବ । ତେବେ ଏହି ମ୍ୟାଚ ପୁଣେରେ ଖେଳାଯିବ ।

ପରୀକ୍ଷାରେ କୋହଲି ବାହିନୀ

ଭାରତୀୟ କ୍ରିକେଟ୍ ଦଳ ଆଜି କଠିନତମ ପରୀକ୍ଷାରେ ଅବତୀର୍ଣ୍ଣ ହେବ । ନ୍ୟୁଜିଲାଣ୍ଡଠୁ ପ୍ରଥମ ମ୍ୟାଚ୍ ହାରି ୦-୧ରେ ପଛୁଆ ଥିବା କୋହଲି ବାହିନୀ ପୁନେରେ କର ବା ମର ସ୍ଥିତିରେ ରହିବ । ଆଜି ପରାଜିତ ହେଲେ ଘରୋଇ ପରିବେଶରେ ଶୃଙ୍ଖଳା ହାରିବାର ଶକ୍ତ ଝଟ୍କା ଲାଗିବ । ଜିତିଲେ କିନ୍ତୁ ଶୃଙ୍ଖଳା ୧-୧ରେ ଜୀବନ୍ତ ରହିବ । ତିନି ଟିକିଆ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡକୁ କିନ୍ତୁ ଇତିହାସ ରଚିବାର ସୁଯୋଗ ମିଳିବ । ପ୍ରଥମ ଦିନିକିଆକୁ ଜିତି ଭାରତକୁ ଚକିତ କରି ଦେଇଥିବା ନ୍ୟୁଜିଲାଣ୍ଡ ପୁନେରେ ବିଜୟ ଧାରାକୁ ଅବ୍ୟାହତ ରଖି ପାରିଲେ ବିରଳ ଶୃଙ୍ଖଳା ବିଜୟର ଅନନ୍ୟ ସଫଳତା ଲାଭ କରିବ । ଭାରତରେ ଭାରତକୁ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିବ । ସେହିଭଳି ଭାରତର ୬ ଦ୍ୱିପାକ୍ଷିକ ଶୃଙ୍ଖଳା ବିଜୟ ରଥ ମଧ୍ୟ ଅଟକି ଯିବ । ଚଳିତ ଗସ୍ତ ପୁର୍ବରୁ ନ୍ୟୁଜିଲାଣ୍ଡ ଭାରତରେ ପାଞ୍ଚଟି ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିଛି । ସବୁଥର ଭାରତ ବିଜୟୀ ହୋଇଛି । ୧୯୮୮ରେ ଭାରତ ୪-୦, ୧୯୯୫ରେ ୩-୨, ୧୯୯୯ରେ ୩-୨, ୨୦୧୦ରେ ୫-୦ ଓ ଗତବର୍ଷ ୩-୨ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ।

ମୁମ୍ବାଇ ମୁକାବିଲାରେ ଭାରତର ବିପଜ୍ଜନକ ପ୍ରାରମ୍ଭିକ ଯୋଡ଼ି ଶିଖର ଧାଓ୍ଵନ ଏବଂ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ଜାଲରେ ସହଜରେ ଫସି ଯାଇଥିଲେ । ଅଧିନାୟକ ବିରାଟ କୋହଲି ୩୧ତମ ଶତକ ହାସଲ କରିଥିଲେ । ହେଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଯୁବ ତାରକା କେଦାର ଯାଦବ ଏବଂ ମନୀଷ ପାଣ୍ଡେଙ୍କ ସ୍ଥାନ ନେଇଥିବା ଦୀନେଶ କାର୍ତ୍ତିକ ଆପାତତଃ ବିଫଳ ହୋଇଥିଲେ । କୋହଲିଙ୍କ ସହ କାର୍ତ୍ତିକ ଅବଶ୍ୟ ୭୩ ରନ୍ର ଭାଗୀଦାରି କରିଥିଲେ। ହେଲେ ମଧ୍ୟକ୍ରମ ବିଫଳତା ପାଇଁ ଭାରତ ୩୦୦ ରନ୍ ଛୁଇଁ ପାରି ନଥିଲା । ପୁନେରେ ମଧ୍ୟ ମଧ୍ୟକ୍ରମ ଭାରତ ପାଇଁ ବଡ଼ ଚିନ୍ତା ହେବ । ସେହିଭଳି ଭାରତୀୟ ସ୍ପିନରଙ୍କୁ କିଓ୍ଵି ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବା ଲାଗି ନୂଆ ଯୋଜନା ଏବଂ ନୂତନ କୌଶଳ ନେଇ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ । ପ୍ରଥମ ମ୍ୟାଚ୍ ହାରିଥିଲେ ମଧ୍ୟ ଭାରତ ତା’ର ଚୂଡ଼ାନ୍ତ ଦଳରେ ପରବର୍ତ୍ତନ କରିବା ସମ୍ଭାବନା କମ୍ ।

ସେହିଭଳି ଆତ୍ମବିଶ୍ୱାସ ଭରା ନ୍ୟୁଜିଲାଣ୍ଡ ବି ଅପରିବର୍ତ୍ତିତ ଦଳ ନେଇ ମ୍ୟାଚକୁ ଆସିବାର ଆଶା ଅଧିକ । ଅବଶ୍ୟ ଏକମାତ୍ର ପରିବର୍ତନ ଭାବେ କଲିନ ଗ୍ରାଣ୍ଢୋମେଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଈଶ୍ ସୋଢ଼ୀଙ୍କୁ ଖେଳାଇପାରେ । ଆଦାମ ମିଲନେ, ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ୍ ସାଉଦି ଦ୍ରୁତ ବୋଲିଂ ବାହିନୀ ସମ୍ଭାଳିବେ । ପୁନେ ପିଚ୍ ପାରମ୍ପରିକ ଭାବେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ଏଠାରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିଲା । ଏଣୁ ଆଜି ଏହି ସଫଳତା ଦୋହରାଇବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି ।