ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ । ଭାରତୀୟ କ୍ରିକେଟ୍ ଦଳର ଅପ୍ରତ୍ୟାଶିତ ବିଦାୟ ସହ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ଅଧିନାୟକ ଯୁଗର ଅବସାନ ଘଟିଛି । ଅନ୍ୟପକ୍ଷରେ ରୋହିତ ଶର୍ମା ଆନୁଷ୍ଠାନିକ ଭାବେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ପଦ ଗ୍ରହଣ କରିଛନ୍ତି। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଘଟଣା ବହୁଳ କାର୍ଯ୍ୟକାଳ ବି ସରିଯାଇଛି । ତାଙ୍କ ସ୍ଥାନରେ ଭାରତୀୟ କ୍ରିକେଟ୍‌ର ଆଉ ଜଣେ ମହାରଥୀ, ସୁଦୃଢ଼ ରକ୍ଷା ପ୍ରାଚୀର ଓ ଦି ୱାଲ୍ ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବାର ଆହ୍ବାନକୁ ଗ୍ରହଣ କରିଛନ୍ତି । ଆଉ ରୋହିତ-ରାହୁଲ ଯୋଡ଼ିର ପ୍ରଥମ ପରୀକ୍ଷା ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଟିକିଆ ଶୃଙ୍ଖଳା ।

Advertisment

ଏହି ଶୃଙ୍ଖଳାର ପ୍ରଥମ ‌ମ୍ୟାଚ୍ ସହ ରୋହିତ-ରାହୁଲ ଯୁଗର ଶୁଭାରମ୍ଭ ହୋଇଯିବ। ଶାସ୍ତ୍ରୀ-କୋହଲି ଭାରତୀୟ ଦଳକୁ ଅନେକ ସ୍ମରଣୀୟ ସଫଳତା ଉପହାର ଦେଇଥିଲେ । ରୋହିତ-ରାହୁଲଙ୍କଠାରୁ ଦଳ ସେହି ସଫଳତା ଆଶାରେ ରହିବ । ବରଂ ଏହି ପ୍ରେରଣାଦାୟକ ଯୋଡ଼ି ଭାରତୀୟ କ୍ରିକେଟ୍‌କୁ ଆହୁରି ଆଗକୁ ନେବେ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ବଡ଼ କଥା ହେଲା ନ୍ୟୁଜିଲାଣ୍ଡ ହିଁ ଭାରତକୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ବିଦାୟର ପଥ ଦେଖାଇଥିଲା । ସେହିଭଳି ୨୦୧୯ ଏକଦିବସୀୟ ବିଶ୍ବକପ୍‌ର ସେମିଫାଇନାଲ୍‌ରେ ମଧ୍ୟ କୋହଲି ବାହିନୀ ପାଇଁ କାଳ ପାଲଟିଥିଲା । ଏବେ ଏହି ପରାଜୟର ପ୍ରତିଶୋଧ ପାଇଁ କେବଳ ପ୍ରଶଂସକ ନୁହେଁ ଭାରତୀୟ ‌ଖେଳାଳି ମଧ୍ୟ ନିଶ୍ଚିତ ଭାବେ ବ୍ୟଗ୍ର ଥିବେ । ଆସନ୍ତାବର୍ଷ ଟ୍ବେଣ୍ଟି-୨୦ର ଆଉ ଏକ ବିଶ୍ବକପ୍ ଖେଳାଯିବାକୁ ଥିବାରୁ ଦଳର ଆଦର୍ଶ, ଦର୍ଶନ, ଲକ୍ଷ୍ୟ ଏବଂ ରଣନୀତି ପ୍ରସ୍ତୁତି ପାଇଁ ଅବଶ୍ୟ ରୋହିତ ଓ ରାହୁଲଙ୍କୁ ୧୧ ମାସର ସମୟ ମିଳିବ । ଶୃଙ୍ଖଳା ପୂର୍ବରୁ ନ୍ୟୁଜିଲାଣ୍ଡର କାମଚଳା ଅଧିନାୟକ ଟିମ୍ ସାଉଦି ଜୈବ ବଳୟ ଜୀବନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଆଇପିଏଲ୍‌ରେ ଭଲ କରି ଭାରତୀୟ ଦଳକୁ ଡାକରା ପାଇଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ଋତୁରାଜ ଗାଏକ୍ବାଡ୍, ହର୍ଷଲ ପଟେଲ, ଅଭେଶ ଖାନ୍ । ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଅଣଦେଖା ହୋଇଥିବା ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଭାରତୀୟ ଦଳକୁ ଫେରିଛନ୍ତି । ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ମିଳିଥିବାରୁ ଅଭେଶ ଏବଂ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ । ୟୁଏଇରେ ସେତେଟା ଭଲ କରିନଥିଲେ ମଧ୍ୟ ଭୁବନେଶ୍ବର କୁମାରଙ୍କୁ ଆଉ ଏକ ସୁଯୋଗ ମିଳିଛି । ଅଧିନାୟକ ରୋହିତଙ୍କ ସହ କେଏଲ୍ ରାହୁଲ ପାଳି ଆରମ୍ଭ କରିବା ଏକପ୍ରକାର ନିଶ୍ଚିତ । ଈଶାନ କିଶନ ଓ ଗାଏକ୍ବାଡ୍‌ଙ୍କ ରୂପରେ ଆଉ ଦୁଇଟି ବିକଳ୍ପ ମଧ୍ୟ ଭାରତ ପାଖରେ ରହିବ । କୋଲକାତା ନାଇଟ୍ ରାଇଡର୍ସ ପାଇଁ ଭେଙ୍କଟେଶ ପାଳି ଆରମ୍ଭ କରୁଥିଲେ ମଧ୍ୟ ଭାରତ ପାଇଁ ସେ ମଧ୍ୟକ୍ରମରେ ଖେଳିପାରନ୍ତି ।

ସମ୍ଭାବ୍ୟ ଭାରତ : ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ଋତୁରାଜ ଗାଏକ୍ବାଡ୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ହର୍ଷଲ ପଟେଲ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ : ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଟଡ୍ ଆସ୍‌ଲେ, ମାର୍କ ଚାପମ୍ୟାନ୍, ‌ଲୋକି ଫର୍ଗୁସନ୍, ଆଦାମ ମିଲନେ, କାଇଲ ଜାମିସନ୍, ଜିମି ନୀସାମ, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଈଶ୍ ସୋଢି।