କନକ ବ୍ୟୁରୋ : ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦରେ ଖେଳାଯିବ । ଶ୍ରୀଲକ୍ଷା ବିପକ୍ଷ ସିରିଜ୍ ୩-୦ରେ ବିଜୟୀ ହୋଇଥିବାରୁ ଭାରତୀୟ ଖେଳାଳଳିଙ୍କ ମନୋବଳ ଦୃଢ ରହିଛି । ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।

Advertisment

ହେଲେ ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଉପରେ ନଜର ରହିବ । କାରଣ ଆହତ ପାଇଁ ସିରିଜରୁ ବାଦ ପଡ଼ିଛନ୍ତି ଶ୍ରେୟସ୍ ଆୟର । ତାଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ସାମିଲ କରାଯାଇଛି । କେଏଲ୍ ରାହୁଲ ମଧ୍ୟ ବ୍ୟକ୍ତିଗତ କାରଣରୁ ଓହରି ଯାଇଛନ୍ତି । ତେଣୁ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିବ । ସେହିପରି କେନ୍ ୱିଲିୟମସନ୍ ଓ ଟିମ୍ ସାଉଦିଙ୍କ ବିନା ଖେଳିବ ନ୍ୟିୁଜିଲାଣ୍ଡ ଦଳ । ଟିମ୍ ଲାଥମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ପଡ଼ିଆକୁ ଓହ୍ଲାଇବ । ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାକୁ ୩-୦ରେ ଜିତିଲେ ଭାରତ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ହୋଇଯିବ । ଆଉ ଯଦି ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଜିତିନିଏ ଏବଂ ଅଷ୍ଟ୍ରେଲିଆକୁ ଟେଷ୍ଟ୍‌ ଶୃଙ୍ଖଳାରେ ୨-୦ କିମ୍ବା ୩-୧ରେ ପରାସ୍ତ କରେ ତାହାଲେ ସବୁ ଫର୍ମାଟ୍‌ରେ ଏକ ନମ୍ବର ମାନ୍ୟତା ହାସଲ କରିବ ।

ଟେଷ୍ଟ୍‌ ଭଳି ଦିନିକିଆ ଶୃଙ୍ଖଳାରେ ବି ଘରୋଇ ମାଟିରେ ଭାରତର ରେକର୍ଡ ଯଥେଷ୍ଟ ଭଲ। ୨୦୧୦ ଋତୁ ଆରମ୍ଭରୁ ଭାରତ ଘରୋଇ ମାଟିରେ ୨୫ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିସାରିଥିଲା ବେଳେ ସେଥିରୁ ୨୨ ଜିତି ଆଧିପତ୍ୟ ଜାହିର କରିଛି । ଏହି ରେକର୍ଡକୁ ୨୦୨୩ରେ ବଢ଼ାଇବାର ଲକ୍ଷ୍ୟ ମଧ୍ୟ ରଖିଛି । ବିଶେଷକରି ଚଳିତ ବର୍ଷ ଦିନିକିଆ ବିଶ୍ବକପ୍‌କୁ ଭାରତ ଆୟୋଜନ କରୁଥିବାରୁ ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳା ମଧ୍ୟ ଗୁରୁତ୍ବ ରଖିବ। ଶ୍ରୀଲଙ୍କାକୁ କେବଳ ୩-୦ରେ ପରାସ୍ତ କରିନଥିଲା, ବରଂ ସର୍ବବୃହତ୍‌ ବ୍ୟବଧାନରେ ମ୍ୟାଚ୍‌ ଜିତି ବିଶ୍ବ କୀର୍ତ୍ତିମାନ ମଧ୍ୟ ରଚିଛି ।

ହେଲେ ନ୍ୟୁଜିଲାଣ୍ଡ୍‌ ଭଳି ଦକ୍ଷ ଦଳ ବିପକ୍ଷରେ ଭାରତକୁ କଡ଼ା ଆହ୍ବାନର ସାମ୍ନା କରିବାକୁ ପଡ଼ିବ। ତଥାପି କେନ୍‌ ୱିଲିୟମ୍‌ସନ୍‌ ଏବଂ ଟିମ୍‌ ସାଉଦିଙ୍କ ଅନୁପସ୍ଥିତି ଭାରତକୁ ଫାଇଦା ଦେବ । ହେଲେ ଅଭିଜ୍ଞତାରେ କିଛିଟା ପଛରେ ରହିଥିବା ନ୍ୟୁଜିଲାଣ୍ଡ୍‌ ୨-୧ରେ ପାକିସ୍ତାନକୁ ପରାସ୍ତ କରି ଏଠାକୁ ଆସିଥିବାରୁ ଉପମହାଦେଶରେ ଭାରତକୁ କିଭଳି ପରାସ୍ତ କରିହେବ ତାହା ଶିଖିଯାଇଛି । ଅବଶ୍ୟ ଦୁଇ ମହାନ୍‌ ଦ୍ରୁତ ବୋଲର ଟିମ୍‌ ସାଉଦି ଏବଂ ଟ୍ରେଣ୍ଟ୍‌ ବୋଲ୍‌ଟଙ୍କ ବିନା ନ୍ୟୁଜିଲାଣ୍ଡ୍‌ ଶେଷଥର ପାଇଁ ୨୦୧୦ ଡିସେମ୍ବରରେ ଭାରତରେ ଏକ ଦିନିକିଆ ମ୍ୟାଚ୍‌ ଖେଳିଥିଲା ।

ଅନ୍ୟପକ୍ଷରେ ଚଳିତ ଶୃଙ୍ଖଳାରେ ବିଶେଷକରି ଗ୍ଲେନ୍‌ ଫିଲିପ୍ସ, ଟମ୍‌ ଲାଥମ, ଡେଭନ୍‌ କନ୍‌ୱେ, ଡାରିଲ ମିଚେଲ ଏବଂ ମିଚେଲ ସାଣ୍ଟ୍‌ନରଙ୍କ ଉପରେ ନ୍ୟୁଜିଲାଣ୍ଡ୍‌ର ନଜର ରହିବ । ଏହି ଖେଳାଳିମାନେ ଭାରତକୁ କଡ଼ା ଟକ୍କର ଦେଇପାରିବେ ବୋଲି ଦଳର ପାକିସ୍ତାନ ଗସ୍ତର ଫଳାଫଳରୁ ସ୍ପଷ୍ଟ ବାରି ହୋଇଛି ।

ସମ୍ଭାବ୍ୟ ଭାରତ ୧୧ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ (ୱିକେଟ୍‌ରକ୍ଷକ), ହାର୍ଦ୍ଦିକ୍‌ ପାଣ୍ଡ୍ୟା, ୱାସିଂଟନ୍‌ ସୁନ୍ଦର, କୁଲ୍‌ଦୀପ ଯାଦବ/ୟୁଝ୍‌ବେନ୍ଦ୍ର ଚହଲ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍‌ ୧୧ : ଫିନ୍‌ ଆଲେନ୍‌, ଡେଭନ୍‌ କନ୍‌ୱେ, ମାର୍କ ଚାପ୍‌ମ୍ୟାନ୍‌/ହେନ୍‌ରି ନିକୋଲାସ୍‌, ଡାରିଲ ମିଚେଲ, ଟମ୍‌ ଲାଥମ୍‌ (ଅଧିନାୟକ), ଗ୍ଲେନ୍‌ ଫିଲିପ୍ସ, ମାଇକେଲ ବ୍ରାସ୍‌ୱେଲ, ମିଚେଲ ସାଣ୍ଟ୍‌ନର, ହେନ୍‌ରି ସିପ୍‌ଲେ/ଡଗ୍‌ ବ୍ରାସ୍‌ୱେଲ, ଜାକୋବ ଡଫି, ଲୋକି ଫର୍ଗୁସନ୍‌।