କନକ ବ୍ୟୁରୋ : ଦୁବାଇରେ ଖେଳାଯାଉଥିବା ଏସିଆ କପର ଚତୁର୍ଥ ମ୍ୟାଚରେ ଟିମ୍ ଇଣ୍ଡିଆ ହଂକଂକୁ ୪୦ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତୀୟ ଦଳ ସୁପର-୪ ରେ ନିଜର ସ୍ଥାନ ପକ୍କା କରିଛି । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ ୱିକେଟ୍ ପାଇଁ ୧୯୨ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ହଂକଂ ଦଳ ୫ ୱିକେଟ୍ ହରାଇ ମାତ୍ର ୧୫୨ ରନ୍ ସ୍କୋର କରିଥିଲେ । ଭାରତରୁ ୧୯୩ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ହଂକଂ ଭଲ ଆରମ୍ଭ କରିନଥିଲା ।

Advertisment

ଦ୍ୱିତୀୟ ଓଭରରେ ଓପନର୍ ୟାସିମ ମୋର୍ଟାଜା ୯ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ସେ ଦୁଇଟି ଚୌକା ମାରିଥିଲେ । ଏହା ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବାବର ହାୟାତ୍ କିଛି ବଡ ସଟ୍ ମାରିଥିଲେ । କିନ୍ତୁ ଇତି ମଧ୍ୟରେ ଅଧିନାୟକ ନିଜାକାଟ ଖାନ ୧୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ତେବେ ବାବର ୩୫ ବଲରେ ୪୧ ରନ୍ ସ୍କୋର କରିବା ପରେ ଜାଡେଜାଙ୍କ ବଲରେ ଆଉଟ୍ ହୋଇଥିଲେ । ସେ ତିନୋଟି ଚୌକା ଓ ଦୁଇଟି ଛକା ମାରିଥିଲେ । ଏହାପରେ ଦଳର ବ୍ୟାଟସମ୍ୟାନ ସେଭଳି ଭଲ ପ୍ରଦର୍ଶନ କରିପାରିନଥିଲେ ।

ଭାରତରୁ ଅର୍ଶଦୀପ ସିଂ, ରବିନ୍ଦ୍ର ଜାଡେଜା, ଆବେଶ ଖାନ ଏବଂ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଏକ ଧୂଆଁଧାର ଇନିଂସ ଖେଲିଥିଲେ । ୨୬ଟି ବଲରେ ସେ ୬୮ରନ୍ କରିଥିଲେ । ଯେଉଁଥିରେ ୬ଟି ଚୌକ ଓ ୬ଟି ଛକ୍କା ସାମିଲ ଥିଲା । ସେହିପରି ବିରାଟ କୋହଲି ୪୪ ବଲରେ ୫୯ ରନ୍ କରିଥିଲେ । ସେ ତିନୋଟି ଛକ୍କା ଏବଂ ଗୋଟିଏ ଚୌକା ମାରିଥିଲେ । ଏବେ ରବିବାର ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ହେବ ବୋଲି ଜଣାପଡିଛିା ତେବେ ଏଥିପାଇଁ ପାକିସ୍ତାନକୁ ହଂକଂ ବିପକ୍ଷ ମ୍ୟାଚ ଜିତିବାକୁ ପଡିବ ।