୫ମ ଟେଷ୍ଟରେ ଭାରତର ଲଢେଇ ସତ୍ୱେ ଦୃଢ ସ୍ଥିତିରେ ଇଂଲଣ୍ଡ : ଆଲିଷ୍ଟର କୁକଙ୍କ ଚମତ୍କାର ବ୍ୟାଟିଂ, ଘରୋଇ ଦଳ ୧୫୪ ରନରେ ଆଗୁଆ

21

କନକ ବ୍ୟୁରୋ: ସାଉଥମ୍ପଟନ୍‌ ଟେଷ୍ଟ୍‌କୁ ଘରୋଇ ଇଂଲଣ୍ଡ ଧିରେ ଧିରେ ତା’ କବ୍‌ଜାକୁ ନେବା ଆରମ୍ଭ କରିଛି। ଭାରତ ପ୍ରଥମ ପାଳିରେ ୨୯୨ ରନ୍‌ କରି ୪୦ ରନ୍‌ରେ ପଛୁଆ ରହିବା ପରେ ଇଂଲଣ୍ଡ ଅସମାପ୍ତ ଦ୍ୱିତୀୟ ପାଳିରେ ୨ ଓ୍ଵିକେଟ୍‌ ବିନିମୟରେ ୧୧୪ ରନ୍‌ କରି ନେଇଛି। ଫଳରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ମୋଟ ଉପରେ ୧୫୪ ରନ୍‌ରେ ଆଗୁଆ ରହିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କିଟନ ଜେନିଙ୍ଗ୍ସ (୧୦) ଙ୍କୁ ମହମ୍ମଦ ସାମି ଓ ମୋଇନ ଅଲ୍ଲୀ (୨୦)ଙ୍କୁ ରବୀନ୍ଦ୍ର ଜାଦେଜା ବୋଲ୍ଡ କରି ଭାରତକୁ ଦୁଇଟି ସଫଳତା ଉପହାର ଦେଇଛନ୍ତି। ସେପଟେ ଜୀବନର ଶେଷ ଟେଷ୍ଟ୍‌ ପାଳି ଖେଳୁଥିବା ଆଲେଷ୍ଟର କୁକ୍‌ ୪୬ ଏବଂ ଅଧିନାୟକ ଜୋ ରୁଟ୍‌ ୨୯ ରନ୍‌ କରି ଅପରାଜିତ ରହିଛନ୍ତି।

ପ୍ରଥମ ପାଳିରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଜାଦେଜା (୮୬*) ଏବଂ ହନୁମା ବିହାରୀ (୫୬) ହିଁ ଭାରତର ସମ୍ମାନ ରଖିଥିଲେ। ଶୃଙ୍ଖଳାରେ ପ୍ରଥମ ଥର ପାଇଁ ସୁଯୋଗ ପାଇଥିବା ଜାଦେଜା ଓ ପଦାର୍ପଣକାରୀ ହନୁମାଙ୍କ ଲଢ଼ୁଆ ଅର୍ଧଶତକ ବଳରେ ଭାରତ ପ୍ରଥମ ପାଳିରେ ୨୯୨ ରନ୍‌ କରି ସମ୍ମାନ ରଖିଥିଲା। ତଥାପି ଇଂଲଣ୍ଡର ୩୩୨ ରନ୍‌ଠାରୁ ୪୦ ରନ୍‌ ପଛରେ ଅଟକି ଯାଇଥିଲା। ଅଧିନାୟକ ବିରାଟ କୋହଲି (୪୯)ଙ୍କୁ ଛାଡ଼ି ଅନ୍ୟ ସମସ୍ତ ଶୀର୍ଷକ୍ରମ ତାରକା ନିଜ ନିଜ ଓ୍ଵିକେଟ୍‌ ଫିଙ୍ଗିଦେବା ପରେ ଶନିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ୍‌ରେ ୧୯୬ ରନ୍‌ କରିଥିଲା। ସେହି ସ୍କୋରରୁ ରବିବାରର ଖେଳ ଆରମ୍ଭ କରି ହନୁମା ୧୦୪ ବଲ୍‌ରୁ ୪ ଚୌକା ଏବଂ ଗୋଟିଏ ଛକା ବଳରେ ଜୀବନର ପ୍ରଥମ ଅର୍ଧଶତକ ପୂରଣ କରି ଚୟନକର୍ତାଙ୍କ ନିଷ୍ପତ୍ତିକୁ ସାର୍ଥକ କରିଥିଲେ।

ଅଲରାଉଣ୍ଡର ମୋଇନ ଅଲ୍ଲୀ ଓ୍ଵିକେଟ୍‌ ରକ୍ଷକ ଜନି ବେୟାରଷ୍ଟୋଙ୍କ ହାତରେ କ୍ୟାଚ୍‌ କରାଇ ବିହାରୀଙ୍କ ଲଢ଼ୁଆ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ଏହା ମଧ୍ୟ ରବିବାରର ପ୍ରଥମ ଓ୍ଵିକେଟ୍‌ ଥିଲା। ସେହିଭଳି ପ୍ରଥମ ଚାରି ଟେଷ୍ଟ୍‌ରେ ସୁଯୋଗ ପାଇ ନଥିବା ଜାଦେଜା ୧୧୩ ବଲ୍‌ରୁ ୭ ଚୌକା ସହାୟତାରେ ନବମ ଅର୍ଧଶତକ ହାସଲ କରିଥିଲେ। ଶେଷ ଆଡ଼କୁ ସେ ଦ୍ରୁତ ରନ୍‌ ସଂଗ୍ରହ କରି ପ୍ରଥମ ଶତକ ଦିଗରେ ଅଗ୍ରସର ହେଉଥିଲା ବେଳେ ଭାରତୀୟ ନିମ୍ନକ୍ରମ ଖେଳାଳିଙ୍କ ବେପରୁଆ ଖେଳ ପାଇଁ ଏଥିରୁ ବଞ୍ଚିତ ହୋଇଥିଲେ। ଶେଷ ତିନି ବ୍ୟାଟ୍ସମ୍ୟାନ ଈଶାନ୍ତ ଶର୍ମା (୪), ମହମ୍ମଦ ସାମି (୧) ଓ ଯସପ୍ରୀତ ବୁମରା (୦) ଏକ ଅଙ୍କ ଆଗକୁ ବଢ଼ି ନପାରିବା ଫଳରେ ଭଲ ବ୍ୟାଟିଂ କରୁଥିବା ଜାଦେଜା ଏକ ସ୍ମରଣୀୟ ଶତକରୁ ବଞ୍ଚିତ ହୋଇଥିଲେ। ଇଂଲଣ୍ଡ ପାଇଁ ଜେମ୍ସ ଆଣ୍ଡରସନ୍‌, ବେନ୍‌ ଷ୍ଟୋକ୍ସ ଓ ମୋଇନ ଅଲ୍ଲୀ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ବାଣ୍ଟିନେଇଥିଲେ। ଶେଷ ଓ୍ଵିକେଟ୍‌ ଭାବେ ବୁମରା ରନ୍‌ ଆଉଟ୍‌ ହୋଇଥିଲେ।