ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ : ବିଜୟ ସହ ଆଉ ଏକ ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଅବିଶ୍ୱସନୀୟ ଢ଼ଙ୍ଗରେ ପ୍ରଥମ ମ୍ୟାଚ ଜିତିଥିବାରୁ ଦୃଢ଼ ମନୋବଳ ସହ ପଡିଆକୁ ଓହ୍ଲାଇବ କୋହଲି ବାହିନୀ; ଖେଳି ପାରନ୍ତି ସୂର୍ଯ୍ୟ କୁମାର ଯାଦବ
କନକ ବ୍ୟୁରୋ : ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇପାରିଲେ କୋହଲି ବାହିନୀ କେବଳ ଶୃଙ୍ଖଳା ଜିତିବନି ଶକ୍ତିଶାଳୀ ଇଂଲଣ୍ଡକୁ ମୂଳପୋଛ ବି କରିପାରିବ । କାରଣ ପୂର୍ବରୁ ଖେଳାଯାଇଥିବା ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ନିଜ ନାଁରେ କରି ନେଇଛି ଟିମ୍ ଇଣ୍ଡିଆ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଆହତ ହୋଇ ଶେଷ ଦୁଇ ଦିନିକିଆରୁ ବାଦ୍ ପଡ଼ିବା ପରେ ନିକଟରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବା ମୁମ୍ବାଇର ପ୍ରତିଭାବାନ ଖେଳାଳି ସୂର୍ଯ୍ୟକୁମାର ଯାଦବ ଆସନ୍ତାକାଲି ହିଁ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ୍ ଜୀବନ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ଦୁଇ ନବାଗତ ତାରକା କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧକୃଷ୍ଣ ମଧ୍ୟ ପୁଣି ଥରେ ସୁଯୋଗ ପାଇବେ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଫର୍ମକୁ ଫେରି ସାରିବାର ସଙ୍କେତ ପ୍ରଥମ ମ୍ୟାଚ୍ରେ ଦେଇ ସାରିଛନ୍ତି । ରୋହିତ ଶର୍ମାଙ୍କ କହୁଣୀରେ ଆଘାତ ଲାଗିବା ପରେ ପ୍ରଥମ ମ୍ୟାଚ୍ର ଇଂଲଣ୍ଡ ପାଳିରେ ସେ କ୍ଷେତ୍ରରକ୍ଷଣ କରି ପାରି ନଥିଲେ । ତେବେ ଶୁକ୍ରବାର ମ୍ୟାଚ୍ ଲାଗି ସେ ସୁସ୍ଥ ଥିବାର ସଙ୍କେତ ମିଳିଛି । ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କ ସ୍ଥାନ କିନ୍ତୁ ଲେଗ୍ସ୍ପିନର ୟୁଜବେନ୍ଦ୍ର ଚହଲ ନେଇ ପାରନ୍ତି ।
ଅନ୍ୟପକ୍ଷରେ ପ୍ରତିପକ୍ଷ ଇଂଲଣ୍ଡ ଜିତିବା ସ୍ଥିତିରେ ଥାଇ ହାରିବା ପରେ ଦ୍ବିତୀୟ ମ୍ୟାଚ୍ରେ ବିଜୟ ଧାରାକୁ ଫେରିବା ସହ ଶୃଙ୍ଖଳା ବଞ୍ଚାଇବା ଲକ୍ଷ୍ୟରେ ରହିବ। ଅଧିନାୟକ ଇଅନ ମୋର୍ଗାନ ଓ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ସାମ୍ ବିଲିଙ୍ଗ୍ସ ପୂରା ସୁସ୍ଥ ନରହିବା ଏହି ଦଳ ପାଇଁ ଚିନ୍ତାର କାରଣ ହୋଇପାରେ । ପ୍ରଥମ ମ୍ୟାଚ୍ରେ ଜୋସ୍ ବଟଲର ଓ ଜନି ବେୟାରଷ୍ଟୋଙ୍କ ଧମାକାଦାର ବ୍ୟାଟିଂ ସତ୍ତ୍ବେ ମଧ୍ୟକ୍ରମ ବିଫଳତା ପାଇଁ ବୃହତ୍ ପରାଜୟର ସମ୍ମୁଖୀନ ହୋଇଥିଲା ଇଂଲଣ୍ଡ । ଦ୍ବିତୀୟ ମ୍ୟାଚ୍ରେ ଏହି ଭୁଲ ସୁଧାରି ପାରିଲେ ହିଁ ଭାରତର ବିଜୟ ରଥକୁ ରୋକି ପାରିବ ଏହି ଦଳ ।
ପିଚ୍ ପ୍ରଥମରୁ ବୋଲରଙ୍କୁ ସହାୟତା କରିବ। ପରେ କିନ୍ତୁ ବ୍ୟାଟିଂ ଉପଯୋଗୀ ହୋଇଯିବ। ସେହିଭଳି ଦ୍ବିତୀୟାର୍ଦ୍ଧରେ କାକର ଏକ ସମସ୍ୟା ଭାବେ ଉଭା ହୋଇପାରେ। ଏଣୁ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାର ସମ୍ଭାବନା ଅଧିକ। ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୯ ନଭେମ୍ବର ପରେ ପ୍ରଥମ ଶତକ ହାସଲ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ଏହା କରି ପାରିଲେ ସେ ରିକି ପଣ୍ଟିଂଙ୍କୁ ଟପିବା ସହ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇ ପାରିବେ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଶାର୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧକୃଷ୍ଣ।
ସମ୍ଭାବ୍ୟ ଇଂଲଣ୍ଡ: ଜାସନ ରୟ, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଇଅନ ମୋର୍ଗାନ (ଅଧିନାୟକ), ଜୋସ୍ ବଟଲର, ସାମ୍ ବିଲିଙ୍ଗ୍ସ, ମୋଇନ ଅଲ୍ଲୀ, ସମ୍ କରନ, ଟମ୍ କରନ, ଆଦିଲ ରସିଦ, ମାର୍କ ଉଡ୍/ରେସେ ଟପଲି।