ଆଜିଠାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ : ଆଉ ଏକ ସ୍ପିନ୍ ଟ୍ରାକରେ ଇଂଲଣ୍ଡକୁ ଘାଇଲା କରିବାକୁ ରଣନୀତି

ଟିମ୍ ଇଣ୍ଡିଆର ଲକ୍ଷ୍ୟ ୩-୧ରେ ସିରିଜ୍ ବିଜୟ ସହ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଟିକେଟ

284

କନକ ବ୍ୟୁରୋ : ଆଜିଠାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଭାରତ- ଇଂଲଣ୍ଡ ଚତୁର୍ଥ ତଥା ଶେଷ ଟେଷ୍ଟ । ଗୋଲାପୀ ବଲରେ ଖେଳାଯାଇଥିବା ତୃତୀୟ ଟେଷ୍ଟକୁ ଦୁଇ ଦିନ ଭିତରେ ଚମତ୍କାର ଢଙ୍ଗରେ ଜିତି ନେଇଥିଲା ଭାରତ । ଏବେ ନଜର ରହିଛି ଚତୁର୍ଥ ଟେଷ୍ଟ ଉପରେ । ଏ ମ୍ୟାଚ ଜିତିଲେ ବା ଡ୍ର ରଖିଲେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଖେଳିବା ଟିକେଟ ପକ୍କା । ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଅକ୍ଷର ପଟେଲଙ୍କ ଯୋଡି ପୂର୍ବ ମ୍ୟାଚରେ ଇଂଲଣ୍ଡର ୧୮ ୱିକେଟ ପୋଛି ନେଇଥିଲେ । ତେଣୁ ଏଥର ମୋଟେରାର ପିଚ୍ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଜୋ ରୁଟଙ୍କ ଦଳ କିନ୍ତୁ ବିଜୟ ସହ ସିରିଜ୍ ବରାବର କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଭାରତୀୟ ଦଳରୁ ପେସ୍ ବୋଲର ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବାକୁ ତାଙ୍କ ସ୍ଥାନରେ କିଏ ସ୍ଥାନ ପାଇବ ତାହା ଉପରେ ବି ନଜର ରହିଛି । ଉମେଶ ଯାଦବ କିଂବା ମହମ୍ମଦ ସିରାଜ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି । ସ୍ଥାନୀୟ ତାରକା ତଥା ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସ ମ୍ୟାନ୍ ଚେତେଶ୍ୱର ପୂଜାରା ଗତ ମ୍ୟାଚରେ ବିଫଳ ହୋଇଥିବାରୁ ଏଠାରେ ଏକ ବଡ ଇନିଂସ ଖେଳିବା ଆଶା କରନ୍ତି କ୍ରିକେଟ ପ୍ରେମୀ । ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ସାଢେ ୯ଟାରୁ ଆରମ୍ଭ ହେବ ।