ଆଜି ଠାରୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ : ପୁଣେରେ ଖେଳାଯିବ ପ୍ରଥମ ମ୍ୟାଚ୍

ଟି ୨୦ ସିରିଜ ବିଜୟ ପରେ ଭଲ ଆରମ୍ଭ ନେଇ ଭାରତ ଆଶାବାଦୀ; ରୋହିତ-ଶିଖର ଓପନିଂ ନେଇ କୋହଲି ଦେଲେ ଇସାରା

144

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଆରମ୍ଭ ହେଉଛି ଦିନିକିଆ ସିରିଜ । ଏହି ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ ଆଜି ପୁଣେରେ ଖେଳାଯିବ । ଅପରାହ୍ନ ସାଢେ ଗୋଟାଏ ସମୟରେ ଆରମ୍ଭ ହେବ ଏହି ମ୍ୟାଚ । ଟେଷ୍ଟ ଓ ଟି ୨୦ ସିରିଜରେ ରୋମାଂଚକର ମୁକାବିଲା ଭିତରେ ସିରିଜ କବଜା କରିନେଇଥିଲା ଭାରତ । ତେଣୁ ଦିନିକିଆ ସିରିଜରେ ଜୋରଦାର ଟକ୍କର ଦେଖିବାକୁ ମିଳିବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।

ସମ୍ମାନ ରକ୍ଷା ପାଇଁ ଶକ୍ତିଶାଳୀ ଇଂଲଣ୍ଡ ଟିମ୍ ଦିନିକିଆ ସିରିଜ ବିଜୟୀ ହେବାକୁ ଉଦ୍ୟମ କରିବ ନିଶ୍ଚୟ । ନିକଟରେ ଟି ୨୦ ସିରିଜରେ ଭାରତ ବିଜୟୀ ହୋଇଥିବାରୁ ଦଳର ମନୋବଳ ଉଚ୍ଚା ରହିଛି । ଦିନିକିଆ ସିରିଜରେ ଭାରତ ପାଇଁ ରୋହିତ-ଶିଖର ଯୋଡି ଓପନିଂ କରିବେ ବୋଲି କ୍ୟାପଟେନ୍ କୋହଲି ସ୍ପଷ୍ଟ କରିଛନ୍ତି । ଟି ୨୦ର ପ୍ରଥମ ମ୍ୟାଚରେ ଶିଖର ବିଫଳ ହେବା ପରେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା । ଦିନିକିଆ ସିରିଜରେ ସମସ୍ତଙ୍କ ନଜରରହିବ ଭାରତୀୟ ଦଳରେ ରହିଥିବା ଏକାଧିକ ଯୁବ ଖେଳାଳିଙ୍କ ଉପରେ ।

ଦିନିକିଆରେ ଡେବ୍ୟୁ କରିପାରନ୍ତି ସୂର୍ଯ୍ୟକୁମାର ଯାଦବ । ଟି ୨୦ ସିରିଜରେ ଦମଦାର ପ୍ରଦର୍ଶନ କରି ଭାରତକୁ ସିରିଜ ବିଜୟୀ କରାଇବାରେ ତାଙ୍କର ଥିଲା ବଡ ଭୂମିକା । ସେହିପରି ଶ୍ରେୟର ଆୟାର, ହାର୍ଦ୍ଦିକ ପଣ୍ଡ୍ୟା, ରିସଭପନ୍ତ, ୱାଶିଂଟନ୍ ସୁନ୍ଦରଙ୍କ ଉପରେ ରହିବ ନଜର । ଇଅନ ମୋର୍ଗାନଙ୍କ ଦଳ ପାଇଁ ଜୋସ ବଟଲର, ଜାସନ ରାୟ ଏବଂ ଅଲରାଉଣ୍ଡର ବେନ୍ ଷ୍ଟୋକସଙ୍କ ଭୂମିକା ବଡ ଗୁରୁତ୍ୱପୂର୍ଣ୍ଣ ରହିବ ।