କନକ ବ୍ୟୁରୋ : ୨୦୨୪ ପାଇଁ ଚୀନ ଉପସ୍ଥାପନ କରିଥିବା ପ୍ରତିରକ୍ଷା ବଜେଟ ଗତବର୍ଷ ତୁଳନାରେ ୭.୨ ପ୍ରତିଶତ ବୃଦ୍ଧି କରିଛି । ଏବେ ଚୀନର ପ୍ରତିରକ୍ଷା ବଜେଟ ୧୯.୬୧ ଲକ୍ଷ କୋଟି ଟଙ୍କାରେ ପହଂଚିଛି । ଏହା ଭାରତର ପ୍ରତିରକ୍ଷା ବଜେଟ ତୁଳନାରେ ୩ ଗୁଣା ଅଧିକ । ଭାରତର ପ୍ରତିରକ୍ଷା ବଜେଟ ୬.୨୧ ଲକ୍ଷ କୋଟି ରହିଛି । ହେଲେ ଚୀନ ସେନାର ବଜେଟ ଏବେ ଆମେରିକା ସେନାର ବଜେଟ ଠାରୁ ୫୪ ଲକ୍ଷ କୋଟି ଟଙ୍କା କମ୍ ରହିଛି ।

ଗୋଟିଏ ପଟେ ଚୀନର ଅର୍ଥବ୍ୟବସ୍ଥା ତଳକୁ ଖସୁଥିବା ବେଳେ ଚୀନ ତାର ପ୍ରତିରକ୍ଷା ବଜେଟ ୫ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଂଚାଇଛି । ଚୀନ ଚଳିତ ବର୍ଷ ଆର୍ଥିକ ବିକାଶର ଲକ୍ଷ ୫ ପ୍ରତିଶତ ସେଟ୍ କରିଛି ।

ମଙ୍ଗଳବାର ଦିନ ଚୀନ ସଂସଦରେ ବଜେଟ ସହ ଜଡିତ ରିପୋର୍ଟ ଉପସ୍ଥାପନ କରିବା ବେଳେ ତାଇୱାନକୁ ନେଇ କଠୋର ଋଣନୀତି ଆପଣାଇଛି । ତାଇବାନ ପାଇଁ ଚୀନ ସମ୍ବିଧାନରେ ଥିବା ଶାନ୍ତିପୂର୍ଣ୍ଣ ଏକୀକରଣ ଶବ୍ଦକୁୁ ହଟାଇ ଦେଇଛି । ସେପଟେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶର ରକ୍ଷା ବଜେଟ ଆଶାତୀତ ଭାବେ ବୃଦ୍ଧି କରାଯାଇଛି । ୨୦୧୩ ମସିହରେ ଚୀନର ରକ୍ଷା ବଜେଟ ୮.୪୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୨୪ ରେ ଏହାକୁ ୧୯.୬୧ ଲକ୍ଷ କୋଟି ଟଙ୍କାରେ ପହଂଚିଛି । ଲଗାତର ୩୦ ବର୍ଷ ଧରି ଚୀନ ତାର ରକ୍ଷା ବଜେଟ ବୃଦ୍ଧି କରିବାରେ ଲାଗିଛି ।

କହିରଖୁ କି ଆମେରିକା ଓ ଚୀନ ପରେ ଭାରତ ହେଉଛି ରକ୍ଷା କ୍ଷେତ୍ରରେ ସର୍ବାଧିକ ଖର୍ଚ୍ଚ କରୁଥିବା ତୃତୀୟ ଦେଶ । ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଅର୍ଗାନାଇଜେଶନର ଏକ ରିପୋର୍ଟ ମୁତାବକ ଭାରତ ୨୦୨୨ ମସିହାରେ ୭୬.୬ ବିଲିୟନ ଡଲାର ବା ୬ ଲକ୍ଷ କୋଟି ଟଙ୍କା ରକ୍ଷା ବଜେଟ ଆଣିଥିଲା । ଯାହା ୨୦୨୦ ତୁଳନାରେ ୦.୯ ପ୍ରତିଶତ ଅଧିକ ଓ ୨୦୧୨ ତୁଳନାରେ ୩୩ ପ୍ରତିଶତ ଅଧିକ ।