କନକ ବ୍ୟୁରୋ : ଭାରତୀୟ ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ ଲେଖା ଯାଇଛି ‘ଇଣ୍ଡିଆ ଦ୍ୟାଟ୍ ଇଜ ଭାରତ ସାଲ ବି ଏ ୟୁନିୟନ ଅଫ ଷ୍ଟେଟ୍ସ’ । ଅର୍ଥାତ ଇଣ୍ଡିଆ ଯାହାକି ଭାରତ, ରାଜ୍ୟଗୁଡି଼କର ଏକ ସଂଘ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଦେଶର ନାଁ ହଟାଇ କେବଳ ଭାରତ କରିବାକୁ ଯୋଜନା କରୁଛନ୍ତି ମୋଦୀ ସରକାର । ଯାହାର ଅର୍ଥ ଦେଶର ନାଁ ଆଉ ଇଣ୍ଡିଆ ବୋଲି କୁହାଯିବ ନାହିଁ । ଏପରିକି ଆଗାମୀ ୧୮ରୁ ୨୨ ତାରିଖ ଯାଏଁ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏ ସଂପର୍କୀତ ପ୍ରସ୍ତାବ ଆଣିପାରନ୍ତି ମୋଦୀ ସରକାର । ଏଥିପାଇଁ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଅଣାଯାଇପାରେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ବିବାଦର ମୂଳ କାରଣ ହେଉଛି ଏହି ଆମନ୍ତ୍ରଣ ପତ୍ର । ଦିଲ୍ଲୀରେ ଆଗାମୀ ୯ ତାରିଖରୁ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ । ଏଥିରେ ଯୋଗଦେଉଥିବା ଅତିଥିଙ୍କୁ ଏକ ନୈଶ ଭୋଜିରେ ଯୋଗ ଦେବାପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଇଂରାଜୀରେ ଲେଖାଯାଇଥିବା ଏହି ଆମନ୍ତ୍ରଣ ପତ୍ରରେ ‘ଦି ପ୍ରେସିଡେଂଟ୍ ଅଫ ଇଣ୍ଡିଆ’ ସ୍ଥାନରେ ‘ଦି ପ୍ରେସିଡେଂଟ୍ ଅଫ ଭାରତ’ ବୋଲି ଲେଖାଯାଇଛି । ଯାହାକୁ ନେଇ ମୋଦୀ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛନ୍ତି ବିରୋଧୀ । ଇଣ୍ଡିଆ ମେଂଟର ଶକ୍ତିରେ ଭୟଭିତ ହୋଇ ମୋଦୀ ସରକାର ଦେଶର ନାଁ ପରିବର୍ତନ କରିବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ।

Advertisment

ଆଗାମୀ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଣସବୁ ପ୍ରସଙ୍ଗ ଆସିବ ସେନେଇ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ କିଛିଦିନ ତଳେ ଇଣ୍ଡିଆ ସ୍ଥାନରେ ଦେଶର ନାଁ କେବଳ ଭାରତ କହିବାକୁ ଆହ୍ୱାନ ଦେଇଥିଲେ । ତେଣୁ ସଂସଦରେ ସମ୍ବିଧାନ ସଂଶୋଧନ ବିଲ ଆଣି ମୋଦୀ ସରକାର ଏ ଦିଗରେ ପଦକ୍ଷେପ ନେଇ ପାରନ୍ତି ବୋଲି ବିରୋଧୀ ଆଶଙ୍କା କରୁଛନ୍ତି । ଲୋକସଭାରେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ଥିବାରୁ ଏଭଳି ବିଲ ପାସ କରାଇବାରେ ଏନଡିଏ ସରକାରକୁ ସମସ୍ୟା ହେବନାହିଁ । କିନ୍ତୁ ରାଜ୍ୟ ସଭାରେ ଅନ୍ୟ ଆଂଚଳିକ ସହଯୋଗୀ ଦଳଙ୍କ ସମର୍ଥନ ଆବଶ୍ୟକ କରିପାରନ୍ତି ମୋଦୀ ସରକାର । ୨୦୨୦ରେ ଏ ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ । ଦେଶର ନାଁକୁ ଇଣ୍ଡିଆ କୁହାନଯାଉ କେବଳ ଭାରତ କୁହାଯାଉ ବୋଲି ଦର୍ଶାଇଥିଲେ ଆବଦେନକାରୀ । କୋର୍ଟ କହିଥିଲେ ଏ ସଂପର୍କରେ ସରକାରଙ୍କୁ ଜଣାନ୍ତୁ । ଏବେ ସରକାର ଏ ସଂପର୍କିତ ବିଲ ଆଣି ସମ୍ବିଧାନ ସଂଶୋଧନ କଲେ ଗୋଟିଏ ଦେଶ ଗୋଟିଏ ନାଁ ରହିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।