କନକ ବ୍ୟୁରୋ : ଆଜି ସୁପର୍-୪ର ଶେଷ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ଯଦିଓ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଦୁଇ ଦଳ ମୁକାବିଲା ଜିତିବାକୁ ପ୍ରୟାସ କରିବ । ଏହି ମ୍ୟାଚରେ ଭାରତ ବାହାରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦେବ ନାଁ ସମାନ ଏକାଦଶ ସହ ମଇଦାନକୁ ଓହ୍ଲାଇବ, ତାହା ନିଷ୍ପତ୍ତି ନେବେ ରୋହିତ ଶର୍ମା । ସେପଟେ ସୁପର୍-୪ରେ ୨ଟି ଯାକ ମ୍ୟାଚ୍ ହାରିଥିବା ବାଂଲାଦେଶ ବିଶ୍ୱକପ୍ ପୂର୍ବରୁ ନିଜର ସାମର୍ଥ୍ୟ ପରୀକ୍ଷା କରିବାକୁ ମଇଦାନକୁ ଓହ୍ଲାଇବ ।

Advertisment

ସୁପର-୪ରେ ଦୁଇଟିଯାକ ମ୍ୟାଚ୍‌ ଜିତି ଭାରତ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ପକ୍କା କରିସାରିଛି । ତେଣୁ କିଛି ପ୍ରମୁଖ ଖେଳାଳିଙ୍କୁ ଫାଇନାଲ୍‌ ପର୍ଯ୍ୟନ୍ତ ଫିଟ୍‌ ରହିବାକୁ ବିଶ୍ରାମ ଦିଆଯାଇପାରେ । ପୂର୍ବରୁ ପାକିସ୍ତାନ ଓ ନେପାଳ ବିପକ୍ଷ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରେୟସ ଖେଳିଥିଲେ। କିନ୍ତୁ ତାଙ୍କ ପିଠିରେ ଯନ୍ତ୍ରଣା ହେବାରୁ ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ତାଙ୍କ ଅନୁପସ୍ଥିତିରେ କେଏଲ୍‌ ରାହୁଲ ଦଳରେ ସୁଯୋଗ ପାଇଥିଲେ । ବୁମ୍‌ରା ମଧ୍ୟ ଆହତରୁ ଫେରିବା ପରେ ଭଲ ପ୍ରଦର୍ଶନ ଦେଇଆସୁଛନ୍ତି। କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ବୋଲିଂ କରୁଥିବା ବେଳେ ରନ୍‌ ଅପ୍‌ରେ ତାଙ୍କ ଗୋଇଠି ସାମାନ୍ୟ ମୋଡ଼ି ହୋଇଯାଇଥିଲା । ଯଦିଓ ଏହାପରେ ସେ ଓଭର ଶେଷ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଡ୍ରେସିଂ ରୁମ୍‌ ଫେରିଯାଇଥିଲେ। ବିଶ୍ବକପ୍‌ ପାଇଁ ଏମାନେ ଦଳର ପ୍ରମୁଖ ଅସ୍ତ୍ର। ତେଣୁ ଏସିଆ କପ୍‌ ସମୟରେ ସାମାନ୍ୟତମ ଆହତ ଭାରତୀୟ ଦଳକୁ ମହଙ୍ଗା ପଡ଼ିପାରେ ।

ଗୁରୁବାର ୩୩ତମ ଜନ୍ମଦିନ ପାଳିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଭ୍ୟାସରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେଣୁ ଔପଚାରିକ ମ୍ୟାଚ୍‌ରେ ଏହି ମୁମ୍ବାଇ ବ୍ୟାଟର୍‌ଙ୍କୁ ଏକାଦଶରେ ସ୍ଥାନ ଦେଇ ଭାରତୀୟ ଦଳ ଉପହାର ଦେବାକୁ ଚାହିଁବ ନା ତାଙ୍କୁ ଆଉ କିଛି ମ୍ୟାଚ୍‌ ବସିବାକୁ ପଡ଼ିବ ତାହା ଅନ୍ୟତମ ମୁମ୍ବାଇ ଖେଳାଳି ରୋହିତ ଶର୍ମାଙ୍କ ଉପରେ ନିର୍ଭର କରୁଛି । ତଥାପି ମ୍ୟାଚ୍‌ ପୂର୍ବରୁ ପିଚ୍‌ର ସ୍ଥିତି କିପରି ରହୁଛି ଓ ପାଣିପାଗ କ’ଣ ରହିବ ତାହାକୁ ନଜରରେ ରଖି ରୋହିତ ଚୂଡ଼ାନ୍ତ ଦଳ ବାଛିବେ । ଅପରପକ୍ଷେ ବାଂଲ‌ାଦେଶ ପ୍ରଥମ ଦୁଇ ମ୍ୟାଚ୍‌‌ରେ ପରାଜିତ ହୋଇ ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଛି ।