ଆଜି ଦିଲ୍ଲୀରେ ଦମଦାର ମ୍ୟାଚ୍ । ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ । କୋହଲିଙ୍କ କୀର୍ତ୍ତିମାନ ଟପିବେ ରୋହିତ ।

1,046

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ଖେଳାଯିବ ଦମଦାର ମ୍ୟାଚ୍ । ଭାରତ-ବାଂଲାଦେଶ ମଧ୍ୟରେ ଆଜିଠୁ ଆରମ୍ଭ ହେବ ଟି-୨୦ ଶୃଙ୍ଖଳା । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ରବିବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି । ଏହି ଫର୍ମାଟରେ ବେଶ୍‌ କିଛି ସ୍ମରଣୀୟ ମୁକାବିଲା ଏବଂ ସ୍ବଳ୍ପ ବ୍ୟବଧାନ ଫରକ ଦେଖିବାକୁ ମିଳିଥିଲେ ମଧ୍ୟ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ସମସ୍ତ ୮ ମ୍ୟାଚ୍‌କୁ ଭାରତ ଜିତି ନେଇଛି ।

ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଛନ୍ତି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ନେତୃତ୍ବ ଭାର ମିଳିଛି । ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ କରିବାର ବିଶ୍ବ କୀର୍ତ୍ତିମାନ ଏବେ କୋହଲିଙ୍କ ନାମରେ ରହିଛି । ସେ ୬୭ ପାଳିରୁ ୨୪୫୦ ରନ୍‌ କରିଛନ୍ତି । ତାଙ୍କ ପଛକୁ ରୋହିତ ଶର୍ମା (୯୦ ପାଳି, ୨୪୪୩ ରନ୍‌) ଦ୍ବିତୀୟରେ ରହିଛନ୍ତି । ଫଳରେ କୋହଲିଙ୍କଠରୁ ରୋହିତ ଏବେ ୭ ରନ୍‌ ପଛରେ ରହିଛନ୍ତି । କୋହଲି ବାଂଲାଦେଶ ବିପକ୍ଷ ଶୃଙ୍ଖଳା ଖେଳୁନଥିବାରୁ ତାଙ୍କ ବିଶ୍ବ କୀର୍ତ୍ତିମାନ ଟପିବା ପାଇଁ ରୋହିତଙ୍କୁ ଆଉ ୮ ରନ୍‌ ଦରକାର । ଯାହାକି ଦିଲ୍ଲୀରେ ରବିବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ କୋହଲିଙ୍କୁ ଟପିବା ପାଇଁ ରୋହିତଙ୍କ ନିକଟରେ ସୁଯୋଗ ରହିଛି । ୮ ରନ୍‌ କରିପାରିଲେ ରୋହିତ ହିଁ ଏହି ଫଟାଫଟ୍‌ ଫର୍ମାଟ୍‌ରେ ସର୍ବାଧିକ ରନ୍‌ କରିବାର ବିଶ୍ବ କୀର୍ତ୍ତିମାନ ରଚିବେ । ଉଭୟ କୋହଲି ଓ ରୋହିତଙ୍କ ପଛକୁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍‌ କରିଥିବା ତାଲିକାରେ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗପ୍ଟିଲ (୨୨୮୫ ରନ୍‌, ୭୬ ପାଳି), ପାକିସ୍ତାନର ସୋଏବ୍‌ ମଲ୍ଲିକ (୨୨୬୩ ରନ୍‌, ୧୦୪ ପାଳି) ଏବଂ ନ୍ୟୁଜିଲାଣ୍ଡ୍‌ର ବ୍ରେଣ୍ଡନ ମ୍ୟାକ୍‌ଲମ୍‌ (୨୧୪୦ ରନ୍‌, ୭୦ ପାଳି) ରହିଛନ୍ତି ।

ଅଭ୍ୟାସ ବେଳେ ରୋହିତ ଆହତ :

ରବିବାର ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଅଭ୍ୟାସ ବେଳେ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁବାର ନେଟ୍‌ ସେସନ୍‌ ବେଳେ ବଲ୍‌ ଫିଙ୍ଗା ବିଶେଷଜ୍ଞ ନୁୱାନ ସେନେରିବୀରାତ୍ନେଙ୍କ ବିପକ୍ଷରେ ବ୍ୟାଟିଂ ଅଭ୍ୟାସ କରୁଥିଲା ବେଳେ ରୋହିତଙ୍କ ଗୋଡ଼ରେ ବଲ୍‌ ବାଜିଥିଲା । ରୋହିତ ଆହତ ହେବାରୁ ଅଭ୍ୟାସରୁ ଓହରି ଯାଇଥିଲେ । ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ଓ ନୁୱାନ ତାଙ୍କୁ ଶାନ୍ତ କରିଥିଲେ । ରୋହିତ ଆଉ ଅଭ୍ୟାସକୁ ଫେରିନଥିଲେ ମଧ୍ୟ ତାଙ୍କ ଆଘାତ ଗୁରୁତର ନୁହେଁ ବୋଲି କୁହାଯାଇଛି ।