କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟ୍ୱେଂଟି ଟ୍ୱେଂଟି ଶୃଙ୍ଖଳା। ଏହି ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଘରୋଇ ପଡ଼ିଆ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ ଆନ୍ତର୍ଜାତିକ ଷ୍ଟାଡିୟମ୍ କଂପ୍ଲେକ୍ସରେ ଖେଳାଯିବ । ଟେଷ୍ଟ ଶୃଙ୍ଖଳାକୁ ୩-୦ ଏବଂ ଦିନିକିଆ ଶୃଙ୍ଖଳାକୁ ୪-୧ରେ ଜିତି ନେଇଥିବା ବିରାଟ କୋହଲିଙ୍କ ବାହିନୀ ଟ୍ୱେଂଟି ଟ୍ୱେଂଟି ଶୃଙ୍ଖଳାରେ ମଧ୍ୟ ଆଧିପତ୍ୟ ବିସ୍ତାର କରିବା ଲକ୍ଷ୍ୟ ରଖିଛି ।

Advertisment

ଅନ୍ୟପକ୍ଷରେ ଟ୍ୱେଂଟି ଟ୍ୱେଂଟି ଦଳରେ କିଛି ନୁଆ ଖେଳାଳିଙ୍କୁ ସାମିଲ କରିଥିବା ଅଷ୍ଟ୍ରେଲିଆ ଚଳିତ ଗସ୍ତରେ ତା’ର ଭାଗ୍ୟରେ ପରିବର୍ତନ ଘଟିବ ବୋଲି ଆଶା ବାନ୍ଧିଛି । ତେବେ ପୂର୍ବ ପରିସଂଖ୍ୟାନକୁ ଦେଖିଲେ ଟ୍ୱେଂଟି ଟ୍ୱେଂଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପଲା ଭାରି ରହିଛି । ପରସ୍ପର ଦଳ ମଧ୍ୟରେ ମୋଟ ୫ ଶୃଙ୍ଖଳା ଖେଳା ଯାଇ ସାରିଥିଲା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମାତ୍ର ଥରେ ହାରିଛି । ଯାହା ଫଳରେ ଏକଦା ଶକ୍ତିଶାଳୀ ଦଳ ଭାବେ ପରିଗଣିତ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ମ୍ୟାଚ୍ ବିଜୟ ସଂଖ୍ୟା ୯-୩ ରହିଛି ।

ଶେଷଥର ପାଇଁ ଗତବର୍ଷ ଜାନୁଆରିରେ ପରସ୍ପର ୩ ମ୍ୟାଚ୍ ବିଶିଷ୍ଟ ଦ୍ୱିପାକ୍ଷିକ ଟ୍ୱେଂଟି ଟ୍ୱେଂଟି ଶୃଙ୍ଖଳା ଖେଳିଥିଲେ । ସେଥର ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତୀୟ ଦଳ ୩-୦ରେ ଶୃଙ୍ଖଳା ମୂଳପୋଛ କରି ନେଇଥିଲା । ଅଷ୍ଟ୍ରେଲିଆକୁ ନିଜ ମାଟିରେ ଧୂଳି ଚଟାଇଥିବା ଭାରତୀୟ ଦଳ ଏବେ ଆହୁରି ଶକ୍ତିଶାଳୀ ହୋଇଯାଇଛି । ପୁଣି ନିଜ ଘରୋଇ ମାଟିରେ ଯେକୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚକମା ଦେବାରେ ଏହି ଦଳ ମାହିର୍ । ଉଭୟ ପେସ୍ ଓ ସ୍ପିନ୍ ବିଭାଗରେ ବୋଲରମାନେ ଆତ୍ମବିଶ୍ୱାସରେ ଭରି ରହିଥିଲା ବେଳେ ପାରମ୍ପରିକ ବ୍ୟାଟିଂକ୍ରମର ଶକ୍ତି ହିଁ ବିରାଟ ବାହିନୀଙ୍କୁ ଚଳିତ ଗସ୍ତରେ ପୁଣି ଏକ ଶୃଙ୍ଖଳା ବିଜୟ ଭେଟିଦେବାର ସମ୍ଭାବନା ଅଧିକ ରହିଛି । ଆଉ ଯେପର୍ଯ୍ୟନ୍ତ ସ୍ପିନରଙ୍କୁ ସଠିକ୍ ଭାବେ ଖେଳିନପାରିବ, ସେତେବେଳ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଭାଗ୍ୟରେ ପରିବର୍ତନ ଘଟିବା ସମ୍ଭାବନା କମ୍ ରହିବ ବୋଲି କ୍ରିକେଟ୍ ବିଶେଷଜ୍ଞଙ୍କ ମତ ।

ଦଳୀୟ ସନ୍ତୁଳନ

ଭାରତୀୟ ଦଳରେ ହାର୍ଦିକ୍ ପାଣ୍ଡ୍ୟାଙ୍କ ଉତଥାନ ବିଶେଷକରି ଅଲରାଉଣ୍ଡର ଅଭାବ ପୂରଣ କରିଛି । ଗତ ଦିନିକିଆ ଶୃଙ୍ଖଳାରେ ସେ ୨୨୨ ରନ୍ କରିଥିଲା ବେଳେ ୬ ଓ୍ଵିକେଟ୍ ଦଖଲ କରିଥିଲେ । ଯାହାଫଳରେ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ହାତେଇଥିଲେ । ଏବେ ପୁଣି ବରିଷ୍ଠ ତଥା ଅଭିଜ୍ଞ ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରାଙ୍କ ପ୍ରତ୍ୟାବର୍ତନ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନଙ୍କ ପାଇଁ ଅଡୁଆ ସୃଷ୍ଟି କରିବ । ୩୪ ବର୍ଷ ବୟସ୍କ ନେହେରା ଚଳିତ ବର୍ଷ ଫେବ୍ରୁଆରିରେ ଇଂଲଣ୍ଡ ବିପକ୍ଷରେ ଶେଷ ୨୦-୨୦ ଖେଳିଥିଲେ । ବୋଲିଂରେ ତାଙ୍କର ଗତି ଓ ବିବିଧତା ସାଙ୍ଗକୁ ଶେଷ ପର୍ଯ୍ୟାୟ ବୋଲିଂ ଦକ୍ଷତା ହିଁ ଭାରତ ବିଜୟର ପ୍ରମୁଖ ଅଂଶ ହେବ । ନେହେରା ୨୬, ୨୦-୨୦ ଖେଳି ୩୪ ଓ୍ଵିକେଟ୍ ପାଇଛନ୍ତି । ବିଶ୍ୱସ୍ତରର ବ୍ୟାଟସମ୍ୟାନଙ୍କୁ ମଧ୍ୟ ସେ ଚକମା ଦେଖାଇବାର ସାମର୍ଥ୍ୟ ରଖିଛନ୍ତି । ସେ ୨୦-୨୦ ବିଶେଷଜ୍ଞ ବୋଲର ଭାବେ ପରିଗଣିତ ହେଉଥିବା ଯଶପ୍ରୀତ୍ ବୁମରାଙ୍କ ସହ ଭାରତୀୟ ଦଳର ଦ୍ରୁତ ବୋଲିଂ ମଙ୍ଗ ସମ୍ଭାଳିବେ ।

ଏମାନଙ୍କ ସାଙ୍ଗକୁ କଚଟି ସ୍ପିନ୍ ଯୋଡ଼ି କୁଲ୍ଦୀପ୍ ଯାଦବ ଓ ଯୁଜ୍ବେନ୍ଦ୍ର ଚହଲ୍ଙ୍କ ଯାଦୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳକୁ ଦିନିକିଆ ଶୃଙ୍ଖଳାରେ ଅପଦସ୍ଥ କରିଥିଲା। ୨୦-୨୦ରେ ବି ଯଦି ତାଙ୍କ ବୋଲିଂକୁ ଠିକ୍ ଭାବେ ବୁଝିବାରେ ତ୍ରୁଟି କରନ୍ତି, ତେବେ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍ ଦିନିକିଆ ଭଳି ସମଦଶା ଭୋଗିବା ନିଶ୍ଚି ତ। ପାଣ୍ଡ୍ୟାଙ୍କ ପରେ କେଦାର ଯାଦବ ମଧ୍ୟ ଅନ୍ୟତମ ଅଲରାଉଣ୍ଡର ଭାବେ ଦଳରେ ଅଭାବ ପୁରଣ କରୁଛନ୍ତି । ଦିକିକିଆ ଶୃଙ୍ଖଳାରେ ସର୍ବାଧିକ ରନ୍ ସଂଗ୍ରହକାରୀ ରୋହିତ ଶର୍ମା ମଧ୍ୟ ଅଷ୍ଟ୍ରେଲୀୟ ବୋଲରଙ୍କ ପାଇଁ ପୁଣି ଚିନ୍ତାରକାରଣ ପାଲଟିବେ ।

ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିବା ପରେ ବାମହାତୀ ଶିଖର ଧାଓ୍ଵନଙ୍କ ପ୍ରତ୍ୟାବର୍ତନ ଭାରତର ସାହସ ବଢ଼ାଇ ଦେଇଛି । ଅନ୍ୟପକ୍ଷରେ ଦିନିକିଆରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଆଜିଙ୍କ୍ୟ ରହାଣେ ବାଦ୍ ପଡ଼ିଥିବାରୁ ୨୦-୨୦ରେ ଲୋକେଶ ରାହୁଲ୍ଙ୍କ ଖେଳିବା ଏକପ୍ରକାର ନିଶ୍ଚିତ । ଶେଷ ଥର ପାଇଁ ରାଞ୍ଚିର ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ ଆନ୍ତର୍ଜାତିକ ଷ୍ଟାଡିୟମ୍ କଂପ୍ଲେକ୍ସରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟରେ ରାହୁଲ୍ ୬୭ ରନ୍ କରିଥିଲେ। ସେହିପରି ରାଞ୍ଚିର ଏହି ଷ୍ଟାଡିୟମରେ ଗତବର୍ଷ ଫେବ୍ରୁଆରିରେ ଶେଷ ୨୦-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚରେ ଘରୋଇ ଭାରତୀୟ ଦଳ ୬୯ ରନରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳକୁ ପରାସ୍ତ କରିଥିଲା ।

ଅନ୍ୟପକ୍ଷରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳରେ ୪ ପରିବର୍ତନ କରି ୨୦-୨୦ ଶୃଙ୍ଖଳାକୁ ଓହ୍ଲାଇବ । ବାମହାତୀ ଦ୍ରୁତ ବୋଲର ଜାସନ୍ ବେହରେନଡ୍ରଫ୍ ନୂଆ ମୁହଁ ଭାବେ ଦଳରେ ସାମିଲ ହୋଇଥିଲା ବେଳେ ଦୁଇ ଅଲରାଉଣ୍ଡର ଡାନ୍ କ୍ରିଷ୍ଟିଆନ୍ ଓ ମୋଜେସ୍ ହେନରିକ୍ସ ଏବଂ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍ ଟିମ୍ ପାଇନ୍ଙ୍କ ପ୍ରତ୍ୟାବର୍ତନ ଘଟିଛି । ଡେଭିଡ୍ ଓ୍ଵର୍ନର ଓ ଆରୋନ୍ ଫିଞ୍ଚ ସାଙ୍ଗକୁ ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କ ପ୍ରଦର୍ଶନ ଉପରେ ଭ୍ରମଣକାରୀ ଦଳର ଭାଗ୍ୟ ନିର୍ଭର କରିବ । ସ୍ମିଥ୍ ଚାମ୍ପିଅନ୍ସ ଟ୍ରଫି ଓ ବାଂଲାଦେଶ ଗସ୍ତରେ ୧୦ ଦିନିକିଆରୁ ୩୪୭ ରନ୍ କରିଥିଲେ ବି ଏପର୍ଯ୍ୟନ୍ତ ଶତକ ଜମାଇ ପାରିନାହାନ୍ତି । ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଫିଞ୍ଚ୍ ୨୫୦ ଓ ଓ୍ଵର୍ନର ୨୪୫ ରନ୍ କରିଥିବାରୁ ୨୦-୨୦ ଶୃଙ୍ଖଳାରେ ତାଙ୍କ ଉପରେ ଦଳ ସଂପୂର୍ଣ୍ଣ ନିର୍ଭର କରିବ । ସେହିପରି ଦିନିକିଆ ଶୃଙ୍ଖଳାରେ ସର୍ବାଧିକ ଓ୍ଵିକେଟ୍ ଅକ୍ତିଆର କରିଥିବା ନାଥନ୍ କୁଲ୍ଟ ନାଇଲଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନକୁ ମଧ୍ୟ ଦଳ ପାଥେୟ କରିବ ବୋଲି ସ୍ମିଥ୍ କହିଛନ୍ତି ।