କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ବ୍ରିସବେନ୍ ବିଜୟକୁ ନେଇ ବେଶ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେପଟେ, ଆଜିର ଐତିହାସିକ ବିଜୟ ପରେ ଭାରତୀୟ ଦଳ ପାଇଁ ବୋନସ ଘୋଷଣା କରିଛି ବିସିସିଆଇ । ବ୍ରିସବେନର ସ୍ମରଣୀୟ ବିଜୟ ପରେ ୫ କୋଟିର ବୋନସ ଘୋଷଣା କରିଛି ବିସିସିଆଇ । ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଛି ଭାରତୀୟ ଦଳ । ଆଜିର ବିଜୟ ପରେ ପୁରସ୍କାର ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଜୟ ଶାହା କହିଛନ୍ତି, ଆଜିର ବିଜୟ ଭାରତୀୟ କ୍ରିକେଟ୍ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ।
We are all overjoyed at the success of the Indian Cricket Team in Australia. Their remarkable energy and passion was visible throughout. So was their stellar intent, remarkable grit and determination. Congratulations to the team! Best wishes for your future endeavours.
— Narendra Modi (@narendramodi) January 19, 2021
ତେବେ ବିଦେଶ ମାଟିରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୩୨ ବର୍ଷ ପରେ ବ୍ରିସବେନରେ ହାରିଲା ଅଷ୍ଟ୍ରେଲିଆ । ୨-୧ରେ ଟେଷ୍ଟ ସିରିଜକୁ କଙ୍ଗାରୁ ହାତରୁ ଛଡେଇ ଆଣିଛି ଭାରତୀୟ ଦଳ । ଯୁବ ଖେଳାଳିଙ୍କୁ ନେଇ ବିଦେଶ ମାଟିରେ ହୋଇଥିବା ଫାଇଟରେ ଦମଦାର ପ୍ରଦର୍ଶନ କରିଛି ଭାରତ । ୩ ୱିକେଟ୍ ସହ ଅଷ୍ଟ୍ରେଲିଆକୁ ପରାଜୟର ମୁହଁ ଦେଖାଇ ଦେଇଛି ଟିମ୍ ଇଣ୍ଡିଆ । ଚତୁର୍ଥ ଟେଷ୍ଟ ସହ ସିରିଜ୍ ବିଜୟର ରିୟଲ ହିରୋ ପାଲଟି ଯାଇଛନ୍ତି ୫ ଜଣ ଯୁବ ଖେଳାଳି । ରିଷଭ ପନ୍ତ ୮୯ ରନ ସହ ନଟଆଉଟ୍ ଥିବା ବେଳେ ଶୁଭମନ୍ ଗିଲ୍- ୯୧, ସାର୍ଦ୍ଧୁଳ ଠାକୁର ୬୯ ରନ ସହ ୭ଟି ୱିକେଟ୍ ନେଇଛନ୍ତି ।
ସେହିଭଳି ମହମ୍ମଦ ସିରାଜ୍ ୬ଟି ୱିକେଟ୍ ନେଇଥିବା ବେଳେ ଚେତେଶ୍ୱର ପୂଜାରା ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ଆଜିଙ୍କ୍ୟ ରାହେଣେଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳକୁ ଏହି ଐତିହାସିକ ବିଜୟ ମିଳିଛି । ରିଷଭ ପନ୍ତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟାର ଅଫ ଦି ସିରିଜ ଅଷ୍ଟ୍ରେଲିଆର ବୋଲର ପେଟ୍ କମିନସ୍ ହୋଇଛନ୍ତି । ୧୯୮୮ରେ ଗାବାରେ ଅଷ୍ଟ୍ରେଲିଆ ହାରିଥିଲା । ୱେଷ୍ଟ ଇଣ୍ଡିଜ ଠାରୁ କଙ୍ଗାରୁ ଦଳକୁ ପରାସ୍ତ ହେବାକୁ ପଡିଥିଲା । ଦୀର୍ଘ ୩ ଦଶନ୍ଧି ପରେ ପୁଣି ଥରେ କଙ୍ଗାରୁ ଦଳରୁ ପରାଜୟ ବରଣ କରିବାକୁ ପଡିଛି । ଆଉ ଅଷ୍ଟ୍ରେଲିଆ ହାତରୁ ଟେଷ୍ଟ ସିରିଜ୍ ଛଡେଇ ଆଣିଛି ଭାରତ । ଏହାସହ ଟେଷ୍ଟ ରାଙ୍କ ତାଲିକାର ୨ ନମ୍ବରରେ ପହଞ୍ଚିଛି ଭାରତ । ନମ୍ବର ୱାନରେ ରହିଛି ନ୍ୟୁଜିଲାଣ୍ଡ ।