କନକ ବ୍ୟୁରୋ: ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଂଟର ସୁପର ଫୋର ମୁକାବିଲାରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ ଇଣ୍ଡିଆ । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱହୀନ ରହିଛି। ସେହିଭଳି କିଛି ପ୍ରମୁଖ ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦେଇ ଫାଇନାଲ୍ ପୂର୍ବରୁ ସେମାନଙ୍କୁ ସତେଜ ରଖିବ। ଅନ୍ୟପକ୍ଷରେ ଆଫଗାନିସ୍ତାନ କେବଳ ସାନ୍ତ୍ୱନାମୂଳକ ବିଜୟ ଆଶାରେ ରହିବ। ଅଭିଜ୍ଞତା ଅଭାବରୁ ହତଭାଗ୍ୟ ରହିଥିବା ଆଫଗାନିସ୍ତାନର ଲଢ଼ୁଆ ଖେଳ କିନ୍ତୁ ନିରପେକ୍ଷ ପ୍ରଶଂସକଙ୍କ ମନ ଜିତିଛି। ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ବୋଲର ଶେଷ ଓଭରରେ ସ୍ନାୟୁକୁ ନିୟନ୍ତ୍ରଣରେ ରଖି ନ ପାରି ଏବଂ ରବିବାର ରାତିରେ ବାଂଲାଦେଶ ବିପକ୍ଷରେ ମୁସ୍ତାଫିଜୁର ରେହମାନଙ୍କ ଶେଷ ଓଭରରୁ ଆବଶ୍ୟକ ୮ ରନ୍ କରିନପାରି ପରାଜିତ ହୋଇଥିଲା। ଏବେ ଦଳ ଶେଷ ସୁଯୋଗକୁ କିଛି କରିସ୍ମା କରି ଦେଖାଇବାର ଆଶାରେ ରହିବ। ଗ୍ରୁପ୍ ପର୍ୟ୍ୟାୟରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ହରାଇଥିବାରୁ ମଙ୍ଗଳବାର ଏହି ଦଳ ଭାରତକୁ ହରାଇଦେଲେ କିଛି ଆଶ୍ଚର୍ୟ୍ୟ ହେବାର ନାହିଁ।
ଭାରତ କିନ୍ତୁ ହଂକଂ ବିପକ୍ଷ ପ୍ରଭାବହୀନ ବିଜୟରୁ ଅଭିଯାନ ଆରମ୍ଭ କରିବା ପରେ ପାକିସ୍ତାନକୁ ହରାଇ ସୁପରଫୋର୍ ପହଞ୍ଚିଥିଲା। ଏହି ପର୍ୟ୍ୟାୟରେ ରୋହିତ ଶର୍ମାଙ୍କ ଦଳ ବାଂଲାଦେଶ ଏବଂ ପାକିସ୍ତାନକୁ ହରାଇବା ପରେ ଏବେ ଆଫଗାନିସ୍ତାନ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛି। ଭାରତ କିନ୍ତୁ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ ରଖିଥିବାରୁ ଏହି ମ୍ୟାଚ୍କୁ ଗୁରୁତ୍ୱ ଦେବ ନାହିଁ। ଦଳ ବାହାରେ ବସିଥିବା କିଛି ଖେଳାଳିଙ୍କୁ ସୁଯୋଗ ଦେବା ଯୋଜନାରେ ରହିଛି। ବିଶେଷ କରି ବ୍ୟାଟିଂରେ ଲୋକେଶ ରାହୁଲଙ୍କୁ ଖେଳାଇ ଶିଖର ଧାଓ୍ଵନଙ୍କ ବିଶ୍ରାମ ଦେବା ଲାଗି ପରାମର୍ଶ ଆସିଛି। ବୋଲିଂରେ ଖଲିଲ୍ ଅହମ୍ମଦ, ସିଦ୍ଧାର୍ଥ କୌଲ, ଦୀପକ ଚହରଙ୍କ ମଧ୍ୟରୁ ୨ ଜଣଙ୍କୁ ଖେଳାଇ ଫାଇନାଲ୍ ପୂର୍ବରୁ ଯଶପ୍ରତ୍ ବୁମରା ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦେବା ସମ୍ଭାବନା ରହିଛି। ସବୁଠାରୁ ବଡ଼ କଥା ହେବ ଭାରତର ମଧ୍ୟକ୍ରମ ପରୀକ୍ଷା।
ଶିଖର ଧାଓ୍ଵନ (୩୨୭) ଏବଂ ରୋହିତ ଶର୍ମା (୨୬୯) ବିଗତ ୪ ମ୍ୟାଚ୍ରେ ଏତେ ରନ୍ କରିଛନ୍ତି ଯେ ଅନ୍ୟମାନଙ୍କୁ ସୁଯୋଗ ହିଁ ମିଳିନାହିଁ। ତୃତୀୟ ସର୍ବାଧିକ ରନ୍ ଅମ୍ବାତି ରାୟୁଡୁ (୧୧୬) ରନ୍ କରିଛନ୍ତି କାରଣ ସେ ୩ ନମ୍ବର ସ୍ଥାନରେ ଆସୁଛନ୍ତି। ଏହି କାରଣରୁ ମଧ୍ୟକ୍ରମରେ ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ, କେଦାର ଯାଦବଙ୍କୁ ପର୍ୟ୍ୟାପ୍ତ ସୁଯୋଗ ମିଳିନାହିଁ। ଶିଖର ଓ ରୋହିତ ଯଥାକ୍ରମେ ୨୮୪ ଓ ୩୨୧ ବଲ୍ ଖେଳିଥିବାବେଳେ କାର୍ତିକ (୭୮), ଧୋନି (୪୦), କେଦାର (୨୭) ସୀମିତ ରହିଛନ୍ତି। ବଡ଼ ମ୍ୟାଚ୍ ଦିବସରେ ବିପର୍ୟ୍ୟୟ ଘଟିଲେ ଏମାନେ ଲୟ ଅଭାବରେ ପଡ଼ିବା ଆଶଙ୍କା ଅଛି। ନିୟମିତ ଭାବେ ୪ ନମ୍ବରରେ ଖେଳିଥିବା ଧୋନି ୪ ମ୍ୟାଚ୍ରୁ ମାତ୍ର ୨ ଥର ବ୍ୟାଟିଂ ପାଇ ୦ ଓ ୩୩ ରନ୍ କରିଛନ୍ତି। ମଧ୍ୟକ୍ରମ ସଜାଡ଼ି ନେବାକୁ ଭାରତକୁ ଏହି ମ୍ୟାଚ୍ ଏକ ସୁଯୋଗ ଭଳି ହେବ। ଫାଇନାଲ୍ ମ୍ୟାଚ୍ ପୂର୍ବରୁ ମୁଜିବ୍ ଉର୍ ରେହମାନ୍ ଓ ରସିଦ୍ ଖାନ୍ଙ୍କୁ ମୁକାବିଲା କରି ଭାରତର ମଧ୍ୟକ୍ରମ ମଧ୍ୟ ନିଜକୁ ଲୟରେ ରଖିପାରିବ।
ଏସିଆ କପ୍ରେ ଭାରତର ସମସ୍ତ ବୋଲର ଓଭର ପ୍ରତି ୫ରୁ କମ୍ ହାରରେ ରନ୍ ଦେବା ରୋହିତ ଶର୍ମାଙ୍କ ଦଳକୁ ଅପରାଜିତ ରଖିଛି। ଭୁବନେଶ୍ୱର କୁମାର (୪.୦୮ ହାରରେ ୬ ଓ୍ଵିକେଟ୍), ଯଶପ୍ରୀତ୍ ବୁମରା (୩.୩୭ ହାରରେ ୭ ଓ୍ଵିକେଟ୍), ୟୁଜବେନ୍ଦ୍ର ଚହଲ୍ (୪.୬୧ ହାରରେ ୫ ଓ୍ଵିକେଟ୍), କୁଲଦୀପ ଯାଦବ (୪.୦୧ ହାରରେ ୫ ଓ୍ଵିକେଟ୍) ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ପ୍ରତ୍ୟାବର୍ତନରେ ବାମହାତୀ ସ୍ପିନର ରବୀନ୍ଦ୍ର ଜାଦେଜା ବାଂଲାଦେଶ ବିପକ୍ଷରେ ୪ ଓ୍ଵିକେଟ୍ ନେଇ ଦିନିକିଆ ଦଳ ପାଇଁ ନୂଆ ଆଶା ଦେଖାଇଛନ୍ତି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍, ଭୁବନେଶ୍ୱର କୁମାର, ଯଶପ୍ରୀତ୍ ବୁମରା, ଖଲିଲ୍ ଅହମ୍ମଦ, ଦୀପକ ଚହର, ସିଦ୍ଧାର୍ଥ କୌଲ୍, ମନୀଷ ପାଣ୍ଡେ।
ଆଫଗାନିସ୍ତାନ ଦଳ: ମହମ୍ମଦ ସେହଜାଦ, ଇନ୍ସାନୁଲ୍ଲା ଜମାତ୍, ଜାଭେଦ ଅହମ୍ମଦି, ରହମତ୍ ସାହା, ଅସଗର ଷ୍ଟାନିକଜାଇ, ହସମତ୍ ସାହିଦି, ମହମ୍ମଦ ନବି, ଗୁଲବଦ୍ଦିନ୍ ନାଏବ, ରସିଦ୍ ଖାନ୍, ନଜିବୁଲ୍ଲା ଜଦ୍ରାନ, ମୁଜିବ୍ ଉର୍ ରେହମାନ୍, ଅଫତାବ୍ ଆଲାମ, ମସିଉଲ୍ଲା ସେନ୍ଓ୍ଵାରି, ମୁନିର ଅହମ୍ମଦ, ସୟଦ୍ ଅହମ୍ମଦ ସେର୍ଜାଦ୍, ମୋମଦ ଓ୍ଵାଫାଦାର।
ପାକ୍-ବାଂଲା ଟକ୍କର୍
ଏସିଆ କପ୍ରେ ଆଜି କିନ୍ତୁ ସମସ୍ତଙ୍କ ନଜର ରହିବ ପାକିସ୍ତାନ ବନାମ ବାଂଲାଦେଶ ମ୍ୟାଚ୍ ଉପରେ। ଏହି ମ୍ୟାଚ୍ର ବିଜେତା ହିଁ ଶୁକ୍ରବାରର ଫାଇନାଲ୍ ମ୍ୟାଚ୍ ଖେଳିବ ଭାରତ ସହିତ। ପାକିସ୍ତାନ ଚଳିତ ସଂସ୍କରଣରେ ଖେଳିଥିବା ୪ ମ୍ୟାଚ୍ରୁ ୨ଟି ଜିତିଛି। ଭାରତ ବିପକ୍ଷ ଉଭୟ ମୁକାବିଲା ହାରି ଚାପରେ ପଡ଼ିଛି। ହଂକଂ ବିପକ୍ଷରେ ବିଜୟୀ ହୋଇଥିବାବେଳେ ଆଫଗାନିସ୍ତାନ ବିପକ୍ଷ ସୁପର-୪ ମୁକାବିଲାରେ ସୋଏବ ମଲ୍ଲିକଙ୍କ ପାଳି ପାଇଁ ପରାଜୟରୁ ବର୍ତିଯାଇଥିଲା। ଏବେ କିନ୍ତୁ ସର୍ଫରାଜ ଅହମ୍ମଦଙ୍କ ଦଳ କର ବା ମର ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ବାଂଲାଦେଶ ସେଭଳି ପ୍ରଭାବୀ ପ୍ରଦର୍ଶନ କରିନଥିଲେ ମଧ୍ୟ ଅଧିକ ସନ୍ତୁଳିତ ଥିବାରୁ ପାକିସ୍ତାନକୁ ସହଜରେ ବାଟ ଛାଡ଼ିବା ସ୍ଥିତିରେ ନାହିଁ। ଫାଇନାଲ୍ ଖେଳିବା ଲକ୍ଷ୍ୟରେ ଥିବା ମସରାଫ୍ ମୋର୍ତାଜାଙ୍କ ଦଳକୁ ଏଥି ପାଇଁ କିନ୍ତୁ ପାକିସ୍ତାନକୁ ପ୍ରତିହତ କରିବାକୁ ପଡ଼ିବ।
କ୍ଲାଇଭ୍ଙ୍କ ଭଳି ଭାବନା ଲୁଚାଉଛନ୍ତି ରୋହିତ
ସୁନୀଲ ଗାଭାସ୍କର
ଲଗାତାର ଭାବେ ଦୁଇଟି ଶେଷ ଓଭର ପରାଜୟ ପରେ ଆଫଗାନିସ୍ତାନ କ’ଣ ବିଧ୍ୱଂସୀ ଭାରତ ବିପକ୍ଷରେ ଭଲ ଖେଳି ପାରିବ? ବିଜୟୀ ହେଲେ ବି ଦଳ ଫାଇନାଲରେ ପହଞ୍ଚି ନପାରେ କିନ୍ତୁ କ୍ରିକେଟ୍ପ୍ରେମୀଙ୍କ ହୃଦୟ ଜିତିବ। ଅନେକ ଘାତ ପ୍ରତିଘାତ ଓ ପ୍ରତିବଂଧକ ଦେଇ ଦଳ ଗଢ଼ିଥିବା ଆଫଗାନିସ୍ତାନ ନିଶ୍ଚିତ ଦିନିକିଆ କ୍ରିକେଟ୍ର ଏକ ପ୍ରେରଣାଦାୟୀ ଦଳ।
ଆଫଗାନିସ୍ତାନ ଖେଳାଳି ଏବେ ବି ସେମାନଙ୍କ ଦୁଃଖ ଓ ଉଲ୍ଲାସକୁ ନେଇ ଭାବବିହ୍ଵଳ। ବିଗତ ଦୁଇ ମ୍ୟାଚ୍ରେ ସେମାନେ କଠୋର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। କ୍ଷେତ୍ରରକ୍ଷକଙ୍କ ଭୁଲ ଓ ଭୟାତୁର ଆଚରଣ ପାଇଁ କ୍ୟାଚ୍ ହାତଛଡ଼ା ହୋଇଯାଉଥିଲା। କିନ୍ତୁ ପରବର୍ତୀ ବଲ୍ରେ ଭଲ କରିବାକୁ ଚେଷ୍ଟା କରୁଥିଲେ। କାରଣ ଦଳଗତ ଖେଳରେ ପ୍ରତି ବ୍ୟକ୍ତି ଭଲ ପ୍ରଦର୍ଶନ କରିବା ସମ୍ଭବ ନୁହେଁ। ଭୁଲକୁ ପଛରେ ପକାଇ ସେହି ଭୁଲକୁ କିଭଳି ଦଳର ସଫଳତାରେ ରୂପାନ୍ତର କରାଯିବ ତାହା ଗୁରୁତ୍ୱପୂର୍ଣ୍ଣ। ଅତୀତରେ ମହାନ ଖେଳାଳି କ୍ଲାଇଭ ଲୟଡଙ୍କ େଓ୍ଵଷ୍ଟ୍ଇଣ୍ଡିଜ୍ ଦଳ ମଧ୍ୟ କୌଣସି ପଡ଼ିଆ ଭିତର ଭୁଲ ପାଇଁ ଭାବାବେଗ ପ୍ରଦର୍ଶନ କରୁନଥିଲା। ନବେ ଦଶକରେ ମଧ୍ୟ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ସେଭଳି ଆଚରଣ କରୁଥିଲା ଦଳଗତ ସଫଳତା ଭିତରେ। କ୍ୟାଚ୍ ହାତଛଡ଼ା ହୋଇଗଲେ ବ୍ୟସ୍ତ ବିବ୍ରତ ନ ହୋଇ ଭାଗ୍ୟବାନ ବ୍ୟାଟସମ୍ୟାନ୍ ପଛରେ ସେମାନେ ପଡ଼ିରହୁଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବେ କ୍ଲାଇବ୍ ଲୟଡ଼ଙ୍କ ଭଳି ନିଜ ହସ ଭିତରେ ଭାବନାକୁ ଲୁଚାଇ ରଖିପାରୁଛନ୍ତି। ଫଳରେ କ୍ୟାଚ୍ ହାତଛଡ଼ା କରୁଥିବା କିମ୍ବା ମିସ୍ଫିଲ୍ଡ କରୁଥିବା ଖେଳାଳି ଉପରେ ଚାପ ରହୁନାହିଁ, ବରଂ ଅତିରିକ୍ତ ପ୍ରୟାସ ଲାଗି ସମ୍ପୃକ୍ତ ଖେଳାଳି ଉତ୍ସାହିତ ହୋଇପାରୁଛନ୍ତି।
ଭାରତର ପ୍ରାରମ୍ଭିକ ଯୋଡ଼ି ଶିଖର ଧାଓ୍ଵନ ଏବଂ ରୋହିତ ଶର୍ମା ଏବେ ପ୍ରତିପକ୍ଷଙ୍କ ହାତରୁ ମ୍ୟାଚ୍ ଛଡ଼ାଇ ଆଣୁଛନ୍ତି। ଫଳରେ ୫ ନମ୍ବର ପରଠାରୁ ବ୍ୟାଟସମ୍ୟାନ୍ଙ୍କୁ ପ୍ୟାଡ ପରିଧାନ ପରିବର୍ତେ ଅନେକ ସମୟ ପର୍ୟ୍ୟନ୍ତ ସର୍ଟସରେ ବସିବାର ଦେଖିବାକୁ ମିଳୁଛି। ଭାରତୀୟ ବୋଲରମାନେ ମଧ୍ୟ ଚମତ୍କାର କରି ଆସିଛନ୍ତି। ଭୁବନେଶ୍ୱର କୁମାରଙ୍କ ସେହି ଗୋଟିଏ ଓଭରକୁ ଛାଡ଼ିଦେଲେ ସେ ୟର୍କରକୁ ସୁନ୍ଦରଭାବେ ପକାଉଛନ୍ତି। ଭାରତ ନିଶ୍ଚିତ ଆତ୍ମପ୍ରସନ୍ନ ହେବ ନାହିଁ ଏବଂ ମୂଳପୋଛ ବିଜୟ ସହ ଫାଇନାଲ୍ରେ ପହଞ୍ଚିବ ବୋଲି ଆଶା କରାଯାଉଛି।