ଗଣତନ୍ତ୍ରର ମହାପର୍ବ:ସାରାଦେଶରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୧୭ ଲୋକସଭା ଆସନ ପାଇଁ ହେବ ମତଦାନ

ନିଜ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ ଭୋଟର;ସକାଳ ୭ରୁ ମତଦାନ ଆରମ୍ଭ

74

କନକ ବ୍ୟୁରୋ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆଜି । ୧୪ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ୧୧୭ ଲୋକସଭା ଆସନରେ ଆଜି ଭୋଟ ଗ୍ରହଣ ହେବ । ୧୧୭ ଲୋକସଭା ଆସନରେ ୧୬୩୦ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମତଦାନ ପାଇଁ ଆଜି ସକାଳୁ ବୁଥ ମୁହାଁ ହୋଇଛନ୍ତି ପୁଲିଂ ପାର୍ଟି । କଡା ସୁରକ୍ଷାରେ ଇଭିଏମ ସହ ଭୋଟ ଗ୍ରହଣ ପାଇଁ ଆବଶ୍ୟକୀୟ ସରଞ୍ଜାମ ଧରି ପୁଲିଂ ପାର୍ଟି ଯାଇଛନ୍ତି ।

ଆଜି ୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ସମସ୍ତ ଲୋକସଭା ଆସନରେ ମତ ସାବ୍ୟସ୍ତ କରିବେ ଭୋଟର । ସେଗୁଡିକ ହେଲା ଗୁଜରାଟର ସମସ୍ତ ୨୬ ଲୋକସଭା ଆସନ, କେରଳର ୨୦ ସଂସଦୀୟ ନିର୍ବାଚନ ମଣ୍ଡଳି, ଗୋଆର ୨ଟି ଆସନ, କେନ୍ଦ୍ର ଶାସିତ ଅଂଚଳ ଦାଦରାନଗର ଓ ହବେଲି, ଡାମନ ଡିୟୁର ଗୋଟିଏ ଲେଖାଏଁ ଲୋକସଭା ଆସନ । ଏହାଛଡା ଆସମର ୪ଟି ଲୋକସଭା ଆସନ, ବିହାରର ୫, ଛତିଶଗଡର ୭ ଆସନ, ଜମ୍ମୁକଶ୍ମୀରର ଗୋଟିଏ, କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୪, ଓଡିଶାର ୬ ଲୋକସଭା ଆସନ, ଉତ୍ତରପ୍ରଦେଶର ୧୦ ଓ ପଶ୍ଚିମବଙ୍ଗର ୫ଟି ଆସନରେ ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

ପୂର୍ବରୁ ତୃତୀୟ ପର୍ଯ୍ୟାୟରେ ୧୧୬ ଆସନରେ ନିର୍ବାଚନ ହେବାକୁ ଧାର୍ଯ୍ୟ କରାଯାଇଥିଲା । ହେଲେ ଦ୍ୱିତୀୟ ପର୍ଯ୍ୟାୟରେ ରଦ୍ଦ ହୋଇଥିବା ତ୍ରିପୁରା ପୂର୍ବାଂଚଳ ଲୋକସଭା ଆସନର ଭୋଟିଂ ମଧ୍ୟ ଆଜି ହେବ । ତେଣୁ ତୃତୀୟ ପର୍ଯ୍ୟାୟରେ ମୋଟ ୧୧୭ ଲୋକସଭା ଆସନରେ ମତଦାନ ଗ୍ରହଣ କରାଯିବ । ମହାରାଷ୍ଟ୍ରର ୧୪ଟି ଲୋକସଭା ଆସନ ପାଇଁ ମୈଦାନରେ ଅଛନ୍ତି ୨୪୯ ଜଣ ପ୍ରାର୍ଥୀ । ସେହିପରି ଉତ୍ତରପ୍ରଦେଶରେ ୧୦ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ୧୨୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । କର୍ଣ୍ଣାଟକର ୧୪ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୩୭ ଜଣ ପ୍ରାର୍ଥୀଙ୍କୁ ମତ ଦେଇ ଭୋଟର ବାଛିବେ । ଓଡିଶାର ୬ଟି ଲୋକସଭା ଆସନ ପାଇଁ ୬୧ଜଣ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ବି ଆଜି ନିର୍ଦ୍ଧାରଣ ହେବ । ଛତିଶଗଡର ୭ ଆସନ ପାଇଁ ୧୨୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିହାରର ୫ ଆସନରେ ଲଢୁଥିବା ୮୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ସଂଧ୍ୟାରେ ଇଭିଏମରେ ସିଲ ହୋଇଯିବ।