ଦେଶରେ ଗରିବ ହେଉଛନ୍ତି ଆହୁରି ଗରିବ, ଧନୀଙ୍କ ବଢୁଛି ଧନ : ୱାର୍ଲଡ ଇନକ୍ୱାଲିଟି ରିପୋର୍ଟ ୨୦୨୨ରୁ ଆସିଲା ଦେଶରେ ଅସାମନତାର ଚିତ୍ର 

 ଘରୋଇ ସେକ୍ଟରର ଦବଦବା ପାଇଁ ସରକାର ଦୁର୍ବଳ ହେଉଥିବା ରିପୋର୍ଟରେ ଉଲ୍ଲେଖ

244

କନକ ବ୍ୟୁରୋ : ଆମ ଦେଶରେ ଗରିବ ଆହୁରି ଗରିବ ହେଉଛି ଏବଂ ଧନୀ ଆହୁରି ଧନୀ ହେଉଛି । ଦୁନିଆରେ ଏପରି ଅସମାନତା ସର୍ବାଧିକ ରହିଛି ଆମ ଭାରତରେ । ୱାର୍ଲଡ ଇନକ୍ୱାଲିଟି ରିପୋର୍ଟ ୨୦୨୨ ପ୍ରକାଶରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଶରେ ଧନୀ ଏବଂ ଗରିବର ଆୟ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ଏହି ରିପୋର୍ଟ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୦ ପ୍ରତିଶତ ଧନୀଙ୍କ ଆୟ ଦେଶର ମୋଟ୍ ସମ୍ପତିର ୫୭ ପ୍ରତିଶତ । ସେହିପରି ୧ ପ୍ରତିଶତ ଧନୀଙ୍କ ମୋଟ୍ ସମ୍ପତି ଦେଶର ମୋଟ୍ ସମ୍ପତିର ୨୨ ପ୍ରତିଶତ ।

ସେହିପରି ତଳ ଆଡୁ ୫୦ ପ୍ରତିଶତ ଲୋକଙ୍କ ପାଖରେ ମୋଟ୍ ସମ୍ପତି କ୍ରମଶଃ କମି କମି ୧୩ ପ୍ରତିଶତରେ ପହଂଚିଛି । ଦେଶର ଯୁବକ ମାନଙ୍କ ହାରାହାରି ଆୟ ବାର୍ଷିକ ୨ ଲକ୍ଷ ୪ ହଜାର ୨୦୦ ଟଂକା ରହିଛି । ଏଥିମଧ୍ୟରୁ ତଳ ଆଡୁ ୫୦ ପ୍ରତିଶତ ଲୋକଙ୍କର ହାରାହାରି ଆୟ ୫୩ ହଜାର ୬୧୦ ଟଙ୍କା ରହିଛି । ସେହିପରି ଶ୍ରେଷ୍ଠ ୧୦ ଧନୀ ଯୁବକଙ୍କ ଆୟ ହାରାହାରି ଆୟ ୧୧ ଲକ୍ଷ ୬୬ ହଜାର ୫୨୦ ଟଂକା ରହିଛି । ଦେଶରେ ହାରାହାରି ପରିବାରର ସମ୍ପତି ୯ ଲକ୍ଷ ୮୩ ହଜାର ୧୦ ଟଂକା ଆକଳନ କରାଯାଉଛି । ତଳ ସ୍ତରରେ ଥିବା ୫୦ ପ୍ରତିଶତ ଲୋକଙ୍କ ପାଖରେ ହାରାହାରି ସମ୍ପତି ହେଉଛି ମାତ୍ର ୬୬ ହଜାର ୨୮୦ ଟଂକା ।

ମଧ୍ୟବିତ ଶ୍ରେଣୀଙ୍କ ହାରାହାରି ସଂପତି ୭ ଲକ୍ଷ ୨୩ ହଜାର ୯୩୦ ଟଂକା ରହିଛି । ଯାହାକି ମୋଟ୍ ସମ୍ପତିର ୨୯. ୫ ପ୍ରତିଶତ । ଦେଶର ଶ୍ରେଷ୍ଠ ୧୦ ପ୍ରତିଶତ ଧନୀ ଲୋକଙ୍କ ସମ୍ପତି ୬୫ ପ୍ରତିଶତ ରହିଛି । ଏମାନଙ୍କ ସମ୍ପତି ୬୩. ୫୪ ଲକ୍ଷ ଟଂକା । ସେହପରି ଦେଶର ମୋଟ୍ ସମ୍ପତିରେ ୩୩ ପ୍ରତିଶତ ଅଂଶଧନ ରଖନ୍ତି ୧ ପ୍ରତିଶତ ଧନୀ । ଯାହାର ମୂଲ୍ୟ ୩.୨୪ କୋଟି ଟଂକା । ସମ୍ପତି ଅସାମନତା ସହିତ ଲିଙ୍ଗଗତ ଅସମାନତାରେ ମଧ୍ୟ ଭାରତ ଅନ୍ୟ ଦେଶ ତୁଳନାରେ ଆଗରେ ରହିଛି । ଏହି ରିପୋର୍ଟର ବିଗତ ଚାରି ବର୍ଷର ରିପୋର୍ଟକୁ ତର୍ଜମା କଲେ ଜଣାପଡେ ଦେଶରେ ଧନୀଙ୍କ ସଂଖ୍ୟା ଯେଉଁଭଳି ଭାବରେ ବଢି ଚାଲିଛି ।

ସେହିପରି ସରକାର ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ଏପରି ରିପୋର୍ଟର ଅର୍ଥ ହେଲା ସରକାର ଏବେ ପୁଞ୍ଜିପତି ଏବଂ ଧନୀ ବର୍ଗଙ୍କ ନିୟନ୍ତ୍ରଣରେ ରହୁଛି । ଏବେ ଦେଶର ଅଧିକାଂଶ ସମ୍ପତିର ମାଲିକ ସାଧାରଣ ଲୋକ ପରିବର୍ତେ ଘରୋଇ କମ୍ପାନୀ ହାତରେ ରହୁଛି । କରୋନା ପାଇଁ ସରକାରଙ୍କ ଅବସ୍ଥା ଏବେ ବେହାଲ ରହିଛି । ଏପରି ସ୍ଥିତିରେ ଅନ୍ୟ ଦେଶର ସରକାର ମାନେ ସେମାନଙ୍କର ମୋଟ୍ ଅଭିବୃଦ୍ଧିର ୧୦ରୁ ୨୦ ପ୍ରତିଶତ ଋଣ ଉଠାଇଛନ୍ତି । ଏହି ଋଣ ଘରୋଇ ସେକ୍ଟର ମାନେ ଆଣିଛନ୍ତି ।