ନିକଟ ଭବିଷ୍ୟତରେ ଭାରତ, ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଏକ ଭିତ୍ତିଭୂମି ଚୁକ୍ତି ଚୂଡାନ୍ତ ହୋଇପାରେ | ଏହା ଚୁକ୍ତି ଅଧୀନରେ ଗଲ୍ଫ ଦେଶଗୁଡ଼ିକୁ ଆରବ ଦେଶ ସହ ଯୋଡିବା ପାଇଁ ରେଳ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ଏହି ରେଳ ନେଟୱାର୍କ ବନ୍ଦର ଏବଂ ସିପିଂ ଗାଡ଼ି ମାଧ୍ୟମରେ ଭାରତ ସହିତ ସଂଯୁକ୍ତ ହେବ । ଏହି ଚୁକ୍ତି ପାଇଁ ତିନି ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି ।
G-20 ଶିଖର ସମ୍ମିଳନୀରେ ତିନି ଦେଶର ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପ ଅଧୀନରେ ରେଳ ଏବଂ ବନ୍ଦରର ଭିତ୍ତିଭୂମି ବିକଶିତ ହେବ । ଚୀନ୍ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)ର ପ୍ରଭାବକୁ ପ୍ରତିହତ କରିବାପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଉଛି ବୋଲି ଅନୁମାନ କରାଯାଉଛି । ୨୦୨୪ ଆମେରିକା ନିର୍ବାଚନ ପୂର୍ବରୁ ଏହି ଚୁକ୍ତି ଓ ସାଉଦି ଆରବ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବାକୁ ବାଇଡେନ ପ୍ରଶାସନ ଚେଷ୍ଟା କରୁଛି । ଏହାପୂର୍ବରୁ ମେ ମାସରେ ଖବର ଆସିଥିଲା ଯେ ଭାରତର ଏନଏସଏ ଅଜିତ ଡୋଭାଲ ସାଉଦି ଆରବରେ ଆମେରିକାର ଏନଏଏ ଏବଂ ୟୁଏଇ ସହ ଏହି ଚୁକ୍ତି ବିଷୟରେ ଆଲୋଚନା କରିଛନ୍ତି ।
୧୮ ମାସ ଧରି ପ୍ରକଳ୍ପ ଉପରେ ଆଲୋଚନା
ହ୍ଵାଇଟ ହାଉସ ଏହି ପ୍ରକଳ୍ପ ପାଇଁ I2U2 ଫୋରମ୍ ରେ ଗତ ୧୮ ମାସ ଧରି ଆଲୋଚନା ଜାରିରଖିଛି । ଏହି ଫୋରମରେ ଆମେରିକା, ଇସ୍ରାଏଲ, ଭାରତ ଏବଂ ୟୁଏଇ ଅନ୍ତର୍ଭୁକ୍ତ ଅଛନ୍ତି । ମଧ୍ୟ ପ୍ରାଚ୍ୟର ଭିତ୍ତିଭୂମି ପ୍ରକଳ୍ପ ପାଇଁ ରଣନୀତି ସ୍ଥିର କରିବାକୁ ୨୦୨୧ ମସିହାରେ ଏହି ଫୋରମ୍ ସୃଷ୍ଟି କରାଯାଇଥିଲା । ଫୋରମ୍ ରେ ଯୋଗ ଦେଇଥିବା ଜଣେ ଇସ୍ରାଏଲ୍ ଅଧିକାରୀ କହିଛନ୍ତି ଯେ ମାସେ ଧରି ଚାଲିଥିବା ଆଲୋଚନାରେ କୌଣସି ଦେଶ ଚୀନ୍ର ନାମ ନେଇ ନାହାଁନ୍ତି କିନ୍ତୁ ଚୀନ୍ କାରଣରୁ ଏହା ସୃଷ୍ଟି ହେଇଛି । ମଧ୍ୟପ୍ରାଚ୍ୟରେ ଚୀନ୍ର ପ୍ରଭାବ ହ୍ରାସ କରିବାକୁ ଇସ୍ରାଏଲ୍ ମଧ୍ୟ ଏହି ପ୍ରକଳ୍ପର ଧାରଣା ଦେଇଛି । ଭିତ୍ତିଭୂମି ପ୍ରକଳ୍ପଗୁଡିକରେ ଅଭିଜ୍ଞତାକୁ ବିଚାରକୁ ନେଇ ଭାରତକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।
ଏହି ପ୍ରକଳ୍ପରେ ଯୋଗଦେବା ପଛରେ ଭାରତର ୩ ଟି ଉଦ୍ଦେଶ୍ୟ
ଏକ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ଚୀନ୍ କ୍ରମାଗତ ଭାବରେ ନିଜର ପ୍ରଭାବ ବିସ୍ତାର କରିଚାଲିଛି । ଚୀନ୍ ନେତୃତ୍ୱରେ ସାଉଦି ଆରବ ଏବଂ ଇରାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ଆମେରିକା ଏବଂ ଭାରତକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଏହି ଚୁକ୍ତି ଦ୍ୱାରା ପଶ୍ଚିମ ଏସିଆରେ ଭାରତର ପ୍ରଭାବ ହ୍ରାସ ହେଇପାରେ । ଏହି ପ୍ରକଳ୍ପ ଅଧୀନରେ ଯଦି ଗଲ୍ଫ ଏବଂ ଆରବ ମଧ୍ୟରେ ରେଳ ନେଟୱାର୍କ ଦକ୍ଷିଣ ଏସିଆ ସହିତ ସମୁଦ୍ର ମାର୍ଗ ଦ୍ୱାରା ସଂଯୁକ୍ତହୁଏ ତେବେ ତେଲ ଏବଂ ଗ୍ୟାସ ଦ୍ରୁତ ଏବଂ କମ୍ ମୂଲ୍ୟରେ ଭାରତରେ ପହଞ୍ଚି ପାରିବ । ଏହି ସଂଯୋଗ ଦ୍ଵାରା ଗଲ୍ଫ ଦେଶରେ ରହୁଥିବା ଭାରତର ୮୦ ଲକ୍ଷ ଲୋକ ମଧ୍ୟ ଉପକୃତ ହେବେ । ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାଦ୍ୱାରା ରେଳ କ୍ଷେତ୍ରର ଭିତ୍ତିଭୂମି ନିର୍ମାଣକାରୀ ଅଗ୍ରଣୀ ଦେଶ ଭାବରେ ଭାରତ ପରିଚିତ ହେବ ।
ସରକାର ଅନୁଭବ କରୁଛନ୍ତି ଯେ ପାକିସ୍ତାନ ଯୋଗୁଁ ଭାରତର ପାଶ୍ଚାତ୍ୟ ପଡୋଶୀ ଦେଶ ସହ ଯୋଗାଯୋଗ ପ୍ରଭାବିତ ହୋଇଛି । ସେମାନଙ୍କ ସହିତ ସମ୍ପର୍କକୁ ସୁଦୃଢ କରିବା ପାଇଁ ଅନେକ ବନ୍ଦ ହୋଇଯାଇଥିବା ସଡ଼କପଥ ବଦଳରେ ଏହି ନୂତନ ରେଳ ପ୍ରକଳ୍ପ ଭାରତକୁ ସାହାଜ୍ୟ କରିବ । ଉଦାହରଣ ସ୍ୱରୂପ ଚବାହାର ବନ୍ଦର (ଇରାନ), ବାନ୍ଦର-ଇ-ଅବ୍ବାସ (ଇରାନ), ଡୁକମ୍ (ଓମାନ), ଜେଡ୍ଡା (ସାଉଦି ଆରବ) ଏବଂ କୁଏତ ସହର ।