କନକ ବ୍ୟୁରୋ : ଜାତୀୟ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନିକ ସେବା ଯାଏ ସବୁ କ୍ଷେତ୍ରରେ ବଢ଼ୁଛି ଓଡ଼ିଆଙ୍କ ପ୍ରଭାବ । ବିଶେଷକରି ମୋଦୀ ସରକାର କ୍ଷମତାକୁ ଆସିବା ପରେ ଜଣେ ପରେ ଜଣେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ନିଯୁକ୍ତି ମିଳୁଥିବା ଦେଖିବାକୁ ମିଳୁଛି । ଏହି ଧାରା ଏବେବି ବଜାୟ ରହିଥିବାବେଳେ ଦେଶର ପ୍ରଭାବଶାଳୀ ଅଫିସର ତାଲିକାରେ ୩ ଓଡ଼ିଆଙ୍କ ଚମକ ଦେଖିବାକୁ ମିଳିଛି ।
ପ୍ରତିଷ୍ଠିତ ପତ୍ରିକା ଇଣ୍ଡିଆ ଟୁଡେ ପକ୍ଷରୁ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବାକୁ ଥିବା ପାୱାର ଲିଷ୍ଟ ଶୀର୍ଷକ ସ୍ୱତନ୍ତ୍ର ସଂଖ୍ୟାର ଏଭଳି ଏକ ତାଲିକା ପ୍ରକାଶ ପାଇଛି । ଯାହା ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିବ । ଅଜିତ ଡୋଭାଲ, ସିଡିଏସ ଜେନେରାଲ ବିପିନ ରାଉତ, ପ୍ରଧାନମନ୍ତ୍ରୀ ପ୍ରମୁଖ ଉପଦେଷ୍ଟା ପିକେ ସିହ୍ନା,କ୍ୟାବିନେଟ ସଚିବ ରାଜୀବ ଗୌବା ଭଳି ପ୍ରଶାସକଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛନ୍ତି ସମ୍ବଲପୁରରେ ଜନ୍ମିତ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର ।
ମୋଦୀଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ୭୨ ବର୍ଷିୟ ଶ୍ରୀ ମିଶ୍ରଙ୍କୁ ପ୍ରାଇମ୍ ମୁଭର ଆଖ୍ୟା ଦିଆଯାଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଜିତ ଡ଼ୋଭାଲ ଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ଅନ୍ୟ ଜଣେ ଓଡ଼ିଆ ତଥା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । । ଏହି ତାଲିକାରେ ତାଙ୍କୁ ଫାୟାର ଫାଇଟରର ଆଖ୍ୟା ଦିଆଯାଇଛି । ଏହି ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ଗିରୀଶ ମୁର୍ମୁ । ଇଣ୍ଡିଆ ଟୁଡ଼େ ତାଙ୍କୁ ହକ୍ ଆଇ ଆଖ୍ୟାା ଦେଇଛି ।