କନକ ବ୍ୟୁରୋ: ଋଷିଆ ତିଆରି କରିଥିବା କରୋନା ଟିକା ସ୍ପୁଟନିକ୍ ଭିକୁ ନେଇ ଆସିଛି ଏକ ବଡ ଖବର । ସ୍ପୁଟନିକ୍ ଭି ଟିକାର ଋଷୀୟ ନିର୍ମାତା କମ୍ପାନୀ ଭାରତରେ ଏହି ଟିକାର ବାର୍ଷିକ ୮୫୦ ମିଲିୟନ ଡୋଜ୍ ଟିକା ଉତ୍ପାଦନ ଯୋଜନା ରଖିଛି । ସ୍ପୁଟନିକ୍ ଭିକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ , ଏବେ ଏହି ଋଷୀୟ ଟିକା ନିର୍ମାଣକାରୀ କମ୍ପାନୀ ଭାରତୀୟ ଫାର୍ମା କମ୍ପାନୀଙ୍କ ସହିତ ମିଶି ବର୍ଷକୁ ୮୫୦ ମିଲିୟନ୍ ଡୋଜ୍ ଟିକା ତିଆରି ପାଇଁ ଯୋଜନା କରୁଥିବା ଜଣାପଡିଛି ।
ଗାମାଲେୟା ନାସନାଲ ରିସର୍ଚ ସେଂଟର ଫର ଏପିଡେମିଓଲଜି ଏବଂ ମାଇକ୍ରୋବାୟୋଲଜି ସହିତ ଅନୁବନ୍ଧିତ ହୋଇଛି ଋଷର ଟିକା ତିଆରି କମ୍ପାନୀ ଋଷିଆନ୍ ଡିରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ ବା ଆରଡିଆଇଏଫ୍ । ଏହି ଦୁଇ କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଏବେ ଡକ୍ଟର ରେଡ୍ଡିଙ୍କ ପରୀକ୍ଷାଗାର ସହିତ ସ୍ପୁଟନିକ୍ ଭି ଟିକାର ପରୀକ୍ଷା, ଅନୁମୋଦନ ଓ ଭାକସିନ୍ ଯୋଗାଣ କାମ ପାଇଁ ଚୁକ୍ତି କରିଛନ୍ତି ।
- ଭାରତରେ ସ୍ପୁଟନିକ ଭି ପ୍ରଥମ ୧୦୦ ମିଲିୟନ ଡୋଜ
- ଡକ୍ଟର ରେଡି ଲାବରେଟରିକୁ ମିଳିଛି ଟିକା ଯୋଗାଣର ଅଧିକାର
- ୮୫୦ ମିଲିୟନ ଟିକାର ଯୋଗାଣ , ହାତ ମିଳାଇଲେ ୫ ଫାର୍ମା କମ୍ପାନୀ
- ଗ୍ଲାଣ୍ଡ ଫାର୍ମା, ହେଟେରୋ ବାୟୋଫାର୍ମା, ପାନାସିଆ ବାୟୋଟେକ୍
- ଷ୍ଟେଲିସ୍ ବାୟୋଫାର୍ମା ଏବଂ ଭିରଚୋ ବାୟୋଟେକ
ଏକ୍ସପର୍ଟ କମିଟି ସ୍ପୁଟନିକ୍ ଭି ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଉପଯୁକ୍ତ ବୋଲି କହିବା ପରେ , ଡିସିଜିଆଇ ଦେଇଛି ଗ୍ରୀନ୍ ସିଗନାଲ । ଏହା ସହିତ ବିଶ୍ୱରେ ସ୍ପୁଟନିକ୍ ଭି ଟିକାକୁ ଅନୁମୋଦନ ଦେବାରେ ଭାରତ ହୋଇଛି ୬୦ ତମ ଦେଶ । ଭାରତର ଅନୁମତି ଆଗରୁ ଋଷୀୟ ଭାକସିନକୁ ଭେନଜୁଏଲା, ପାରାଗୁଏ, ୟୁନାଇଟେଡ୍ ଆରବ ଏମିରଟସ, ଇରାନ୍, ମେକ୍ସିକୋ, ପାକିସ୍ତାନ, ବାହାରିନ୍, ଇଜିପ୍ଟ, ଶ୍ରୀଲଙ୍କା, ଇରାନ, ମରିସସ୍, ଫିଲିପାଇନ୍ସ ପରି ଦେଶ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରି ସାରିଛନ୍ତି । ବିଶ୍ୱରେ ଟିକା ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ଦେଶ ଭିତରେ ରହିଛି ଭାରତ । ଏହାର ସହାୟତାରେ ଏବେ ୮୫୦ ମିଲିୟନ୍ ଡୋଜ୍ ସ୍ପୁଟନିକ୍ ଭି ଟିକା ତିଆରି କରିବା ପାଇଁ ଯୋଜନା କରିଛି ଋଷୀୟ ଟିକା ତିଆରୀ କମ୍ପାନୀ ।