କନକ ବ୍ୟୁରୋ: ଭାରତର ସବୁଠୁ ବଡ଼ ଶତ୍ରୁ ହେଉଛନ୍ତି ଚୀନ୍ ଓ ପାକିସ୍ତାନ । ଲଦାଖ୍ ସୀମାରେ ଭାରତ-ଚୀନ ମଧ୍ୟରେ ଏବେ ବି ଉତ୍ତେଜନା ଲାଗି ରହିଛି । ବାରମ୍ବାର ଆଲୋଚନା ପରେବି ଚୀନ୍ ତାର ବିସ୍ତାରବାଦୀ ନୀତିରୁ ପଛକୁ ହଟୁନି । ଏପଟେ କାଶ୍ମୀରର ଏଲ.ଓ.ସିରେ ପାକିସ୍ତାନ ତାର ଆତଙ୍କବାଦୀ ଷଡଯନ୍ତ୍ର ଜାରି ରଖିଛି । ବାରମ୍ବାର ଅସ୍ତ୍ରବିରତୀ ଉଲ୍ଲଂଘନ କରିବା ସହ, ଡ୍ରୋନ୍ ସାହାଯ୍ୟରେ ବିସ୍ଫୋରଣ କରିବାର ଦୁଃସାହସ କରୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଇସ୍ରୋ ଏକ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି । ଯାହାଦ୍ୱାରା ଶତ୍ରୁ ଉପରେ ତିକ୍ଷ୍ଣ ନଜର ରଖାଯାଇ ପାରିବ । ଷଡ଼ଯନ୍ତ୍ର କରିବା ପୂର୍ବରୁ ଶତ୍ରୁକୁ ମାତ୍ ଦିଆଯାଇ ପାରିବ ।
ଇସ୍ରୋ ଲଞ୍ଚ କରିବାକୁ ଯାଉଥିବା ସାଟେଲାଇଟର ନାଁ ହେଉଛି ‘ଇଓଏସ୍-୩’ ବା ‘ଜି-ସାଟ୍-ୱାନ୍’ । ଖୁବ୍ ଶୀଘ୍ର ଏହା ମହାକାଶକୁ ଛଡାଯିବାର ବ୍ୟବସ୍ଥା କରାଯାଉଛି । ଏହି ସାଟେଲାଇଟ୍ ଥରେ ମହାକାଶରେ ପହଞ୍ଚିବା ପରେ ତୁରନ୍ତ ତାର କାମ ଆରମ୍ଭ କରିଦେବ । ପୁରା ଦେଶ ଉପରେ ଏହାର ନଜର ରହିବ । ଦିନକୁ ୪ରୁ ୫ ଥର ଫଟୋ ଉଠାଇ ପାଠାଇବ । ଖାସ କରି ଭାରତର ସୀମାବର୍ତ୍ତି ଅଞ୍ଚଳ ଗୁଡିକରେ ଏହା ଅଧିକ ନଜର ରଖିବ । ଏହା ସହିତ ଏହ ସାଟେଲାଇଟ୍ ଜଳୀୟ ଶ୍ରୋତ, ଫସଲ ଏବଂ ଜଙ୍ଗଲ ଗୁଡିକରେ ହେଉଥିବା ପରିବର୍ତ୍ତନ ନେଇ ମଧ୍ୟ ସୂଚନା ପ୍ରଦାନ କରିବ ।
ଶ୍ରୀହରିକୋଟା ଦ୍ୱୀପରେ ଅବସ୍ଥିତ ସତିଶ୍ ଧୱନ ସ୍ପେଶ୍ ସେଣ୍ଟରରୁ ‘ଇଓଏସ୍-୩’ ବା ‘ଜି-ସାଟ୍-ୱାନ୍’କୁ ଲଞ୍ଚ କରାଯିବ । ଲଞ୍ଚ କରିବା ପାଇଁ ଜି,ଏସ୍.ଏଲ୍.ଭି- ଏମ୍ କେ-୨ ରକେଟର ବ୍ୟବହାର କରାଯିବ । ପୃଥ୍ୱିବୀ ପୃଷ୍ଠରୁ ପ୍ରାୟ ୩୬ ହଜାର କିଲୋମିଟର ଉପରୁ ପୂରା ଦେଶ ଉପରେ ନଜର ରଖିବ । କେବଳ ଯେ ଏହା ଦେଶ ଉପରେ ନଜର ରଖିବ ତା ନୁହେଁ । ଏହା ସହ ପାଣିପାଗ ସମ୍ପର୍କିତ ସୂଚନା ମଧ୍ୟ ପ୍ରଦାନ କରିବ । ଯାହାକୁ ନେଇ ଆଗୁଆ ସତର୍କତା ଅବଲମ୍ବନ କରାଯାଇ ପାରିବ । ସବୁଠୁ ବଡ କଥା ହେଉଛି ଏହି ସାଟେଲାଇଟରେ ତିନୋଟି କ୍ୟାମେରା ଲାଗିଛି । ପ୍ରଥମ କ୍ୟାମେରାଟିର ରେଜୁଲେସନ୍ ୪୨ ମିଟର, ଦ୍ୱିତୀୟଟିର ୩୧୮ ମିଟର ଏବଂ ତୃତୀୟ କ୍ୟାମେରାଟିର ରେଜୁଲେସନ୍ ୧୯୧ ମିଟର ରହିଛି । ଯେଉଁଥିରେ ଛୋଟରୁ ଛୋଟ ଜିନିଷ ବି ଏଥିରେ କଏଦ୍ ହୋଇପାରିବ । ଏହା ଇନଫାରେଡ୍ ଯୁକ୍ତ କ୍ୟାମେରା ହୋଇଥିବାରୁ ରାତିରେ ବି ଖୁବ୍ ପରିସ୍କାର ଚିତ୍ର କଏଦ କରିପାରିବ ।