ଭାରତକୁ ୨୫ କୋଟି କୋଭିଡ ଟିକା ରିହାତି ଦରରେ ଯୋଗାଇବ ‘ଗାଭୀ’ । ୨୨୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ବି ପ୍ରତିଶୃତି

219

କନକ ବ୍ୟୁରୋ : ଭ୍ୟାକ୍ସିନ ସହିତ ଯୋଡି ହୋଇଥିବା ଆର୍ନ୍ତଜାତୀୟ ସଂଗଠନ ‘ଗାଭୀ’ ପକ୍ଷରୁ କୁହାଯାଇଛି କି ଭାରତକୁ ୧୯ ରୁ ୨୫ କୋଟି ଡୋଜ କରୋନା ଟିକା ରିହାତି ଦରରେ ଯୋଗାଇ ଦିଆଯିବ । ଏହାସହ ସଂଗଠନ ପକ୍ଷରୁ କୁହାଯାଇଛି କି ଭ୍ୟାକ୍ସିନ ପ୍ରସ୍ତୁତ ଓ କୋଲ୍ଡ ଚେନର ବ୍ୟବସ୍ଥା ପାଇଁ ଭାରତକୁ ୩୦ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୨୨୦ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ । ‘ଗାଭୀ’ର ପ୍ରବକ୍ତା କହିଛନ୍ତି କି ଏହି ନିଷ୍ପତ୍ତି ଗତବର୍ଷ ଡିସେମ୍ବର ମାସରେ କୋଭାକ୍ସ ବୋର୍ଡ ବୈଠକରେ ନିଆଯାଇଥିଲା ।

‘ଗାଭୀ’ ତରଫରୁ ସ୍ୱଳ୍ପ ଓ ମଧ୍ୟମ ଆୟ ଥିବା ଦେଶ ମାନଙ୍କୁ ଭ୍ୟାକ୍ସିନ ଯୋଗାଇବା ନେଇ ଏକ ପବ୍ଲିକ- ପ୍ରାଇଭେଟ୍ ପାର୍ଟନରସିପ୍ ସଂସ୍ଥା ନିର୍ମାଣ କରିଛି । ଏହି ସଂଗଠନ ନିଷ୍ପତ୍ତି କରିଥାଏ କି ଆର୍ଥିର୍କ ଅବିକଶିତ ଦେଶ ମାନଙ୍କୁ କିଭଳି ଓ କେତେ ପରିମାଣର ଟିକା ରିହାତି ଦରରେ ଯୋଗାଇ ଦିଆଯିବ । ଏହାକୁ ନେଇ ‘ଗାଭୀ’ର ପ୍ରବକ୍ତା କହିଛନ୍ତି କି କରୋନା କାଳରେ ସେ ଭାରତକୁ ସହାୟତା ଯୋଗାଇବାକୁ ପ୍ରତିବଦ୍ଧ ।

କହିରଖୁ କି ଜାନୁଆରୀ ୧୬ ତାରିଖରେ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ୨ ଟି ଟିକା ବ୍ୟବହାର କରାଯାଉଛି । ଯାହା ମଧ୍ୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ । ଏହା ମଧ୍ୟରୁ କୋଭିସିଲ୍ଡ ଟିକା ଅଧିକ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଏବେ ବିଶ୍ୱର ସବୁଠାରୁ ବଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାବେ ପରିଚିତ ହୋଇଛି । ଏହାସହ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଋଷ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକା ସ୍ପୁଟନିକ୍ ଭି କୁ ଭାରତରେ ଆପାତକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଏହାକୁ ମେ ପହିଲାରୁ ବ୍ୟବହାର କରାଯାଉଛି ।