ଖଲିସ୍ତାନୀ ଆତଙ୍କୀକୁ ସାବାଡ଼ କରିବ ଭାରତ: ଖଲିସ୍ତାନୀଙ୍କ ଠିକଣାରେ ଏନଆଇଏ ଚଢ଼ାଉ

191

କନକ ବ୍ୟୁରୋ: କୁହୁଳୁଛି ଭାରତ-କାନାଡ଼ା ବିବାଦ । ଖଲିସ୍ତାନୀ ଆତଙ୍କୀଙ୍କୁ ନେଇ ମୁହାଁମୁହିଁ ସ୍ଥିତିରେ ଉଭୟ ଦେଶ । ଏହା ଭିତରେ ଆକ୍ସନମୁଡକୁ ଆସିଛନ୍ତି ମୋଦୀ ସରକାର । ଖଲିସ୍ତାନୀ ନେତାଙ୍କ ପଂଜାବ ଘରେ ରେଡ କରିବା ସହ ସମ୍ପତି ଜବତ କରିଛି ଏନଆଇଏ । ସେପଟେ ବିବାଦ ଭିତରେ ଆମେରିକା ଏଟ୍ରିଂର ଘଟଣାକୁ ଅଧିକ ରୋଚକ କରୁଛି । ଆମେରିକା କହିଛି ଭାରତର ସାମର୍ଥ୍ୟ ଆଗରେ କାନାଡ଼ା ବେଶ ଦୁର୍ବଳ । ଏହି ଲଢେଇ ହାତୀ ଓ ପିମ୍ପୁଡି ଲଢେଇ ପରି ମନେ ହେଉଛି ।

ହରଦୀପ ସିଂ ନିଜ୍ଜର । ଏହି ଖଲିସ୍ତାନୀ ଆତଙ୍କୀଙ୍କୁ ନେଇ ଏବେ ଭାରତ ଓ କାନାଡ଼ା ମଧ୍ୟରେ ମୁହାଁମୁହିଁ ସ୍ଥିତି । ଯେବେଠୁ ନିଜ୍ଜରର ହତ୍ୟା ପାଇଁ ଭାରତକୁ ଦାୟୀ କରିବା ଆରମ୍ଭ କରିଛି କାନାଡ଼ା ସେବେଠୁ ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଛି ବିବାଦ । ସେପଟେ ପଂଜାବ ଜଳନ୍ଧରରେ ଥିବା ନିଜ୍ଜରର ଘରେ ପହଁଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ନିହତ ଆତଙ୍କୀ ଘରେ ନୋଟିସ ମାରିବା ସହ ସମ୍ପତିକୁ ଜବତ କରାଯାଇଥିବା ସୂଚନା ମିଳିଛି । ଖଲିସ୍ତାନୀ ଆତଙ୍କୀଙ୍କ ବିରୋଧରେ ଆକ୍ସନମୁଡରେ ଏବେ ମୋଦି ସରକାର । ତେଣୁ କାନାଡାରେ ବସି ଭାରତ ବିରୋଧରେ ବିଷ ଉଗାଳୁଥିବା ଖଲିସ୍ତାନୀ ନେତା ଗୁରୁପତୱନ୍ତ ପନ୍ନୁର ଚଣ୍ଡୀଗଡ ଓ ଜଲନ୍ଧର ଘରେ ପହଁଚି ସମ୍ପତି ଜବତ କରିଛି ଏନଆଇଏ । ଶିଖ ଫର ଜଷ୍ଟିସର ମୁଖ୍ୟ ହେଉଛି ଗୁରୁପତୱନ୍ତ ପନ୍ନୁ ।

ପ୍ରଶ୍ନ ଉଠୁଛି ଭାରତ ବିରୋଧରେ ଯେଉଁ ଖଲିସ୍ତାନୀ ନେତା ବା ଆତଙ୍କୀ ଷଡ଼ଯନ୍ତ୍ର ରଚୁଛନ୍ତି ସେମାନଙ୍କୁ ନିଜ ଛତ୍ରଛାୟା ତଳେ କ’ଣ ପାଇଁ ରଖୁଛି କାନାଡ଼ା । ଏହା କ’ଣ ଭାରତ ବିରୋଧରେ କାନାଡ଼ାର ଶତ୍ରୁତା ଆଚରଣ ନୁହେଁ କି? ସେପଟେ କାନାଡ଼ାକୁ ଉଚିତ ଜବାବ ଦେଇ ଭାରତ ଏକଥା ଜଣାଇ ଦେଉଛି କି ଦେଶ ବିରୋଧୀ ଆଚରଣ ବା ଗତିବିଧି ସହ କୌଣସି ପରିସ୍ଥିତି ସହ ବୁଝାମଣା କରିବନି ।

ସେପଟେ ଭାରତ କାନାଡା ବିବାଦ ଭିତରେ ଏଟ୍ରିଂ ନେଇଛି ଆମେରିକା । ପେଂଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ କହିଛନ୍ତି ଏହି ବିବାଦରେ ଭାରତ ଅପେକ୍ଷା କାନାଡ଼ା ପ୍ରତି ଅଧିକ ବିପଦ ରହିଛି । ଏହି ଲଢେଇ ହାତୀ-ପିମ୍ପୁଡୀ ଭଳି । ସେପଟେ ଆମେରିକା ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିଙ୍କେନ କାନାଡ଼ାର ଅଭିଯୋଗ ନେଇ ଚିନ୍ତା ପ୍ରକାଶ କରି କହିଛନ୍ତି ଖଲିସ୍ତାନୀ ନେତା ହତ୍ୟା ଘଟଣାର ତଦନ୍ତରେ ଉଭୟ ଭାରତ ଓ କାନାଡ଼ା ପରସ୍ପର ସହଯୋଗଭିତିରେ କାମ କରିବା ଉଚିତ ।

ଯଦି ଇତିହାସର ପର୍ଦ୍ଦକୁ ଦେଖିବା ତେବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କେବଳ ଖଲିସ୍ତାନୀଙ୍କୁ ଶରଣ ଦେଉନାହାଁନ୍ତି ବଂର ତାଙ୍କ ବାପା ତଥା କାନାଡାର ତତକାଳୀନ ପ୍ରଧାନମନ୍ତ୍ରୀ ପିୟର ଏଲିଏଟ ଟ୍ରୁଡୋ ମଧ୍ୟ ସମାନ ରାସ୍ତାରେ ଚାଲୁଥିଲେ । ୧୯୮୫ ମସିହାରେ ଏୟାରଇଣ୍ଡିଆ ଆକ୍ରମଣ ମାମଲାର ମାଷ୍ଟରମାଇଣ୍ଡକୁ କେବଳ ସେ ଶରଣ ଦେଇନଥିଲେ ବଂର ଭାରତର ପ୍ରତ୍ୟର୍ପଣକୁ ମନା ମଧ୍ୟ କରିଥିଲେ । କୁହାଯାଇପାରେ ଖଲିସ୍ତାନୀଙ୍କୁ ନେଇ ଭାରତ-କାନାଡ଼ା ବିବାଦ ଆଜିର ନୁହେଁ ବଂର ଦୀର୍ଘବର୍ଷର ।