ଶତ୍ରୁପକ୍ଷ ସାବଧାନ୍ ! ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ଭାରତ ପ୍ରସ୍ତୁତ କରୁଛି ସ୍ୱତନ୍ତ୍ର ସେନା । ପାରା କମାଣ୍ଡୋ, ମାର୍କସ ଏବଂ ଗରୁଡର ବଛା ବଛା କମାଣ୍ଡୋ, ସୀମା ଆରପାରିରେ ଦେଖାଇବେ ପରାକ୍ରମ ।

439

କନକ ବ୍ୟୁରୋ : ଥରହର ହେବ ଶତ୍ରୁ ଶିବିର ! କିଛି ଭାବିବା ପୂର୍ବରୁ ଆଖିପିଛୁଳାକେ ହେବ ଆକ୍ରମଣ । ଏଭଳି ଆକ୍ରମଣ ପାଇଁ ସ୍ୱତନ୍ତ୍ର ସେନା ପ୍ରସ୍ତୁତ କରୁଛି ଭାରତ । ଏଣିକି ଶତ୍ରୁଙ୍କୁ ଘାରିବ ଭାରତ ଭୟ । ସର୍ଜିକାଲ ଷ୍ଟ୍ରାଇକ ଭଳି ଆକ୍ରମଣ ପାଇଁ ସ୍ୱତନ୍ତ୍ର ସେନା ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛି ଭାରତ । ଏମିତି ଏକ ସେନା ବାହିନୀ ପ୍ରସ୍ତୁତ କରାଯାଉଛି, ଯେଉଁମାନେ ନିମିଷକ ମଧ୍ୟରେ ଶତ୍ରୁ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ସକ୍ଷମ । ଆଉ ଏହି ସେନା ବାହିନୀ ହେଉଛି ସର୍ଜିକାଲ ଷ୍ଟ୍ରାଇକ୍ ସ୍ପେଶାଲ ଫୋର୍ସ ।

ସର୍ଜିକାଲ ଷ୍ଟ୍ରାଇକ୍ ସ୍ପେଶାଲ ଫୋର୍ସରେ ଭାରତର ତିନି ସେନା (ସ୍ଥଳସେନା, ବାୟୁସେନା ଓ ନୌସେନା)ର ବଛା ବଛା କମାଣ୍ଡୋ ରହିବେ । ସ୍ଥଳଭାଗର ପାରା କମାଣ୍ଡୋ, ନୌସେନାର ମାର୍କସ ଏବଂ ବାୟୁସେନାର ଗରୁଡ ଯବାନମାନଙ୍କୁ ନେଇ ଏହି ସ୍ପେଶାଲ ଫୋର୍ସ ଗଠନ କରାଯାଉଥିବା ଜଣାପଡିଛି । ଶତ୍ରୁ ପକ୍ଷଙ୍କୁ ଯେକୌଣସି ସମୟରେ ଏବଂ ଯେକୌଣସି ପରିସ୍ଥିତିରେ ମାତ୍ ଦେବା ପାଇଁ ଏହି କମାଣ୍ଡୋ ମାନଙ୍କୁ ତାଲିମ ଦିଆଯିବ । ଏହି ସ୍ପେଶାଲ ଫୋର୍ସର ନେତୃତ୍ୱ ନେବା ପାଇଁ ଲେଫ୍ଟନାଣ୍ଟ ମେଜର ଜେନେରାଲ ର‌୍ୟାଙ୍କର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟରେ ସ୍ଥଳସେନା, ବାୟୁସେନା ଏବଂ ନୌସେନାର ବଛା ବଛା ୧୫୦ ରୁ ୨୦୦ ଜଣ କମାଣ୍ଡୋଙ୍କୁ ଏହି ସ୍ପେଶାଲ ଫୋର୍ସରେ ତାଲିମ ଦିଆଯିବ । ଆଉ ପରବର୍ତ୍ତୀ ସମୟରେ ପାଖାପାଖି ୨୦୦୦ ଯବାନଙ୍କୁ ବଛାଯାଇ ସେମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବାର ଯୋଜନା ରହିଛି । ତେବେ ଏହି ସ୍ୱତନ୍ତ୍ର ବାହିନୀ ପାଇଁ ଏବେ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ସବୁଠାରୁ ବଡ କଥା ହେଉଛି, ବିଭିନ୍ନ ପ୍ରକାର ମିଶନ ପାଇଁ, ଏହି ସ୍ୱତନ୍ତ୍ର ବାହିନୀକୁ କେବଳ ଦେଶ ଭିତରେ ନୁହେଁ ବରଂ ଦେଶ ବାହାରେ ମଧ୍ୟ ନିୟୋଜିତ କରାଯିବ । ଆଉ ଏହି ବାହିନୀର ମୁତୟନ ଏବଂ କାର୍ଯ୍ୟ ସମ୍ପର୍କିତ ସମସ୍ତ ତଥ୍ୟ ଗୋପନ ରଖାଯିବ । ବିଶେଷ କରି ଦେଶର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଯେତେବେଳେ ଦେଶର ସୁରକ୍ଷାକୁ ବିପନ୍ନ କରିବା ଲକ୍ଷ୍ୟରେ ଗୋପନ କାର୍ଯ୍ୟକ୍ରମ କରୁଥିବେ ସେତେବେଳେ ଏହି ସ୍ୱତନ୍ତ୍ର ବାହିନୀ ସେମାନଙ୍କ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ସେମାନଙ୍କ ଏହି ଯୋଜନାକୁ ପଣ୍ଡ କରିବେ ।