ସାବାଡ ହେବେ ଶତ୍ରୁ । ଖୁବଶୀଘ୍ର ଭାରତୀୟ ନୌସେନାକୁ ମିଳିବ ୭୧ ହଜାର କୋଟି ଟଙ୍କାର ତୋପ, ଯାହାର ଆକ୍ରମଣରେ ଶତ୍ରୁ ଶିବିରରେ ପଡିଯାଏ ଚହଳ ।

443

ଶତ୍ରୁ ଶିବିର ହେବ ଥରହର, ଏଣିକି ଜଳପଥରେ ମଧ୍ୟ ଶତ୍ରୁର ଷଡଯନ୍ତ୍ରକୁ ୨୫ କିଲୋମିଟର ଦୂରରେ ରହି ଧ୍ୱଂସ କରିପାରିବ ଭାରତୀୟ ନୌସେନା । କାରଣ ଭାରତୀୟ ନୌସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ବିଶ୍ୱର ସବୁଠୁ ମାରାତ୍ମକ ତୋପ । ଏହି ଶକ୍ତିଶାଳୀ ତୋପର ପ୍ରଚଣ୍ଡ ଆକ୍ରମଣରେ ଶତ୍ରୁ ଶିବିରରେ ଚହଳ ପଡିଯାଏ । ୭୧ ହଜାର କୋଟି ମୂଲ୍ୟର ଆମେରିକା ନିର୍ମିତ ଏମକେ-୪୫ ଭଳି ଅତ୍ୟାଧୁନିକ ତୋପ ଖୁବଶୀଘ୍ର ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି । ଆଉ ଏଥିପାଇଁ ଗ୍ରୀନ୍ ସିଗନାଲ ଦେଇଛି ଟ୍ରମ୍ପ ପ୍ରଶାସନ ।

ଆମେରିକା ଏଭଳି ଅତ୍ୟାଧୁନିକ ୧୩ଟି ଏମକେ-୪୫ ତୋପ ଭାରତକୁ ବିକ୍ରି କରିବାକୁ ନିଷ୍ପତି ନେଇଛି । ଏହି ମାରାତ୍ମକ ତୋପ ଗୁଡିକୁ ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନକୁ ଟାର୍ଗେଟ କରିବାକୁ ବ୍ୟବହାର କରାଯାଏ । ଶତୁ ପକ୍ଷକୁ ପ୍ରତିଆକ୍ରମଣ ପାଇଁ ଟିକିଏ ବି ସୁଯୋଗ ଦେଇନଥାଏ ଏହି ଅତ୍ୟାଧୁନିକ ତୋପ । ପାଣି ଭିତରୁ ସ୍ଥଳ ଓ ଆକାଶପଥର ଶତ୍ରୁଙ୍କୁ ବେଶ ସହଜରେ କିଛି ସେକେଣ୍ଡରେ ସମୂଳେ ଧ୍ୱଂସ କରିବାର କ୍ଷମତା ଏହି ଅତ୍ୟାଧୁନିକ ତୋପ ନିକଟରେ ରହିଛି ।

ଏହି ଅତ୍ୟାଧୁନିକ ତୋପ ଭାରତୀୟ ନୌସେନା ପାଇଁ ସୁରକ୍ଷାକବଚ ଭଳି କାମ କରିବ । ଏହାପୂର୍ବରୁ ଆମେରିକା ଏହି ତୋପ କେବଳ ଅଷ୍ଟ୍ରେଲିଆ, ଜାପାନ ଓ ଦକ୍ଷିଣ କୋରିଆକୁ ବିକ୍ରି କରିଛି । ଥାଇଲାଣ୍ଡ ମଧ୍ୟ ଏହି ଅତ୍ୟାଧୁନିକ ତୋପ ହାତେଇଛି । ଭାରତ ସହ ବ୍ରିଟେନ ଓ କାନାଡାକୁ ମଧ୍ୟ ଏହି ତୋପ ବିକ୍ରି କରିବାକୁ ନିଷ୍ପତି ନେଇଛି ଆମେରିକା ।

ମିନିଟକୁ ୧୬ରୁ ୨୦ ରାଉଣ୍ଡ ଗୁଳି ଛାଡି ପାରୁଥିବା ଏହି ଅତ୍ୟାଧୁନିକ ତୋପ ୨୫ କିଲୋମିଟର ରାଡାରରେ ଥିବା ଶତ୍ରୁଙ୍କୁ ମାତ୍ ଦେବାରେ ମାହିର । ଗୋଟିଏ ଥରରେ ୬୮୦ ରାଉଣ୍ଡ ଗୁଳି ଛାଡି ପାରୁଥିବା ଏହି ତୋପରେ ଆକ୍ରମଣକୁ ପ୍ରତିହତ କରିବା ଶତ୍ରୁପକ୍ଷ ପାଇଁ କାଠିକର ପାଠ । କାରଣ ଏହି ତୋପରୁ ୩୧.୭୫ କିଲୋଗ୍ରାମର ଗୁଳି ବାହାରିଥାଏ ଯାହା ଶତ୍ରୁଙ୍କୁ ନିମିଷକ ମଧ୍ୟରେ ନାଶ କରିପାରେ । ଟ୍ରମ୍ପ ପ୍ରଶାସନ ଗ୍ରୀନ୍ ସିଗନାଲ ଦେଇଥିଲେ ମଧ୍ୟ ଏହି ତୋପ ପାଇବାକୁ ହେଲେ ଆମେରିକା ପ୍ରଶାସନ ଠାରୁ ଭାରତକୁ ଆଇନଗତ ମଞ୍ଜୁରୀ ମିଳିବା ଆବଶ୍ୟକ ।